ମାଲକାନଗିରି : ଚିନାବାଦାମ ଫସଲରେ ପୋକ ଆକ୍ରାନ୍ତ ଯୋଗୁଁ ବର୍ତ୍ତମାନ ଚିନ୍ତାରେ ଚାଷୀ ଭାରାକ୍ରାନ୍ତ। ନଷ୍ଟ ହେବାକୁ ବସିଛି ଶହ ଶହ ଏକର ଚିନାବାଦାମ ଚାଷ । ଚାଷ ଉପରେ ନିର୍ଭର କରି ବଞ୍ଚୁଥିବା ଚାଷୀମାନଙ୍କର ବର୍ଷକର ଆୟ ବୁଡିବାକୁ ବସିଛି। ସେପେଟେ ଗ୍ରାମ୍ୟ କୃଷୀ କର୍ମଚାରୀ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତିି କାଲିମେଳା ବ୍ଳକ ଅନ୍ତର୍ଗତ ଗୁମୁକା ଗ୍ରାମ ପଞ୍ଚାୟତର ଚାଷୀମାନେ ।
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ, ଗୁମୁକା ଗ୍ରାମ ପଞ୍ଚାୟତର ଏମପିଭି – ୧୪ ଏବଂ ଏମପିଭି- ୧୫ ଗ୍ରାମର ଚାଷୀମାନେ ୫ ଶହ ଏକରରୁ ଅଧିକ ଜମିରେ ଚିନାବାଦାମ ଚାଷ କରିଛନ୍ତି । ସେଥିରୁ ସେମାନଙ୍କ ପରିବାର ପାଇଁ ବର୍ଷକର ଆର୍ଥିକ ଉପାର୍ଜନ ହୋଇଥାଏ। କିନ୍ତୁ ସେମାନଙ୍କ ଚିନାବାଦାମ ଫସଲରେ ଅଜଣା ପୋକୋ ଲାଗିଥିବାରୁ ଗଛ ଗୁଡିକ ହଳଦିଆ ହେବା ସହ ଗଛ ମୂଳରେ ବାଦାମ ଆସିବା ପୂର୍ବରୁ ଫସଲ ନଷ୍ଟ ହବାରେ ଲାଗିଛି । ତେବେ ପୋକ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଚଷୀମାନେ ବାହାର ଦୋକାନରୁ କୀଟନାଶକ ଔଷଧ ଆଣି ସିଞ୍ଚନ କରୁଥିଲେ ମଧ୍ୟ କୀଟ ଦମନ ହେବାର କୌଣସି ଆଭାସ ମିଳୁନାହିଁ। ଏଣୁ ଚାଷୀ ମାନେ ଉପାୟ ଶୂନ୍ୟ ହୋଇ ଗ୍ରାମ୍ୟ କୃଷୀ କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲେ । କିନ୍ତୁ ଗ୍ରାମ୍ୟ କୃଷୀ କର୍ମଚାରୀ ଛୁଟିରେ ରହି ଆନ୍ଦୋଳନରେ ଯୋଗଦେଇଥିବା କହି ଚାଷୀମାନଙ୍କ ସମସ୍ୟାକୁ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ତେବେ ଚାଷୀମାନେ ଚାଷ କରିବା ପାଇଁ ବ୍ୟାଙ୍କ ଓ ଅନ୍ୟାନ୍ୟ ସୂତ୍ରରୁ ଋଣ କରିଛନ୍ତି । ଏଭଳି ସ୍ଥିତିରେ ଏହି ଅଜଣା ପୋକକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଯଦି ଚିନାବାଦାମ ଫସଲ ନଷ୍ଟ ହୋଇଯିବ ତେବେ ସେମାନଙ୍କ ଅମଳ ସପୂର୍ଣ୍ଣ ହ୍ରାସ ହୋଇଯିବ । ତେଣୁ ସେମାନେ ଆଣିଥିବା ଋଣ କିଭଳି ସୁଝିବେ ବୋଲି କହିବା ସହ ଯଦି ଏହି ସମୟରେ କୃଷି ବିଭାଗର କର୍ମଚାରୀମାନେ ସେମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଫସଲକୁ ପୋକ ଦାଉରୁ ନବଞ୍ଚାଇବେ ତେବେ ସେମାନେ ଋଣ ସୁଝିନପାରି ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ଚାଷୀ ।ସେପଟେ ଏନେଇ ଗ୍ରାମ୍ୟ କୃଷି କର୍ମଚାରୀ କହିଛନ୍ତି ଯେ, ଚାଷୀମାନଙ୍କର ଯେଉଁ ସମସ୍ୟା ହେଉଛି ସେଥିପାଇଁ ସେମାନେ ଦୁଃଖିତ ଥିବା ସହ ଚାଷୀଙ୍କର କିଛି ଅସୁବିଧା ହେଲେ ସେମାନେ ଦାୟୀ ରହିବେ ନାହିଁ ବରଂ ରାଜ୍ୟ ସରକାର ଦାୟୀ ରହିବେ । କରଣ ଦୀର୍ଘଦିନ ହବ ସରକାରଙ୍କୁ ସେମାନେ ୭ଦଫା ଦାବି ଜଣାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି । ତେଣୁ ଯେତେଦିନ ପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବି ନ ଶୁଣିଛନ୍ତି ସେମାନେ ଏମିତି ଧାରଣାରେ ବସି ରହିବେ ।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)