କଟକ ସିଟି : ବାରବାଟୀ- କଟକ ବିଧାନ ସଭାରେ କଂଗ୍ରେସରୁ ସୋଫିଆ ଫିର୍ଦୋସ ପ୍ରାର୍ଥୀନୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀନୀ ସୋଫିୟା ସମ୍ପୂର୍ଣ ନୂଆ କିନ୍ତୁ ତାଙ୍କ ବାପା ମହମ୍ମଦ ମୋକିମ୍ ୨୦୧୯ ରେ ଏହି ଆସନରେ ବିଜୟ ହୋଇଥିଲେ । ବର୍ତ୍ତମାନ ସହରରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବଢି ଚାଲିଛି। ଏହି କ୍ରମରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସପକ୍ଷରେ ଦଳର ଶୀର୍ଷ ନେତା ଗଣ ପ୍ରଚାର କରିବାକୁ ଆସୁଛନ୍ତି, ଶୋଭାଯାତ୍ରା କରୁଛନ୍ତି । ଭାଜପାର ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କ ସପକ୍ଷରେ ମଧ୍ୟ ଭାଜପାର ଶୀର୍ଷ ନେତା ଗଣ ପ୍ରଚାର କରିବା ପାଇଁ କଟକ ଆସୁଛନ୍ତି ଓ ବିଭିନ୍ନ ସଭା ସମିତି କରିବା ସହିତ ରୋଡ ସୋ, ପଦଯାତ୍ରା ଆଦି କରିବାକୁ ଦେଖିବାକୁ ମିଳୁଛି।

କିନ୍ତୁ କଂଗ୍ରେସ ପ୍ରାର୍ଥୀନୀଙ୍କ ପ୍ରଚାର କ୍ଷେତ୍ରରେ ସମ୍ପୂର୍ଣ ଅଲଗା ଚିତ୍ର ଦେଖିବାକୁ ମିଳୁଛି । କଂଗ୍ରେସର କୌଣସି ଶୀର୍ଷ ନେତା ମାନେ କଟକରେ ପ୍ରଚାର କରୁଥିବାର ଦେଖିବାକୁ ମିଲୁ ନାହିଁ। ଉଭୟ ବିଜେଡି ଓ ଭାଜପାର ବିଧାନ ସଭା ପ୍ରାର୍ଥୀ ମାନେ ନିଜ ନିଜ ଦଳର ସାଂସଦ ପ୍ରାର୍ଥୀଙ୍କ ସହିତ ପ୍ରଚାର କାର୍ଯ୍ୟକ୍ରମ କରିବାକୁ ଦେଖିବାକୁ ମିଳୁଛି କିନ୍ତୁ କଂଗ୍ରେସ ପ୍ରାର୍ଥୀ ସମ୍ପୂର୍ଣ ନିଜସ୍ଵ ବଳରେ ପ୍ରଚାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି, ତାଙ୍କ ସହିତ କଂଗ୍ରେସ ସାଂସଦ ପ୍ରାର୍ଥୀଙ୍କୁ ଦେଖିବାକୁ ମିଳୁ ନାହିଁ।
ଯଦି ନିର୍ବାଚନୀ ପୋଷ୍ଟର, ବେନର କିମ୍ବା ହୋର୍ଡିଂଗ ଦେଖିବା ତା ହେଲେ ସେଥିରେ ସ୍ପଷ୍ଟ ଦେଖା ଯାଉଛି ଯେ କଂଗ୍ରେସ ପ୍ରାର୍ଥୀଙ୍କ ନିଜର ଏବଂ ତାଙ୍କ ବାପା ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଫଟୋ ରହିଛି। ଅଧିକାଂଶ ବେନର ଓ ପୋଷ୍ଟରରେ କୌଣସି କଂଗ୍ରେସ ଶୀର୍ଷ ନେତାଙ୍କ ଫଟୋ ଦେଖିବାକୁ ମିଳୁ ନାହିଁ।
ଏଠାରେ ପ୍ରକାଶ ଥାଉ ଯେ ୨୦୧୯ ନିର୍ବାଚନରେ ମହମ୍ମଦ ମୋକିମଙ୍କ ସପକ୍ଷରେ ଅନେକ ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ଅଣ୍ଟା ଭିଡ଼ି ଥିଲେ । କିନ୍ତୁ ଏହି ନିର୍ବାଚନରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି, ସେ ଭଳି କିଛି ଦୃଢ଼ ସଙ୍ଗଠନ ମୋକିମଙ୍କ ସପକ୍ଷରେ ନାହାଁନ୍ତି।
ଏହି ନିର୍ବାଚନରେ ମୋକିମ ନିଜେ ତାଙ୍କ ଝିଅ ତଥା କଂଗ୍ରେସ ପ୍ରାର୍ଥୀନୀ ଙ୍କ ଷ୍ଟାର କେମ୍ପେନର ସାଜିଛନ୍ତି। ମହମ୍ମଦ ମୋକିମ ଙ୍କ ଅଭିଜ୍ଞତା ଓ ତାଙ୍କ ନିଜସ୍ଵ ସଙ୍ଗଠନ ସୋଫିୟାଙ୍କୁ ବିଜୟ ହେବା ପାଇଁ ଏକମାତ୍ର ଆଶା ବୋଲି ରାଜନୈତିକ ସମୀକ୍ଷକ ମାନେ କହୁଛନ୍ତି । ଆଗକୁ ଦେଖିବାକୁ ବାକି ରହିଲା କଟକ ଭୋଟର କାହା ଉପରେ ଆସ୍ଥା ପ୍ରକଟ କରୁଛନ୍ତି ।