ମାଲକାନଗିରି : ବର୍ତ୍ତମାନ ରାଜ୍ୟ ସାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଝୋଟି ବ୍ୟାଗ୍ ସମସ୍ତ ରେଶନ କାର୍ଡ ହିତାଧିକାରୀଙ୍କୁ ପ୍ରଦାନ କରୁଛନ୍ତି। ଏଥି ସହିତ ୧ହଜାର ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। କିଛି କିଛି ପଞ୍ଚାୟତ ମାନଙ୍କରେ ରାଜ୍ୟ ସରକାରଙ୍କ ବ୍ୟାଗ୍ ବଣ୍ଟନ ଅଭିଯାନ ଆରମ୍ଭ ହୋଇଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଭିନ୍ନ ପଞ୍ଚାୟତ ମାନଙ୍କରେ ବ୍ୟାଗ୍ ବଣ୍ଟନ କରାଯାଉଛି। ଆଜି ଏହି ବ୍ୟାଗ୍ ବଣ୍ଟନ କାର୍ଯ୍ୟକ୍ରମ କୁ କିଛି କିଛି ଜାଗାରେ ହିତାଧିକାରୀ ବିରୋଧ କରିଛନ୍ତି। ତେବେ ମାଲକାନଗିରି ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ଝୋଟି ବ୍ୟାଗ୍ ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଲେଖା ଥିବା ଶଙ୍ଖ ମାର୍କ ବ୍ୟାଗ୍ ପୋଡ଼ି ଦେଇଥିବା ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲା ସଦରମହକୁମା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାର ସମସ୍ତ ବିଜେପି କର୍ମକର୍ତ୍ତା ଏକତ୍ରିତ ହୋଇ ଘୋର ବିରୋଧ କରି 5ଟି ବ୍ୟାଗ୍ ଗୁଡ଼ିକରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଥିଲେ। ଏଥିସହିତ ନବୀନ ସରକାରଙ୍କ ମନମୁଖୀ ଶାସନ କୁ ବିରୋଧ କରିବା ସହିତ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନ ମୂର୍ଦାବାଦ ନାରା ଦେଇଥିବା ଦେଖିବାକୁ ମିଳିଥିଲା। ଏଥିସହିତ ଜିଲ୍ଲା ବିଜେପି ପକ୍ଷରୁ ନିର୍ବାଚନ ପୂର୍ବରୁ ନବୀନ ସରକାରଙ୍କ ମିଛ ପ୍ରତିଶ୍ରୁତି ର ପର୍ଦ୍ଦାଫାଶ କରିବେ ବୋଲି ଚେତାବନୀ ଦେଇଛନ୍ତି।

ମାଲକାନଗିରି ରୁ ପ୍ରଭାସ ପଣ୍ଡା ଙ୍କ ରିପୋର୍ଟ