ଚାଲାଣ ଗୁଡାରେ ମାଉଲୀ ମା’ ଯାତ୍ରା ଆରମ୍ଭ

ମାଲକାନଗିରି : ଚାଲାଣଗୁଡା ଠାରେ ଆଲୁରୁ ମୁଠା ମାଉଲୀ ମା’ଙ୍କ ଯାତ୍ରା ବହୁ ଆଡମ୍ବର ସହକାରେ ଆରମ୍ଭ ହୋଇଯାଇଛି । ମାଘ ମାସ ଶୁକ୍ଳ ଦଶମୀ ତିଥି ସୋମବାର ସଂଧ୍ଯାରେ ମାଉଲୀ ମା’ଙ୍କୁ ନୂଆଗୁଡା ପୁରୋହିତ ଘରୁ ଶ୍ରଦ୍ଧାଳୁମାନେ ସ୍ବତନ୍ତ୍ର ବିମାନରେ ବିଜେ କରାଯାଇ ଚାଲାଣଗୁଡା ଶକ୍ତି ପୀଠରେ ସ୍ଥାପନ କରିଥିଲେ । ହଜାର ହଜାର ଭକ୍ତଙ୍କ ଗହଳରେ ପାରମ୍ପାରିକ ଆଦିବାସୀ ବାଦ୍ଯ ,ଭେରୀ ତୁରୀ,ନାଦରେ ଗଗନ ପବନ ମୁଖରିତ ହୋଇ ଉଠିଥିଲା । ଶିରୁଆମାନେ ହାତରେ ମୟୂର ପୁଛ ଧରି ମା’ଙ୍କ ସମ୍ମୁଖରେ କାଳସୀ ନୃତ୍ୟ ପରିବେଷଣ କରିଥିଲେ । ମଙ୍ଗଳ ବାର ଦିନ ମାନସୀକଧାରୀ ଶ୍ରଦ୍ଧାଳୁମାନେ ମାଉଲୀ ମା’ ସମୀପରେ ଛାଗଳ ଓ କୁକୁଡା ଆଦି ପଶୁପକ୍ଷୀ ବଳୀ ଅର୍ପଣ କରିଥିଲେ । ଆଜି ମଙ୍ଗଳବାର ହେତୁ କିଛି କ୍ଷଣ ପାଇଁ ଶକ୍ତି ପୀଠ ସ୍ଥଳଟି ବଳୀ ଅର୍ପଣ ଯୋଗୁଁ ରକ୍ତ ରଞ୍ଜିତ ହୋଇଯାଇଛି । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ଭୋଗର ବ୍ଯବସ୍ଥା କରାଯାଇଥିଲା।ଏହି ଯାତ୍ରା ଲାଗି ଆଲିରୁ ମୁଠାର ୪୦ ଖଣ୍ଡ ଗ୍ରାମରୁ ଲାଠି ଏବଂ ଗ୍ରାମଦେବୀଙ୍କ ମିଳନ ହୋଇଥିଲା । ମାରିୱାଡା ମୁଠାକୁ ଏହି ଯାତ୍ର ଲାଗି ସ୍ବତନ୍ତ୍ର ନିମନ୍ତ୍ରିତ କରାଯାଇଥିଲା । ଏହି ଯାତ୍ର ଏକ ବର୍ଷ ବ୍ଯବଧାନରେ ଚାଲାଣଗୁଡା ଶକ୍ତି ପୀଠରେ ଆଦିବାସୀ ପୂଜକମାନଙ୍କ ଦ୍ବାରା ପାଳନ କରାଯାଇଥାଏ । ମା’ଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଓଡିଶା, ଛତିଶ ଗଡ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ଯରୁ ବହୁ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲା । ତିନି ଦିନ ବ୍ଯାପୀ ଚାଲିଥିବା ଯାତ୍ରା ସ୍ଥଳଟି ଆଧ୍ଯାତ୍ମିକ ପରିବେଶ ସୃଷ୍ଟି କରିଥିଲା। ପୀଠ ସ୍ଥଳର ଅନତି ଦୂରରେ ଉଠା ଦୋକାନ ବସାଯାଇଥିଲା। ଏହି ଯାତ୍ରାକୁ ପରିଚାଳନା ଏବଂ ଶୃଂଖଳିତ କରିବା ପାଇଁ ଆଲୁରୁ ମୁଠା ମାଉଲୀ ମା’ ପୂଜା କମିଟି ଗଠନ କରାଯାଇଥିଲା । ପୂଜା କମିଟିର ସଭାପତି ଇର୍ମା ପଡିଆମୀ, ଚାଲାଣ ଗୁଡା ସରପଞ୍ଚ ତଥା ପୂଜା କମିଟି ସଂପାଦକ ଅରକ୍ଷିତ ନାୟକ, ଉପସଭାପତି ସୀତାରାମ ଦୁରୁଆ, ପୂଜାରୀ ପ୍ରଦୀପ କୁମାର ଧାରୁଆ, ପ୍ରଫୁଲ୍ଲ କୁମର ପଣ୍ଡା, ଇନ୍ଦ୍ର କୁମାର ପଣ୍ଡା, ରବୀନ୍ଦ୍ର ଜେନା,ବୁଧୁ ଦୁରୁଆ,ବିଶ୍ବନାଥ ଧାରୁଆ, ମୁନା ମାଡକାମୀ, ପଦିଆ କବାସୀ, ମୁଠାଦାର ଦେବ ଧାରୁଆ, ଇର୍ମା କବାସି ,ଗଙ୍ଗାଧର ଧାରୁଆ,ଭୀମସେନ ପୂଜାରୀ,ଜଗା ସୋଡି,ବଳରାମ ଦୁରୁଆ, ପୂରୋହିତ ବୁଦ୍ରା ଦୁରୁଆ,ଭୀମଦୁରୁଆଙ୍କ ପ୍ରତ୍ଯକ୍ଷ ତତ୍ତ୍ବବଧାନରେ ମାଉଲୀ ମା’ଯତ୍ରା ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି।

(ରିପୋର୍ଟ: କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *