ପାର୍ବତୀ ଦାଶ

ରାଜୋଦ୍ୟ।ନେ ଥରେ ଗହଳ ତରୁର ଛାୟାପରେ,
ତାପସ କିଶୋର ସିଦ୍ଧାର୍ଥ ମଉନେ ଧ୍ୟାନ ଭରେ,
ଦେଖୁଥିଲେ ଏକଲୟେ
ଦୂର ଦିଗବଳୟେ ।।
ସହସା କୋଳରେଦେଖିଲେ ସ୍ଖଳିତ ରାଜହଂସୀ,
ଆଶ୍ଚର୍ଯ୍ୟ ଚକିତେ ତୋଳିନେଇ ହସ୍ତେ ମୃଦୁଭାଷି,
ଏ କି ଆଚମ୍ବିତ କଥା,
ପକ୍ଷୀଟିର ବ୍ୟଥା।।
କେହି ଅମାନୁଷ କରିଛି ଏହାକୁ ଶରବିଦ୍ଧ
ଯନ୍ତ୍ରଣା ଜର୍ଜର ଦେଖିଣ ସିଦ୍ଧାର୍ଥ ମନେ ଖେଦ
କ୍ଷତରୁ କାଢ଼ିଣ ଶର
କଲେ ଉପଚାର ।।
ଆଶୁ ଚିକିତ୍ସା ଓ ସମବେଦନାର ନବ ସ୍ପର୍ଶ
ସୁସ୍ଥ ହେଲା ହଂସୀ କୂଜି ଉଠିଲା ସେ ମହା ହର୍ଷେ ,
ତହିଁ ଉପରାନ୍ତେ ସମାଗତ
ରାଜପୁତ୍ର ଦେବଦତ୍ତ।।
“ହଂସଟି ମୋ ଦିଅ ,” କହିଲେ ସିଦ୍ଧାର୍ଥେ ଦେବଦତ୍ତ,
-“ତୁମ ହଂସ ଏହା କିପରି ହୋଇଲା କୁହ ଭ୍ରାତ?”
“ମୁଁ କରିଛି ତାକୁ ଶରବିଦ୍ଧ
ହୋଇଛି ଏବେ ମୋ କାର୍ଯ୍ୟ ସିଦ୍ଧ ।।”
ଶରଭେଦି ତୁମେ କରିଛ ହଂସକୁ ଧରାଶାୟୀ
ଯନ୍ତ୍ରଣାରେ ତାର ପ୍ରାଣ ଯାଉଥିଲା ଦେହ ତେଜି
କରି ଯଥାଯଥ ଉପଚାର, ରଖିଛି ମୁଁ ପ୍ରାଣ ତାର।।
ହଂସଟି କାହାର କୁହ ଏବେ ତୁମେ ଦେବଦତ୍ତ
ପ୍ରାଣ ନିଏ ଯିଏ, ଅବା ଯେ ବଂଚାଏ କରି ହିତ ?
ଏତେ କହି ତାକୁ ମୁକ୍ତ କଲେ
ଉଡ଼ିଗଲା ପକ୍ଷୀ ବହୁଦୂରେ।।
ମଥା ନତ କରି ମଉନେ ରହିଲେ ଦେବଦତ୍ତ
ବୁଝୁଥିଲେ ମନେ ହଂସଟି କାହାର ଯଥାଯଥ
ପ୍ରାଣଦେଇ ଭଲପାଏ ଯିଏ
ଅଧିକାରୀ ତାର ସେ ବୋଲାଏ ।।
ପାର୍ବତୀ ଦାଶ