ଜୟ ଶିବଶମ୍ଭୁ

ସୁନିତା ମିଶ୍ର

ଜୟ ଶିବଶମ୍ଭୁ କଇଲାସ ବାସୀ
ଜୟ ହେ ଆରତେଶ୍ଵର
ନିମିଷକେ ନାଶ କରିପାର ତୁମେ
ଗ୍ରହ ରିଷ୍ଟ ଜୀବନର ।
ଅମଙ୍ଗଳେ କରି ମଙ୍ଗଳ ବିଧାନ
ଅଳପରେ ହୁଅ ତୋଷ
ଭକ୍ତମନ ଜାଣି ଯାଚିଥାଅ ବର
ତେଣୁ ନାମ ଆଶୁତୋଷ ।
ଧ୍ୟାନ ଧାରଣାରେ ଜ୍ଞାନପ୍ରାପ୍ତି ମାର୍ଗ
ଶିଖାଅ ହେ ଯୋଗେଶ୍ଵର
ତୁମରି ଆଶିଷେ ଜ୍ଞାନୋଦୟ ହୁଏ
ଖ୍ୟାତି ଲଭେ ମୂର୍ଖ ନର ।
ଅରଖ ଗୟଶ ଚମ୍ପା କନିଅର
ଦୂଦୁରା ବେଲ ପତର
ମନ୍ଦାର ପାରିଜାତ ଦୂର୍ବା ଅକ୍ଷତେ
ଅଟେ ଶରଧା ତୁମର ।
ବିଭୁତି ଭୂଷଣ ଗଳେ ସର୍ପା ହାର
ବ୍ୟାଘ୍ର ଚର୍ମ ପରିଧାନ
ଅର୍ଦ୍ଧଚନ୍ଦ୍ର ସାଥେ ଗଙ୍ଗାଧାର ତବ
ମସ୍ତକ କରେ ମଣ୍ଡନ ।
ହେ ଗିରିଜାପତି ଘେନ ମୋ ପ୍ରଣତି
ଢାଳ ଆଶିଷର ଧାରା
ପ୍ରତିଟି ଅନ୍ତରେ ରହି ନିରନ୍ତରେ
ଝରାଅ ଶାନ୍ତିର ଧାରା ।

ସୁନିତା ମିଶ୍ର
ବରଗଡ଼

Leave a Reply

Your email address will not be published. Required fields are marked *