ଆସିଲା ଗ୍ରୀଷ୍ମ

(କବି କେଶବ ଚନ୍ଦ୍ର ନାୟକ)

କଲାଣି ତପତ ଧରାକୁ ଗ୍ରୀଷମ
ଜୀବନ ଜଞ୍ଜାଳ କାଳ ଏ ବିଷମ ।୧।
ଦିନବନ୍ଧୁ ଦୀନବନ୍ଧୁ ନ ବୋଲଇ
ଦୁଃଖ ସନ୍ତାପେ ତାପରେ ଜଡାଇ ।୨।
କ୍ଳେଶ ଦାନେ କିବା ଚିତ୍ତଟି ପ୍ରସନ୍ନ
ଜୀବର ଜୀବନ ବିଷର୍ଣ୍ଣ ବଦନ ।୩।
ଶୁଷ୍କ ହୋଇଲାଣି ସଳିଳ ଆଳୟ
ଗିରି ଶୃଙ୍ଗୁ ଝର ସ୍ବର ଯେ ବିଲୟ ।୪।
ଶୁଷ୍କ ହେଲାଣିତ ସରିତ ସକଳ
ନାହିଁ ସ୍ନାନ ପାଇଁ ଜନତା ଗହଳ ।୫।
ପଶୁ ପକ୍ଷୀ ତୃଷା ନିବାରଣ ପାଇଁ
ଖୋଜନ୍ତି ଆତୁରେ ଜଳାଶୟ – ନଈ ।୬।
ଅରଣ୍ୟେ ପତିତ ଶୁଖିଲା ପତର
ଅଗ୍ନି ସଂଯୋଗରେ ଦିଶେ ଭୟଙ୍କର ।୭।
ନିମିଷକେ ଧ୍ବଂସ କରଇ ଅଟବୀ
ଶ୍ରୀହିନ ଦିଶଇ ପ୍ରକୃତିର ଛବି ।୮।
ସ୍ବଛ ଜଳେ ପୂର୍ଣ୍ଣ ଥିଲା ପୁଷ୍କରିଣୀ
ମଳିନ ପଡିଛି କାନ୍ତି କମଳିନୀ ।୯।
ନୀର ଶୂନ୍ୟ ହେତୁ ମୀନଙ୍କ ଜୀବନ
ବକ ବଂଶଙ୍କୁ ଯେ କଲେ ସମର୍ପଣ ।୧୦।
କୁମୁଦ କମଳ ଜଳ ପୁଷ୍ପ ଯେତେ
ଗ୍ରୀଷମେ ଉଭାନ ହୋଇଲେକ ସତେ ।୧୧।
ଶାମୁକା କଙ୍କଡା ଯେତେ ଯେତେ ଜୀବ
କାକ ଶୃଗାଳଙ୍କ ଉଦରରେ ଠାବ ।୧୨।
କଛପ ମଣ୍ଡୁକ ସରୀସୃପ ପ୍ରାଣୀ
କୂପ ସନ୍ଧାନରେ ଗମିଲେଟି ପୁଣି ।୧୩।
ଧୀରେ ଧୀରେ ତାପ ହେବାରୁ ପ୍ରକୋପ
ଶୀତଳ ମଳୟ ବିହରେ ସନ୍ତାପ ।୧୪।
ଶୀତଳ ପାନୀୟ ପାଇଁ ଯେ ହୃଦୟ
ବ୍ୟାକୁଳ ଜୀବନ ମନଟି ଅଥୟ ।୧୫।
କିଏ ନାରିକେଳ ବେଲ ପଣା ପାନେ
ଲେମ୍ବୁ ଆଖୁ ରସେ ତୃଷା ନିବାରଣେ।୧୬।
ପଖାଳ ଭାତକୁ ଲୋଡ଼ନ୍ତି ଯେ କେହି
ତୋରାଣି ସହିତ ସ୍ଵଳ୍ପ ଖଟା ଦହି ।୧୭।
ଲୁଣ କଞ୍ଚା ଲଙ୍କା କାକୁଡିଟି କଟା
ପିଆଜ ଧନିଆ କଷି ଆମ୍ବ ବଟା ।୧୮।
ଭୁଞ୍ଜିବାକୁ ମନ ଉଦବେଗ ବେଶି
କ୍ଷୀରି ରସାବଳି ନଦିଅଇ ଖୁସୀ ।୧୯।
ଚାରିଆଡେ ଜଳ ଉତ୍କଟ ସଂକଟ
କରନ୍ତି ବିରୋଧି ନେତା ଧର୍ମଘଟ ।୨୦।
ବିଧାନସଭାରେ ହୁଏ ପାଟି ତୁଣ୍ଡ
ନଳକୂପ ଗଣି ବିଭ୍ରାଟ ଯେ ମୁଣ୍ଡ ।୨୧।
ଅଚଳ ସଚଳ ଜ୍ଞାତ ବା ଅଜ୍ଞାତ
ବିରୋଧୀ ଦଳଟା ପଡ଼ିଯାଏ ଶାନ୍ତ ।୨୨।
ସାମ୍ବାଦିକ ମାନେ ତନତନ କରି
ସମ୍ବାଦ ଦେଖାନ୍ତି ବୁମ୍ ଖଣ୍ଡେ ଧରି ।୨୩।
ପ୍ରକାଶି ଖବର ଗାଁଆ ଗାଁଆ ବୁଲି
ସରକାର ତୁମେ ଜଳ ଦିଅ ବୋଲି ।୨୪।
ସରକାରୀ କଳ କାନ ଥାଇ କାଲ
ଜାଣନ୍ତି ଜନତା ସବୁ ହାଲଚାଲ ।୨୫।
ପାଟି ଥାଇ ମୂକ ରହନ୍ତି ମଉନ
କାହା ଗୁହାରିକୁ ନଦିଅନ୍ତି ଧ୍ୟାନ ।୨୬।
ଧନ୍ଯ ନେତା ଆମ ଧନ୍ଯ ଗଣତନ୍ତ୍ର
ଜନ ସେବା ଖାଲି ଅଭିନୟ ମାତ୍ର।୨୭।
ଗ୍ରୀଷମ ଋତୁରେ ତାଳ ଆମ୍ବ ଫଳ
ପେନ୍ଥା ପେନ୍ଥା କୋଳି ଖର୍ଜୁରେ ଓହଳି ।୨୮।
କଷି ପଣସକୁ କରେ କେ ବେଶର
ମନରେ ଆନନ୍ଦ ଭୁଞ୍ଜଲେ ସତ୍ବର ।୨୯।
ଖରାରେ ମଉନ ସକଳ ବିହଙ୍ଗ
କୋକିଳ ସୁକଣ୍ଠ କ୍ଳେଶ କରେ ଭଙ୍ଗ ।୩୦।
ପଥରେ ପଥିକ ମରେ ଅଂଶୁଘାତେ
ମଥାପରେ ଛତା ନଥିଲେ ନିରତେ ।୩୧।
ଟାଣ ଖରା ବାଜି ବହେ ସ୍ବେଦ ନୀର
ଗ୍ରୀଷ୍ମ ପ୍ରବାହଟି ଅସହ୍ଯ ଆତୁର।୩୨।
ରଜନୀରେ ନିଦ୍ରା ଭଙ୍ଗ କ୍ଷଣ କ୍ଷଣ
ସବୁ ଋତୁ ମଧ୍ୟେ ଗ୍ରୀଷ୍ମଟି ଦାରୁଣ।୩୩।
ଗ୍ରୀଷ୍ମ ଯେ ପ୍ରଚଣ୍ଡ ରୂପ ଭୟଙ୍କର
ସୂର୍ଯ୍ୟ ଦେବତାଙ୍କୁ ଭୟ ସଭିଙ୍କର ।୩୪।
ଶୀତ ବରଷାରେ ରୂପ ଶାନ୍ତ କାନ୍ତ
ସୂର୍ଯ୍ୟ କର ଲାଗି ମଧୁର ଯେମନ୍ତ।୩୫।
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Leave a Reply

Your email address will not be published. Required fields are marked *