(କବି କେଶବ ଚନ୍ଦ୍ର ନାୟକ)
ବସନ୍ତ ସ୍ପର୍ଶରେ ପ୍ରକୃତିର ଛବି
ବଦଳି ଯାଉଛି ଧୀରେ….
ବିଚିତ୍ର ବର୍ଣ୍ଣା ଏ ପାଦପ ସମୂହ
ଦେଖି ଆହ୍ଲାଦିତ ଧୀରେ….!!
ଝରି ପଡ଼ିଲାଣି ବୃକ୍ଷ ଶାଖା ଦେହୁ
ପ୍ରାଚୀନ ପତର ଯେତେ….
ନବ ପଲ୍ଲବରେ ହୋଇ ବିମଣ୍ଡିତ
ଚାରୁ ଚିତ୍ର ରଚେ କେତେ….!!
ଦେଖି ଚାରୁ ଦୃଶ୍ୟ ବିହଙ୍ଗ ଆନନ୍ଦ
ଗାଏ ଆତ୍ମଭରା ଗୀତି….
ବସନ୍ତ ଆଣିଛି ନବ ଉନ୍ମାଦନା
କରିବାକୁ ତୃପ୍ତି ପ୍ରୀତି….!!
ପ୍ରଭାତେ ସୂରୁଯ ହସେ ମନ୍ଦ ମନ୍ଦ
ପାହାଡ ଚୁଡାରେ ଲୁଚି….
ଝରଣା କହୁଛି କଳ ନିନାଦରେ
ପ୍ରେମର ବାରତା କିଛି …..!!
ଫୁଲ ଫୁଟି ଭାରି ମହକି ଯାଉଛି
ମଳୟ ସୁଗନ୍ଧ ବିଞ୍ଚି….
ନାନା ରଙ୍ଗେ ପୁଷ୍ପ ଦର୍ଶନେ କୁହୁକ
ବିଷାଦ ଯାଉଛି ଘୁଞ୍ଚି…!!
ଅସ୍ତଗାମୀ ସୂର୍ଯ୍ୟ ବହି ରକ୍ତ ରଙ୍ଗ
ବଢାଏ ପଶ୍ଚିମ ଶୋଭା….
ନୀଡକୁ ଫେରନ୍ତି ବିହଙ୍ଗ ସକଳ
ଡାକହାକ ହୋଇ କିବା…!!
ସଂଧ୍ୟା ଗଗନରେ ନିର୍ମଳ ଚନ୍ଦ୍ରମା
ହସେ ଖିଲି ଖିଲି ହୋଇ….
ମତୁଆଲା କରେ କୁଆଁରୀ ମନକୁ
ସପନ ପାହାଚ ଡେଇଁ….!!
ଯୁବକକୁ ଜହ୍ନ କରଇ ଭାବୁକ
ଦେଖି ତା’ ଲାବଣ୍ୟ ଛବି….
ହଜିଯାଏ ମନ ସୁନେଲି ସପନ
କେଉଁ ସୁନ୍ଦରୀକୁ ଭାବି…!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