ସରି ନାହିଁ ୧୦ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ

(ପାନୀୟ ଜଳ ସଙ୍କଟରେ ମାଲକାନଗିରି ଗ୍ରାମାଞ୍ଚଳ)

ମାଲକାନଗିରି : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମାଲକାନଗିରି ଜିଲ୍ଲାର ବଣ ପାହାଡରୁ ନିର୍ଗତ ସମସ୍ତ ଝରଣା ବା ଜଳ ସ୍ରୋତ ଗୁଡ଼ିକ ଶୁଷ୍କ।
ନଦୀ,ଗାଡିଆ ତଥା ପୋଖରୀରେ ଜଳ ଶୂନ୍ୟ। ପଶୁ ପକ୍ଷୀ ମଧ୍ୟ ଜଳ ଉତ୍କଟ ଜଳ ସଙ୍କଟ ସମ୍ମୁଖୀନ। ପାନୀୟ ଜଳ ପାଇଁ ସର୍ବତ୍ର ହାହାକାର ପରିସ୍ଥିତି ଉତ୍ପନ୍ନ। ଏହି ପରିସ୍ଥିତିରେ ମାଲକାନଗିରି ଜିଲ୍ଲା ଗ୍ରାମ୍ଯ ଜଳ ଓ ପରିମଳ ବିଭାଗ ଦ୍ୱାରା ନିର୍ମାଣଧୀନ ୧୦ ଗୋଟି ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ମନ୍ଥର କାର୍ଯ୍ୟ ଯୋଗୁଁ ବର୍ତ୍ତମାନ ପାନୀୟ ଜଳ ଯୋଗାଣରେ ଚରମ ପ୍ରତିବନ୍ଧକ ଉଦ୍ରେକ ହୋଇଛି। ଏଥି ପାଇଁ ବିଭାଗୀୟ ଉଦାସୀନତା ଓ ଜିଲ୍ଲା ପ୍ରଶାସନ ନିଷ୍କ୍ରିୟତା କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।ଏହା ବ୍ୟତୀତ ବିଧାୟକ ଓ ସାଂସଦଙ୍କ ଦାୟିତ୍ଵ ହୀନତା ଯୋଗୁଁ ଏହି ମେଗା ଜଳଯୋଗାଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ନେତାମାନଙ୍କ ନିର୍ବାଚନୀ ମିଥ୍ୟା ପ୍ରତିଶ୍ରୁତି ଓ ନେତା ହେଲା ପରେ ସାଧାରଣ ଜନତା ଠାରୁ ମୁହଁ ଫେରାଇ ନେବା ଏକ ପ୍ରକାର ପ୍ରତାରଣା କହିଲେ ଅତ୍ୟୁକ୍ତି ହେବନାହିଁ। ବର୍ତ୍ତମାନ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ୧୦ ଗୋଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଚାଲିଛି। ତେବେ ଏହି କାର୍ଯ୍ୟାଦେଶ ଯେଉଁ କମ୍ପାନୀମାନେ ଟେଣ୍ଡର ମାଧ୍ୟମରେ କାର୍ଯ୍ୟ ହସ୍ତକୁ ନେଇ କାର୍ଯ୍ୟାରମ୍ଭ କରିଛନ୍ତି, ସେମାନଙ୍କ କାର୍ଯ୍ୟ କରିବା ନିର୍ଦ୍ଧାରିତ ସମୟସୀମା ସମାପ୍ତ ହୋଇଯାଇଥିଲେ ମଧ୍ୟ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଅଧୁରା ରହିଯାଇଛି। କାଲିମେଳା ବ୍ଲକ ରେ ବଡିଗେଟା,ଗମ୍ଫାକୋଣ୍ଡା, କାଲିମେଳା,କୋଇମେଟଲା ଓ ଭେଙ୍କଟ ପଲମ ଆଦି ୫ଟି ପଞ୍ଚାୟତ କୁ ନେଇ ମେଗା ପାଇପ୍ ୱଆଟର ସପ୍ଲାଇ ପ୍ରକଳ୍ପ ପାଇଁ ମୋଟ ୪୬.୦୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଏହି କାର୍ଯ୍ଯକୁ ତା: ୧୧.୯.୨୦୨୦ ରେ ଜେଏମସି-ଜେଡବ୍ଳୁଆଇଏଲ କମ୍ପାନୀ ଟେଣ୍ଡର ନେଇଛି। ତେବେ ଏହି କାର୍ଯ୍ଯ ୯.୯.୨୦୨୨ ରେ ସମାପ୍ତ ଲାଗି ଚୁକ୍ତି ସ୍ବାକ୍ଷରିତ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇ ନାହିଁ। ଏହି କାର୍ଯ୍ଯ ସମାପ୍ତ ହେଲେ ୫ଟି ପଞ୍ଚାୟତ ର ୨୧ ଗୋଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ହୋଇ ପାରିବ । ସେହିପରି ମାଲକାନଗିରି ଓ କାଲିମେଳା ବ୍ଲକ ର ବଦିଲି, ଗୋରା ଖୁଣ୍ଟିଆ,ମାଟାପକା, ଶିଖ ପଲ୍ଲୀ ଓ ତାମସା ଆଦି ୫ଟି ପଞ୍ଚାୟତ ପାଇଁ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୬୫.୭୩ କୋଟି ବ୍ୟୟ ଅଟକଳ ରଖାଯାଇଥିଲା ବେଳେ ଏହି କାର୍ଯ୍ଯକୁ ଟେଣ୍ଡର ମାଧ୍ୟମରେ ଜେଏମସି-ଜେଡବ୍ଳୁଆଇଏଲ କମ୍ପାନୀ ହାତକୁ ନେଇଛି । ଏହି କାମ ୧୧.୯.୨୦୨୦ରେ ନେଇଥିଲା ବେଳେ ଏହାର ସମାପ୍ତ ସମସ୍ତ ସୀମା ୯.୯.୨୦୨୨ ରହିଥିଲା। ବର୍ତ୍ତମାନ ଦୁଇ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ କାମ ର ପରିସାମପ୍ତି ନାହିଁ। ଏହି କାର୍ଯ୍ଯ ଶେଷ ହେଲେ ୩୩ ଗୋଟି ଗ୍ରାମବାସୀ ପାନୀୟ ଜଳ ପାଇପାରିବେ।କୋରୁକୋଣ୍ଡା ବ୍ଳକର ଚିତାପାରୀ-୩ ,ଡୁଡାମେଟା,କାମଵେଡା,କୋରୁକୋଣ୍ଡା,ମାରିବେଡା,ନିଳାକାମ୍ବେରୁ,ପୁରୂଣା ଚିମଟା ପଲ୍ଲୀ,ପଟ୍ରେଲ, ସୋମନାଥ ପୁର, ତାର୍ଲାକୋଟା,ଓ ତୁମସାପଲ୍ଲୀ,ଆଦି ୧୧ଟି ପଞ୍ଚାୟତ ର ୮୯ ଗୋଟି ଗ୍ରାମବାସୀ ପାନୀୟ ପାଇବା ପାଇଁ ୧୨୨.୭୪ କୋଟି ଟଙ୍କା ବ୍ୟୟ ଅଟକଳେ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ଲାଗି କେଇସି କାବେରୀ ମୁମ୍ବାଇ କମ୍ପାନୀ ଟେଣ୍ଡର ନେଇଛି। ଏହି କାମ ୧୦.୧୨.୨୦୨୧ ରେ ପାଇଥିଲା ବେଳେ ଏହାର ସମାପ୍ତି ଅବଧି ୯.୧୨.୨୦୨୩ ରହିଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି କାର୍ଯ୍ଯ ସମାପ୍ତି ହୋଇ ନାହିଁ।

ପଡିଆ ବ୍ଳକର ବାପନପଲ୍ଲୀ,ଗିରିକାନପଲ୍ଲୀ,କାଲଦାପଲ୍ଲୀ,ମାଟେରୁ,ନିଲିଗୁଡା, ପଡିଆ,ସିମିଳିବାଞ୍ଛା ଓ ଉଣ୍ତୁରୁକୋଣ୍ଡା ର ୮ଟି ପଞ୍ଚାୟତ ପାଇଁ
ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଲାଗି ୧୦୪.୮୯ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିଲା ବେଳେ ଏହି କାମ କରିବା ପାଇଁ କେଇସି କାବେରୀ ମୁମ୍ବାଇ କମ୍ପାନୀ ହାତକୁ ନେଇଛି। ଏହି କାମଟି ୯.୧୨.୨୦୨୧ ରେ ପାଇଥିଲା ବେଳେ ୯.୧୨.୨୦୨୩ ରେ ସମାପ୍ତ କରିବା ଲାଗି ଚୁକ୍ତିନାମା ରହିଥିଲା। ମାତ୍ର ଏହି କାର୍ଯ୍ଯ ବର୍ତ୍ତମାନ ସୁଦ୍ଧା ଶେଷ ହୋଇନାହିଁ। ଏହି କାମ ଶେଷ ହେଲେ ୪୮ ଗୋଟି ଗ୍ରାମବାସୀ ପାନୀୟ ଜଳ ପାଇ ପାରିବେ। ସେହିପରି ଚିତ୍ରକୋଣ୍ଡା ବ୍ଳକ ର ଅଣ୍ତ୍ରାପଲ୍ଲୀ, ଯନ୍ତ୍ରୀ,ଯୋଡାମ୍ବ,ଓ ପଣସପୁଟ ଆଦି ୪ଟି ପଞ୍ଚାୟତ ୫୮ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଲାଗି ୪୩.୧୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଏହି କାର୍ଯ୍ଯକୁ ଏମ/ଏସ ୟୁନିକର୍ନ ଇଣ୍ଡିଆ ଲିମିଟେଡ ଟେଣ୍ଡର ନେଇଛି। ଏହି କାମକୁ ୧୭.୩.୨୦୨୨ ରେ ନେଇଥିବା ବେଳେ ଏହାର ସମୟ ସୀମା ୧୬.୯.୨୦୨୩ ରହିଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା କାମର ସମାପ୍ତ ହୋଇ ନାହିଁ। ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ୫୮ ଗାଁ ଲୋକମାନେ ପାନୀୟ ଜଳ ଉପଯୋଗ କରିପାରିବେ । ସେହି ପରି ଚିତ୍ରକୋଣ୍ଡା ବ୍ଳକର ବଡପଦର ଓ ଚିତ୍ରକୋଣ୍ଡା ପଞ୍ଚାୟତ ପାଇଁ ମେଗା ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ସକାଶେ ୨୯.୫୨ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିଲା ବେଳେ ଏହି ପ୍ରକଳ୍ପ କାର୍ଯ୍ୟ ଏମ/ଏସ ୟୁନିକର୍ନ ଇଣ୍ଡିଆ ଲିମିଟେଡ ଟେଣ୍ଡର ନେଇଛି। ଏହି କାମକୁ ୩.୬.୨୦୨୨ ରେ ହାତକୁ ନେଇଥିବା ବେଳେ ଏହାର କାର୍ଯ୍ୟ ୨ .୧୨.୨୦୨୩ ରେ ସମାପ୍ତ ଲାଗି ଚୁକ୍ତିନାମା ସ୍ବାକ୍ଷର କରିଛି। ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ ହେଲା ୨୧ ଗୋଟି ଗାଁ ଲୋକେ ପାନୀୟ ଜଳ ପାଇପାରିବେ। ମାତ୍ର ଅଦ୍ୟାବଧି କାର୍ଯ୍ୟ ଶେଷ ହୋଇ ନାହିଁ। କାଲିମେଳା ବ୍ଲକ ର ବେଜାଙ୍ଗିୱାଡା,ଚିନ୍ତଲୱାଡା, ଚିତ୍ରାଙ୍ଗପଲ୍ଲୀ,ଗୁମୁକା, କାଙ୍ଗୁରୁକୋଣ୍ଡା,ଓ ମଙ୍ଗାପଲ୍ଲୀ ପଞ୍ଚାୟତ କୁ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ସକାଶେ ୮୨.୧୬ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିଲା ବେଳେ ଏହି ପ୍ରକଳ୍ପ କାର୍ଯ୍ୟ ଲାଗି ଏମ୍/ଏସ ଏସପିଏମଏଲ ଇନଫ୍ରା ଲିମିଟେଡ କମ୍ପାନୀ ଟେଣ୍ଡର ନେଇଛି। ଏହି ପ୍ରକଳ୍ପ ଶେଷ ହେଲେ ୩୩ ଗୋଟି ଗାଁ କୁ ପାନୀୟ ଜଳ ଯୋଗାଣ ହୋଇ ପାରିବ।ସେହି ପରି ଏହି ବ୍ଳକ ର ଭୁବନପଲ୍ଲୀ,ଲୁଗେଲ, ମହାରାଜାପଲ୍ଲୀ,ମାଲାଭରମ,ମନ୍ଯମକୋଣ୍ଡା,ମୋଟୁ,ନାଲାଗୁଣ୍ଠି,ପୁସଗୁଡା,ତଣ୍ଡାବାଇ,ତେଲେରାଇ,ଟିଗଲ, ପଞ୍ଚାୟତକୁ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୧୫୫.