ମାଲକାନାଗିରି : ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ଗ୍ରାମ ଛତିଶଗଡ଼ର ପେଦା କୁର୍ତ୍ତୀ ନିକଟସ୍ଥ ଡଙ୍ଗା ଘାଟ ନିକଟରେ ଛତିଶଗଡ଼ ବନ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇ ଆନ୍ତଃରାଜ୍ୟ ବେଆଇନ ଭାବେ କେନ୍ଦୁପତ୍ର ଚାଲାଣକାରୀଙ୍କୁ ଠାବ କରିଥିଲା । ସୂଚନା ଅନୁସାରେ ଗତ କିଛିଦିନ ଧରି ଓଡିଶା, ଛତିଶଗଡ଼ ଓ ପଶ୍ଚିମ ବଙ୍ଗର ବ୍ୟବସାୟୀମାନେ ପେଦାକୁରୀ ନିକଟସ୍ଥ ଡଙ୍ଗା ଘାଟରେ ଗତ କିଛିଦିନ ଧରି କେନ୍ଦୁପତ୍ର ଫଡ଼ି ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ଠାରୁ କେନ୍ଦୁପତ୍ର କ୍ରୟ କରି ନଦୀରେ ଡଙ୍ଗା ସାହାଯ୍ୟରେ ଓଡିଶାର କୁର୍ତ୍ତୀ ଗ୍ରାମକୁ ଆଣୁଥିଲେ । ଏ ନେଇ ସୂଚନା ପାଇ ଗତକାଲି ଠାରୁ ସୁକମା ଜିଲ୍ଲା ସମବାୟ ପରିଚାଳନା ନିର୍ଦ୍ଦେଶକ ଅଶୋକ ପଟେଲଙ୍କ ସମେତ ଏସଡିପିଓ, ସୁକମା ଜିଲ୍ଲା କୋଅପରେଟିଭ୍ ୟୁନିଅନ୍ ର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ପ୍ରମୁଖ ଜାଗରଗୁଣ୍ଡା, କୋଣ୍ଟା ଓ ଦୋର୍ନାପାଲ ଜଙ୍ଗଲ ପରିସର ଅନ୍ତର୍ଗତ ସମସ୍ତ ନଦୀଘାଟ ଏବଂ ଆନ୍ତଃରାଜ୍ୟ ମାର୍ଗ ଗୁଡିକୁ କଡାକଡି ଭାବେ ଯାଞ୍ଚ କରିଥିଲେ । ଏହି ସମୟରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପେଦାକୁର୍ଜୀ ନଦୀ ଘାଟ ନିକଟସ୍ଥ ଫଡ଼ି କୁ ଚଢାଉ କରି ପ୍ରାୟ ୨୪ ହଜାର ୫ ଶହ କେନ୍ଦୁପତ୍ର ବିଡ଼ା ଜବତ କରିଥିଲେ I ଏଥିସହ ଜଙ୍ଗଲ ଜାତ ଦ୍ରବ୍ୟ କୁ ବେଆଇନ ଭାବେ ଚାଲାଣ କରାଯାଇଥିବାରୁ କୋଣ୍ଟା ଅଞ୍ଚଳର ଅବଦୁଲ କରିମ ଖାନ, କୁରୀ ଗ୍ରାମର କାୱାସୀ ହିରମା ଓ ଶେଖ ସୁହାନା ଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯିବା ସହ ୪୦ ହଜାର ଟଙ୍କା ଜରିମାନା ଆଦାୟ କରା ଯାଇଥିବା ଜଣାପଡିଛି। ଜବତ ହୋଇଥିବା କେନ୍ଦୁ ପତ୍ରକୁ ଫରେଷ୍ଟ ଗାର୍ଡ ଧର୍ମେନ୍ଦ୍ର କୁମାର ସିଂ ଏବଂ ସହକାରୀ ଗୋଦାମ ଦାୟିତ୍ୱରେ ଥୁବା ସୋନାରାମ ସୋଡିଙ୍କ ନିକଟରେ ରଖାଯାଇଛି।
ଛତିଶଗଡ଼ ସୀମାରୁ ଦୈନିକ ଶହ ଶହ କେନ୍ଦୁପତ୍ର ବସ୍ତା ଓଡ଼ିଶାକୁ ଆସୁଥିବା ଓଡିଶ ସୀମାରେ ଏ ନେଇ କୌଣସି କଟକଣା ନଥିବାରୁ ଛତିଶଗଡ଼ ରାଜ୍ୟରୁ କେନ୍ଦୁପତ୍ର ବ୍ୟବସାୟୀ ମାନେ ୩ ଟଙ୍କାରେ କେନ୍ଦୁପତ୍ର ବିଡ଼ା କ୍ରୟ କରି ଓଡିଶା ଗୋଦାମରେ ଷ୍ଟକ କରୁ ଥିବା ଜଣାପଡ଼ିଛି । ଛତିଶଗଡ଼ର ବନ ବିଭାଗ ଓ ପୋଲିସ ପକ୍ଷରୁ ବେଆଇନ କେନ୍ଦୁପତ୍ର ଚାଲାଣକାରୀଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟିରେ ରଖି କୋକୁଆ ଭୟ ଖେଳି ଯାଇଥିବା ଆଲୋଚନା ହେଉଛି। ଏପରି ସ୍ଥିତିରେ ଉଭୟ ରାଜ୍ୟର କେନ୍ଦୁପତ୍ର ତୋଳାଳୀଙ୍କ ପ୍ରକୃତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟର ପ୍ରାଶାସନ ପକ୍ଷରୁ ଏଭଳି ବେଆଇନ ଚାଲାଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସାଧାରଣରେ ଦାବୀ ହୋଇଛି।
(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)