ଘେଁସ ରେ ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନର ବୈଠକ

୨୭ ରେ ଜିଲ୍ଲାପାଳଙ୍କ ଅଫିସ ଘେରାଉରେ ହେବେ ସାମିଲ

ବରଗଡ଼:(କ୍ରାନ୍ତି ଓଡ଼ିଶା)-ସଂଯୁକ୍ତ କୃଷକ ସଙ୍ଗଠନ ବରଗଡ଼ ଜିଲ୍ଲାର ଶାଖା ସଙ୍ଗଠନ ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନର କୃଷକ ଚେତାବନୀ ବିକ୍ଷୋଭ ସମାବେଶ ପାଇଁ ଘେଁସ ସାପ୍ତାହିକ ବଜାର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚାଷୀନେତା ମୁରଲୀ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିିତ ଏହି ବୈଠକରେ ସଂଯୁକ୍ତ କୃଷକ ସଙ୍ଗଠନର ବିଶିଷ୍ଟ ଚାଷୀନେତା ଶ୍ରୀ ରମେଶ ମହାପାତ୍ର ଏବଂ ଚାଷୀନେତା ପ୍ରେମରାଜ ସାହୁଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଯୁକ୍ତ କୃଷକ ସଙ୍ଗଠନ ବରଗଡ଼ ଜିଲ୍ଲା ପକ୍ଷରୁ ଆସନ୍ତା ୨୭ ଫେବୃଆରୀ ମଙ୍ଗଳବାର ଦିନ ବରଗଡ଼ ଠାରେ ହେବାକୁ ଥିବା ବିରାଟ କୃଷକ ଚେତାବନୀ ବିକ୍ଷୋଭ ସମାବେଶକୁ ସଫଳ କରିବା ପାଇଁ ଆଲୋଚନା ହୋଇଥିଲା । ରାଜଧାନୀ ଦିଲ୍ଲୀରେ ଚାଲିଥିବା ଗଣତାନ୍ତ୍ରିକ କୃଷକ ଆନ୍ଦୋଳନକୁ ସମର୍ଥନ କରାଯାଇଥିଲା ଓ ଆନ୍ଦୋଳନକୁ କେନ୍ଦ୍ର ସରକାରଙ୍କ ବଳପୂର୍ବକ ଚାପିଦେବା ଉଦ୍ୟମକୁ ନିନ୍ଦା କରାଯାଇଥିଲା । ଉଭୟ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ଭୁଲ ନୀତି କାରଣରୁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅନ୍ନ ଉତ୍ପାଦନ କରୁଥିବା କୃଷକ ଋଣ ଗ୍ରସ୍ତ ଜମି ଛାଡ଼ି ଦାଦନ ଶ୍ରମିକ ସାଜିଛି କିମ୍ବା ବାଧ୍ୟହୋଇ ବାଛି ନେଉଛି ଆତ୍ମହତ୍ୟାର ବାଟ । କୃଷକଙ୍କ ପ୍ରତି କୌଣସି ସରକାର ମାନଙ୍କ ସମବେଦନା ବା ଆନ୍ତରିକତା ନଥିବା ସହିତ ବିରୋଧୀ ଶୂନ୍ୟ ହୋଇଛି କେନ୍ଦ୍ର ଓ ରାଜ୍ୟ ସରକାର । ସେଥିପାଇଁ କୃଷକ ମାନଙ୍କୁ ନିଜ ହକ ଓ ଅଧିକାର ପାଇଁ ଲଢ଼େଇ କରିବାକୁ ପଡ଼ିବ ବୋଲି ବରିଷ୍ଠ କୃଷକ ନେତା ରମେଶ ମହାପାତ୍ର ବୈଠକ ରେ ଆଲୋଚନା କରିଥିଲେ । ପରେ ପାଞ୍ଚ ଦଫା ଦାବୀ ମିଗ ଜୋମ ଜନିତ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ବୀମା ଓ ଇନପୁଟ ତୁରନ୍ତ ପ୍ରଦାନ କରଯିବା, ଧାନ କ୍ୟୁଣ୍ଟାଲ ପ୍ରତି ୪ ହଜାର ଟଙ୍କା କରାଯିବା, ଯେତେଦିନ ପର୍ଯ୍ୟନ୍ତ ଧାନ ଦର ବୃଦ୍ଧି ନହୋଇଛି ଏକ ହଜାର ଟଙ୍କା ବୋନସ ଦେଇ କଟଣୀ ଛଟଣୀକୁ ବନ୍ଦ କରାଯିବା, ସମସ୍ତ ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ସମ୍ପୁର୍ଣ୍ଣ ଋଣ ଛାଡ଼ କରାଯିବା, ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନର ଦାବୀକୁ ସରକାର ସସମ୍ମାନେ ମାନିନେବା ,ଜଳସେଚନ ଆଧାରରେ ବିଦ୍ୟୁତ ବିଲ୍ ନିଆଯାଇ ବକେୟା ବିଲ ଛାଡ଼ କରିବା ଏବଂ ୩ ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ଦିଆଯିବା ପ୍ରଭୃତି ଦାବୀନେଇ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବା ପାଇଁ ସର୍ବ ସମ୍ମତିରେ ନିଷ୍ପତ୍ତି ନିଆଯାଇଥିଲା । ଆୟୋଜିତ ବୈଠକରେ ସୋହେଲା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ ମାନଙ୍କରୁ ବହୁ ଚାଷୀ ଓ କୃଷକ ନେତା ମାନେ ଉପସ୍ଥିତ ରହିଥିଲେ |

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *