ବନାଞ୍ଚଳ ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ମାଲକାନଗିରି : ଉତ୍କଳ ସାହିତ୍ୟ ସଂସଦ ଆନୁକୂଲ୍ୟରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ପ୍ରତାପ କୋଟାପଲ୍ଲୀ, ମୁଖ୍ୟ ବକ୍ତା ଭାବେ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ବାଣିଶ୍ରୀଦେବି, ସମ୍ମାନିତ ଅତିଥି ଭାବେ ଶିକ୍ଷକ କବିର ମୋହନ ବେହେରା ଯୋଗ ଦେଇଥିବା ବେଳେ ଉତ୍କଳ ସାହିତ୍ୟ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ ପୌରହିତ୍ୟ କରିଥିଲେ।ଶ୍ରୀ ନାୟକ କହିଲେ ଯେ, ଉତ୍କଳ ସାହିତ୍ୟ ସଂସଦ କେବଳ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର କରୁ ନାହିଁ ପ୍ରତି ବର୍ଷ ବନମହୋତ୍ସବ ପାଳନ କରି ବୃକ୍ଷ ରୋପଣ ରେ ପ୍ରମୁଖ ଭୂମିକା ନିର୍ବାହ କରି ଆସୁଛି।
ଏହି ପରିପ୍ରେକ୍ଷୀରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ ପୂର୍ଣ୍ଣ ସହଯୋଗ କରି ଆସୁଛନ୍ତି।ସେ ବି ଜଣେ ସାହିତ୍ୟ ସାହିତ୍ୟ ପ୍ରେମୀ। ଯେତେବେଳେ ଉତ୍କଳ ସାହିତ୍ୟ ସଂସଦ ତରଫରୁ କୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ,ସେ ଅତିଥି ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟ ଉପରେ ଆଲୋଚନା କରି ଜନ ମାନସରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ନେଇଛନ୍ତି।ସେ ଜଣେ ଭଲ ମଣିଷ। ତାଙ୍କ ମିଷ୍ଟଭାଷା । ସମାଜ ସେବୀ ଭାବରେ ସମସ୍ତଙ୍କ ହୃଦୟରେ ଛାପଟିଏ ଛାଡିଯାଇଛନ୍ତି । ତାଙ୍କର ପଦୋନ୍ନତି ହେବାରୁ ସେ ରାଉରକେଲା ନିକଟସ୍ଥ ବଣେଇକୁ ବଦଳି ହୋଇ କାର୍ଯ୍ୟରେ ଯୋଗଦେବେ। ଏଣୁ ସେ ଚାଲିଗଲା ପରେ ଆମେ ତାଙ୍କର ଅନୁପସ୍ଥିତି ଅନୁଭବ କରିବୁ । ଆଜିର ମୁଖ୍ୟ ଆକର୍ଷଣ ସମ୍ବର୍ଦ୍ଧିତ ଅତିଥି ବନାଞ୍ଚଳ ଅଧିକାରୀ କହିଲେ ଯେ, ସେ ଉତ୍କଳ ସାହିତ୍ୟ ସଂସଦ ସହିତ ଓତଃପ୍ରୋତଭାବେ ଜଡ଼ିତ। ସେ ବଣେଇ ଗଲେ ମଧ୍ୟ ସାହିତ୍ୟ ସେବାକୁ ପ୍ରାଧାନ୍ୟ ଦେବା ସହ ଉତ୍କଳ ସାହିତ୍ୟ ସଂସଦ ସହ ସୁସମ୍ପର୍କ ରହିବ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ବନଖଣ୍ଡ ଅଧିକାରୀ ପ୍ରତାପ କୋଟାପଲ୍ଲୀ କହିଲେ ଯେ ଶ୍ରୀ ବିଷୋୟୀ ଙ୍କ ଲୋକ ସମ୍ପର୍କ ଭଲ। ମାତୃଭାଷା ଓଡ଼ିଆ ପ୍ରତି ତାଙ୍କର ସହଯୋଗ ରହିଛି । ସେ ଜଙ୍ଗଲ ସୁରକ୍ଷା, ବୃକ୍ଷ ରୋପଣ ଏବଂ ଉନ୍ନୟନମୂଳକ କାର୍ଯ୍ୟ ସୁଚାରୁ ରୁପେ ସମ୍ପାଦାନ କରିଛନ୍ତି। ବଣେଇକୁ ଗଲେ ମଧ୍ୟ ଭଲ କାର୍ଯ୍ୟ କରିବେ ବୋଲି ଆଶା ବ୍ୟକ୍ତ କରିଥିଲେ। ଉତ୍କଳ ସାହିତ୍ୟ ସଂସଦ ତରଫରୁ ଉପଢ଼ୌକନ ସହ ସବୁଜ ବନାନୀ ସମ୍ମାନ -୨୦୨୪ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଂପାଦକ ଅନନ୍ତ କିଶୋର ନନ୍ଦ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ସୂର୍ଯ୍ୟକାନ୍ତ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *