ପରଜା ସମାଜ ବିକାଶ ପରିଷଦ ତରଫରୁ ନନ୍ଦି ପରବ ପାଳିତ

ମାଲକାନଗିରି :  ଆଜି ମାଲକାନଗିରି ପରଜା ସମାଜ ବିକାଶ ପରିଷଦ ତରଫରୁ ଚିତାପାରୀ-୧ ପଡ଼ିଆ ରେ ନନ୍ଦି ପରବ ପାଳିତ ହୋଇଯାଇଛି। ଏହି ପରବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସାହିତ୍ୟ ସଂସଦ ସଭାପତି ତଥା ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଆଦିବାସୀ ମହାସଂଘର ସଭାପତି ବନ୍ଧୁ ମୁଦୁଲି ଯୋଗ ଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ଲୁଚି ମୁଦୁଲି, ଜାରାଶବର ମାଡି,ସୋନୁ ଅନୁଗ,ଗୋପୀ ପାଙ୍ଗି, ହରିବନ୍ଧୁ ଗୋଲରୀ,ମୁକୁନ୍ଦ ମାଝୀ, ଭୀଷ୍ମ ଖିଲ,ସମାରୀ ଖିଲ, ଗୁପ୍ତ ନାୟକ, ଧନୁର୍ଜୟ ହନ୍ତାଳ ଯୋଗ ଦେଇ ଥିବା ବେଳେ ପରଜା ସମାଜ ବିକାଶ ପରିଷଦ ସଭାପତି ଘଏନଉ ମୁଦୁଲି ସଭାପତିତ୍ବ କରିଥିଲେ।
ମୁଖ୍ୟ ଅତିଥି କେଶବ ଚନ୍ଦ୍ର ନାୟକ କହିଲେ ଯେ,ପରଜା ସମାଜ ବାର୍ଷିକ ଉତ୍ସବ ପ୍ରତି ବର୍ଷ ନନ୍ଦି ପରବ ଭାବେ ଏହି ଫଗୁଣ ମାସରେ ପାଳିତ ହୋଇଆସୁଛି। ମାଲକାନଗିରି ଜିଲ୍ଲାରେ ଥିବା ପରଜା ସଂପ୍ରଦାୟର ଆଦିବାସୀମାନେ ଏହି ପର୍ବରେ ଏକତ୍ରିତ ହୋଇ ପରସ୍ପର ସହିତ ସାକ୍ଷାତ ହୁଅନ୍ତି।ଭାବ ବିନିମୟ ହୁଏ।ବନ୍ଧୁ ମିଳନ ହୁଏ। ତତ୍ ସହିତ ନାଚ ଗୀତର ଆସର ଜମେ।ପରବ ପାଳିବା ଦ୍ବାରା ଆଦିବାସୀଙ୍କ ଭାଷା, ସଂସ୍କୃତି ଏବଂ ଐତିହ୍ୟକୁ ସ୍ମରଣ କରେଇ ଦିଏ।

ଆଧୁନିକତାର ସମୟ ସ୍ରୋତରେ ଆଜି ଆଦିବାସୀଙ୍କ ସାମାଜିକ ଚଳଣିରେ ବିରାଟ ପରିବର୍ତ୍ତନ ଘଟିଲା। ଧୀରେ ଧୀରେ ଆଦିବାସୀଙ୍କ ଭାଷା, ସଂସ୍କୃତି,ଚାଲି ଚଳଣି , ନୃତ୍ୟ, ଗୀତି ଦ୍ରୁତ ଗତିରେ ଅବକ୍ଷୟ ଆଡକୁ ଗତି କଲାଣି। ଯେମିତି କି ମାଲକାନଗିରି ଜିଲ୍ଲାରେ ଥିବା ପରଜା ଜନଜାତିର ଲୋକମାନେ ପରଜା ଭାଷା ଭୁଲିଗଲେଣି। ସମସ୍ତେ ଦେଶିଆ ଭାଷାରେ ଭାବ ବିନିମୟ କରୁଛନ୍ତି।ଏଣୁ ଏହି ଭାଷାର ପୁନରୁଦ୍ଧାର ପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ବୋଲି ଶ୍ରୀନାୟକ ମତବ୍ୟକ୍ତ କରିଥିଲେ।ଏହା ବ୍ୟତୀତ ପରଜା ସମାଜ ବିକାଶ ଲାଗି ପ୍ରତ୍ୟେକ ବାପା ମାଆ ସେମାନଙ୍କ ପିଲାମାନଙ୍କୁ ବିଦ୍ୟାଳୟକୁ ବିଦ୍ଯାଧ୍ଯୟନ ପାଇଁ ପଠାଇବା ସେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟ ବକ୍ତା ବନ୍ଧୁ ମୁଦୁଲି କହିଲେ ଯେ ଆଦିବାସୀ ସମାଜର ପର୍ବ ପର୍ବାଣୀ ପାଳିବା,ନାଚ ଗୀତ ସଂସ୍କୃତି କୁ ସାଇତି ରଖିବା ଏବଂ ଆଦିବାସୀ ଭାଷା ର ବହୁଳ ପ୍ରଚାର ପ୍ରସାର ଉପରେ ମତପୋଷଣ କରିଥିଲେ। ନିମନ୍ତ୍ରିତ ୧୪ ଗୋଟି ଆଦିବାସୀ ସମ୍ପ୍ରଦାୟ ନୃତ୍ୟ ଦଳ ସେମାନଙ୍କ ନୃତ୍ୟ କଳା ପ୍ରଦର୍ଶନ କରିଥିଲେ। ପୂର୍ବତନ ପରଜା ସମାଜ ବିକାଶ ପରିଷଦ ର ସଂପାଦକ ଶ୍ରୀନିବାସ ମୁଦୁଲି ମଞ୍ଚ ପରିଚାଳନା କରିଥିଲା ବେଳେ ଶେଷରେ ସଂପାଦକ ରାମଦାସ ବଡନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ:  ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *