ସୁନିତା ମିଶ୍ର
ଜୟ ବୀଣାପାଣୀ ମରାଳ ବାହିନୀ
ବାକ୍ୟଦେବୀ ସରସ୍ବତୀ,
ପ୍ରଣତି ଢାଳେ ମା ତବ ଶ୍ରୀ ଚରଣେ
ମୋ ବାକ୍ୟେ ଦିଅ ଶକତି।
ଧର୍ମଦେବତାଙ୍କ ବାମ ପାରୁଶ ରୁ
ହୋଇଅଛ ଆବିର୍ଭୁତା,
ବିଷ୍ଣୁଙ୍କ ଘରଣୀ ଭୂଦେବୀ ନାମେଣ
ଡାହାଣେ ହେଲ ପୂଜିତା ।
ନୂପୁର, କିଂକ୍ଵଣ ବାଜେ ରୁଣୁ ଝୁଣୁ
ଲଳିତ ସଂଗୀତ ସ୍ୱର,
ଆନନ୍ଦ ଉଲ୍ଲାସେ ଭରିଯାଏ ପ୍ରାଣ
ବିଧୂର ହୁଏ ବିଭୋର ।
ଲଳାଟ ପଟଳେ ଝଟକେ ସିନ୍ଦୂର
ଆଖିରେ କଜ୍ଵଳ ଗାର,
କଣ୍ଠରେ ଶୋଭଇ ସ୍ପଟୀକର ହାର
ଓଷ୍ଠୁ ଝରେ ମଧୂ ଝର ।
ଶାନ୍ତି, ପ୍ରୀତିର ପ୍ରତୀକ ତୁମେ ଗୋ
ଶୁଭ୍ର ବସ୍ତ୍ରରେ ଶୋଭିତ,
ପବିତ୍ରତା ମନ୍ତ୍ର ତୁମ୍ଭରି ଆଶିଷେ
ଗୁଣୀ ଜନେ ସୁବିଦିତ ।
ତୁମ୍ଭରି ଆଶିଷେ କେତେ କବି କୁଳ
ରଚିଗଲେ ମହାକାବ୍ୟ,
ମୂର୍ଖରୁ ହୋଇଲେ ପଣ୍ଡିତରେ ଗଣା
ବଦଳିଲା ତାଙ୍କ ଭାଗ୍ୟ ।
ମହାକାଳିଦାସ, ବାଳମିକି ଅବା
ପଣ୍ଡିତ ସାରଳା ଦାସ,
ଜଗନ୍ନାଥ ଆଦି କବିଙ୍କ କଲମୁ
ଝରିଲା ପିୟୁଷ ରସ।
ସଦୟ ହୋଇଣ ଢାଳ ଗୋ ଆଶିଷ
ଦିଅ ବିଦ୍ୟା, ବୁଦ୍ଧି, ଜ୍ଞାନ,
ସଭିଙ୍କ ଓଠରୁ ଝରୁଥାଉ ସଦା
ପ୍ରୀତିପୂର୍ଣ୍ଣ ର ବଚନ ।
ରାଣାପ୍ରତାପ ଉଚ୍ଚ ବିଦ୍ୟାଳୟ, ବରଗଡ଼