ଗରିବ

(କବି କେଶବ ଚନ୍ଦ୍ର ନାୟକ)

ଅଭାବି ଘରେ ଜନମ ହେଲେ
ସବୁତ ନାହିଁ ନାହିଁ
ହାଣ୍ଡିରେ ଭାତ ନଥାଏ କେବେ
ତୁଣ କି ଲୁଣ ନାହିଁ….!!
ଚୁଲିରେ କେବେ ନଥାଏ କାଠ
ରାନ୍ଧିବା ପାଇଁ ଭାତ
କେବେ ନଥାଏ ଚାଉଳ ଖୁଦ
ବ୍ୟାକୁଳ ହୁଏ ଚିତ୍ତ…..!!
ପନି ପରିବା ମହଙ୍ଗା ଯୋଗୁଁ
ଆଭାବ ପଡେ ତୁଣ
ଚାରୁ ପାଣିରେ ଗୋଳାଇ ଭାତ
ଭୁଞ୍ଜଇ ଲଙ୍କା ଲୁଣ….!!
ଗରିବ ହେବା ଅନେକ ଦୁଃଖ
ଗରିବ ସିନା ଜାଣେ
ଦେହକୁ କେବେ ଢାଙ୍କିବା ପାଇଁ
ବସ୍ତ୍ର ଖଣ୍ଡେ ନ ମିଳେ…!!
ଚିରା କପଡା ଦେହରେ ଶୋହେ
ମଇଳା ପରିପୂର୍ଣ୍ଣ
ଦାଣ୍ଡକୁ ଗଲେ ମାଡଇ ଲାଜ
ଜୀବନ ହୀନିମାନ….!!
ଝାଟି ମାଟିର ଚାଳ ଛପର
ଝରେ ବର୍ଷା ପାଣି
ଦୁର୍ବଳ କାନ୍ଥ ଆଉଜି ହୋଇ
ବାଆରେ ହଲେ ପୁଣି…!!
ପବନ ହେଲେ ଉଡଇ ଚାଳ
ଭରସା କିଛି ନାହିଁ
ବିକଳ ମନେ ଜୀବନ ଶୂନ୍ୟେ
ବୁଝେ ବଞ୍ଚିବା ପାଇଁ…!!
ଘରଣୀ ମୁଣ୍ଡ ନୁଖୁରା କେଶ
ଭେଶ ହୋଇବ କାହିଁ
ଯଉବନରେ ଆସେ ବାର୍ଦ୍ଧକ୍ୟ
ରୋଗ ଛାଡଇ ନାହିଁ….!!
ଚିକିତ୍ସା ପାଇଁ ପଇସା ନାହିଁ
ଉପାୟ ଶୂନ୍ୟ ଚିତ୍ତ
ଅକାଳରେ କେବେ ଆସେ ମରଣ
ଫଟା କପାଳ ସେତ…!!
ପିଲାଙ୍କ କଥା କହିବ କିସ
ନାହିଁ ତ ପାଠ ପଢା
ଗରିବ ପିଲା କଙ୍କାଳ ହୋଇ
ହୋଇଛି ଦାଣ୍ଡେ ଛିଡ଼ା…!!
ଦାଦନ ବାପା ଦାଦନ ମା
ଛୁଆର ସ୍ବପ୍ନ ମାଟି
ଗଣତନ୍ତ୍ରଟା ନେତା ମନ୍ତ୍ରୀଙ୍କ
ସବୁ ହେଲେଣି ଲୁଟି…!!
ଧନୀ ଗରିବ ଚାଲିଛି ଖେଳ
ଟଙ୍କା ର କରାମତି
କିଏ ଏଠାରେ ହୁଏ ସାହେବ
କିଏ ମରଇ ଖଟି…!!
ଗରିବ ଡାକ ନଶୁଣେ କେହି
ବଧିର କର୍ଣ୍ଣ ବିଳ
ଗରିବ ଲୁହ ନପୋଛେ କେହି
ସଭିଏଁ ସ୍ବାର୍ଥେ ଭୋଳ….!!
ଗରିବ ଦିଏ ଭୋଟ ଖଣ୍ତେ
ଧାଡ଼ିରେ ଛିଡା ହୋଇ
ଆମରି ନେତା ଆମରି କଥା
ସଦା ଶୁଣିବା ପାଇଁ….!!
ଭୋଟ ପାଇ ଜିତିଲେ ଭାଇ
ନେତାଙ୍କ ଦେଖା ନାହିଁ
ପାଞ୍ଚ ବର୍ଷେ ଆସିଇ ନେତା
ଗୋଡ ଧରିବା ପାଇଁ….!!
ମଦ ମାଉଁସ ହାତ ଗୁଞ୍ଜାରେ
ଭୋଟ ବିକା କିଣା
ଗରିବ ଲୋକ ଭୋକିଲା ପେଟ
ହୁଅଇ ବାଟବଣା….!!
ବିଚାର ଶୂନ୍ୟ ଜୀବନ ତା’ର
ସପନ ସବୁ ମିଛ
ଆଖି ର ଲୁହ ଆଖିରେ ମାରି
ଚଢି କଣ୍ଟା ବୃକ୍ଷ….!!
ଧନୀ ଏଠାରେ ସୁଖରେ ଅଛି
ଗରିବ ମରେ କାନ୍ଦି
ନାହିଁ ନାହିଁ ରେ ଜୀବନ ଦୀପ
ଲିଭେଇ ଭାଗ୍ୟକୁ ନିନ୍ଦି…!!
ଗରିବ ପାଇଁ ଯାତନା ଯାତ୍ରା
ବିଷାଦେ ଭରା ପ୍ରାଣ
ଗରିବ ପାଇଁ ଯୋଜନା ଯେତେ
ସବୁତ ଧୂଆଁ ବାଣ… !!
କାହାର ଥଳି ପୂରଣ ହୁଏ
ହୁଏ କେ ବଡ଼ ଲୋକ
ଗରିବ ଏଠି ମରଇ ନିତି
ଚିତ୍କାର କରି ଭୋକ… !!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Leave a Reply

Your email address will not be published. Required fields are marked *