ମାଲକାନଗିରି : ଆଜି ଚିତ୍ରକୋଣ୍ଡା ସଦର ମହକୁମାର ୮,୯ ଓ ୧୦ ନଂ ୱାର୍ଡର ଶତାଧିକ ମହିଳା ମାଠିଆ ଧରି ଚିତ୍ରକୋଣ୍ଡା ବ୍ଲକ ଅଫିସ ଗେଟରେ ତାଲା ପକାଇବା ସହ ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ବ୍ଲକ ଗେଟ ସମ୍ମୁଖରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମାଠିଆ ଧରି ବ୍ଲକ ଗେଟରେ ବସିବା ସହ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ସେମାନେ କଡ଼ା ଚେତାବନୀ ଦେଇଛନ୍ତି। ଚିତ୍ରକୋଣ୍ଡାର ବିଭିନ୍ନ ୱାର୍ଡରେ ଦୀର୍ଘ ବର୍ଷ ଧରି ପାନୀୟ ଜଳର ଉତ୍କଟ ସଙ୍କଟ ଲାଗି ରହିଥିଲେ ମଧ୍ୟ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛି ଜିଲ୍ଲା ପ୍ରଶାସନ। ଚିତ୍ରକୋଣ୍ଡା ସଦର ମହକୁମାର ଦୁର୍ଗା ମନ୍ଦିର ଠାରେ ୬ ବର୍ଷ ହେବ ନିର୍ମାଣ ଚାଲିଛି ମେଗା ଜଳ ପ୍ରକଳ୍ପ କାର୍ଯ୍ୟ। ଏହି ପାନୀୟଜଳ ପ୍ରକଳ୍ପ କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିଲେ ମଧ୍ୟ ଆଜି ଯାଏଁ ଟୋପାଏ ପାଣି ଲୋକଙ୍କ ଘରେ ପହଞ୍ଚି ପାରିନାହିଁ। ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟକାରୀ ହେବା ପର ଠାରୁ ପ୍ରତି ଅଭିଯୋଗ ଶୁଣାଣି ଶବିରରେ ଚିତ୍ରକୋଣ୍ଡା ସଦର ମହକୁମାର ବିଭିନ୍ନ ୱାର୍ଡର ପାନୀୟ ଜଳ ସମସ୍ୟା ସମ୍ପର୍କରେ ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରି ନାହିଁ । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାର, ବିଡ଼ିଓ, ବିଧାୟକଙ୍କୁ ସ୍ଥାନୀୟ ଲୋକମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ମହିଳାମାନେ ପ୍ରକାଶ କରିଛନ୍ତି। ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ପ୍ରଶାନ୍ତ ଭତ୍ରା ଓ ଚିତ୍ରକୋଣ୍ଡା ଥାନାଧିକାରୀ ମୁକୁନ୍ଦ ମେଲେକା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ କରୁଥିବା ମହିଳାମାନଙ୍କ ସହ ଆଲୋଚନା କରି ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏବେ ସୁଦ୍ଧା ବ୍ଲକ ଅଫିସ ଗେଟ ସମ୍ମୁଖରେ ମାଠିଆ ଧରି ବସି ରହିଛନ୍ତି ଶତାଧିକ ମହିଳା। ଯଦି ପାନୀୟ ଜଳ ଦେବାର ଜିଲ୍ଲା ପ୍ରଶାସନ ବିଫଳ ହେବ, ତେବେ ଆଗାମୀ ନିର୍ବାଚନ ରେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବେ ବୋଲି ମହିଳାମାନେ ପ୍ରକାଶ କରିଛନ୍ତି।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)