୫୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିଲା ବେଳେ ଏମ୍/ଏସ ଏସପିଏମଏଲ ଇନଫ୍ରା ଲିମିଟେଡ କମ୍ପାନୀ ଟେଣ୍ଡର ହାତକୁ ନେଇଛି। ଏହି ପ୍ରକଳ୍ପ ଶେଷ ହେଲେ ୮୬ଗୋଟି ଗାଁ ଲୋକମାନେ ପାନୀୟ ଜଳ ପାଇ ପାରିବେ। ତେବେ ଏହି ଦୁଇଟି ପ୍ରକଳ୍ପ ୧୫ ୨.୨୦୨୩ରେ କାର୍ଯ୍ୟ ହାତକୁ ନେଇଛି। କାର୍ଯ୍ୟ ଚାଲୁରହିଛି। ସେହିପରି ମାଲକାନଗିରି ଓ ମାଥିଲି ବ୍ଲକ ର ଚାଲାଣଗୁଡା, ଝରାପାଲ୍ଲୀ, ପଦ୍ମଗିରି,ପେଡାକୋଣ୍ଡା,ଶେର ପଲ୍ଲୀ,ତଣ୍ଡିକି,ଉଡୁପା,ଭଣ୍ଡାରୀପାଙ୍ଗାମ,ଭେଜାଗୁଡା,ଚେଡେଙ୍ଗା, କମାପଲ୍ଲୀ,କର୍ତ୍ତନପଲ୍ଲୀ, କଟାପାଲି,କିଆଙ୍ଗ,ମହୁପଦର,ମେକା,ସାଲିମ, ଟେମୁରପାଲ୍ଲୀ ଆଦି ୧୮ଟି ପଞ୍ଚାୟତ ୧୨୧ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ଏମ୍/ଏସ ଏସପିଏମଏଲ ଇନଫ୍ରା ଲିମିଟେଡ କମ୍ପାନୀ ଟେଣ୍ଡର ହାତକୁ ନେଇଛି। ଏହାର ଖର୍ଚ୍ଚ ଅଟକଳ ୨୦୭.୫୪ କୋଟି ରହିଛି। ଅନ୍ୟପକ୍ଷରେ ଖଇରପୁଟ, ମାଥିଲି, ମାଲକାନଗିରି ବ୍ଲକ ର ଅଣ୍ତ୍ରାହାଲ, ଗୋବିନ୍ଦ ପଲ୍ଲୀ,କଦମଗୁଡା,ଖଇରପୁଟ,କୁଡୁମୁଲଗୁମ୍ମା, ମୁଦୁଲି ପଡ଼ା,ପରକନମାଲା,ପୋଡାଘାଟ,ରାସବେଢା, ବିଏଲପୁର , ଗଙ୍ଗାଲା,ଗଉଡଗୁଡା,ମାର୍କାପଲ୍ଲୀ,ପାଣ୍ଡ୍ରିପାଣି,ପେଦାବାଡା,ସିନ୍ଧ୍ରିମାଳ, ତମସା,ଆମ୍ବାଗୁଡା,ଚାଉଳମେନ୍ଦି,ଦଳପତିଗୁଡା,ଧୂଙ୍ଗିଆପୁଟ,କୁଟୁନିପଲ୍ଲୀ, ମାଥିଲି,ନାୟକଗୁଡା,ପାଙ୍ଗାମ,ଉଦଦୁଲିବେଡା ଆଦି ୨୬ଟି ପଞ୍ଚାୟତ ପାଇଁ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ସକାଶେ ୩୦୯.୦୭କୋଟି ବ୍ଯୟ ଅଟକଳ ରେ ଏମ୍/ଏସ ଏସପିଏମଏଲ ଇନଫ୍ରା ଲିମିଟେଡ କମ୍ପାନୀ ଟେଣ୍ଡର ହାତକୁ ନେଇଛି। ଏହି ପ୍ରକଳ୍ପ ଶେଷ ହେଲେ ୨୧୦ଗୋଟି
ଗ୍ରାମକୁ ପାନୀୟ ଜଳ ଯୋଗାଣ ହୋଇ ପାରିବ। ଏହି ଦୁଇଟି ପ୍ରକଳ୍ପ ୧୫.୨.୨୦୨୩ ରେ ନିର୍ମାଣ ପାଇଁ ଟେଣ୍ଡର ନେଇଥିବା ବେଳେ କାର୍ଯ୍ୟ ଚାଲୁରହିଥିବା କୁହାଯାଉଛି। ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକଳ୍ପ ର ସମାପ୍ତି ହୋଇ ନଥିବା ବେଳେ ଗ୍ରାମାଞ୍ଚଳରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଯାଇଛି।

(ରିପୋର୍ଟ:  ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *