ଆମ ଅକ୍ଷୟ ତୃତୀୟା

(କବି କେଶବ ଚନ୍ଦ୍ର ନାୟକ)

ଚାଷୀ ପୁଅ ମୁଣ୍ଡେ ଧରି ଅକ୍ଷିମୁଠି ଧାନ
ଟୋକେଇରେ ଲଗାଇଛି ସିନ୍ଦୁର ଚନ୍ଦନ ।୧।
ସୁଦ୍ଧ ସ୍ନାନ କରି ପିନ୍ଧି ଅଛି ଧଳା ଧୋତି
ମୁଣ୍ଡେ ବାନ୍ଧିଣ ପଗଡ଼ି ଚଳଇ ଝଟତି ।୨।
ଯୋଡି ବଳଦ ସହିତ ଲଙ୍ଗଳ ଯୁଆଳି
ଯୋଚିଛି ପଘାରେ କଷି ନପାରିବ ଗଳି ।୩।
ଗାଧେଇ ଦେଇଛି ଯୋଡ଼ା ବନ୍ଦକୁ ତା’ର
ମଥାରେ ଟାଣି ଦେଇଛି ସିନ୍ଦୂରର ଗାର ।୪।
ବେକରେ ଘଣ୍ଟି ଘାଗୁଡି ବାଜେ ଟିଣି ଟିଣି
କି ସୁନ୍ଦର ଚାଲି ଦେଖ ହୃଦ ନିଏ ଜିଣି ।୫।
ବଇଶାଖ ମାସ ଶୁକ୍ଳ ତୃତୀୟା ଦିନରେ
ଅକ୍ଷିମୁଠି ଅନୁକୂଳ ହୋଅଇ ବିଧିରେ ।୬।
ଐଶାନ କୋଣେ ଧାନ ଟୋକେଇ ଥୋଇଣ
ପୂଜାର୍ଚ୍ଚନା କରିବ ମାତା କମଳା ସ୍ମରିଣ ।୭।
ପୁଷ୍ପ ଧୂପ ଦୀପ ଦେବ ଧାନ ପାଶେ ନେଇ
ମାତା ଲକ୍ଷ୍ମୀ ପୂଜିଣ ଅକ୍ଷି ବୁଣିବଟି ସେହି ।୮।
ଲଙ୍ଗଳ ଚଳାଇ ଛାଟିଣ ଧାନ ମୁଠା ମୁଠା
ଫେରିବ ଗୃହକୁ ପୂଜି ଖାଇବ ଯେ ପିଠା ।୯।
କୃଷକ ଦିବସ କହି ସରକାର ପାଳେ
ମନ୍ତ୍ରୀ ବିଧାୟକ ହଳ ଲଙ୍ଗଳ ସଞ୍ଚାଳେ ।୧୦।
ଓଡ଼ିଶାର ମହା ପର୍ବ ଅକ୍ଷୟ ତୃତୀୟା
ମାତା ଅନ୍ନପୂର୍ଣ୍ଣା ସଦା ଓଡ଼ିଶାକୁ ସାହା ।୧୧।
ଜଗନ୍ନାଥ ଓଡ଼ିଆଙ୍କ ସେ ମଉଡମଣି
ଏହି ଦିନେ ରଥ ଅନୁକୂଳ ହୁଏ ପୁଣି ।୧୨।
ଏହି ଦିନେ ଘର ଦ୍ବାରା ନିର୍ମାଣ ଆରମ୍ଭ
କଲେ ଶୁଭ ହୋଇଥାଏ ଗୃହ ହୁଏ ଦମ୍ଭ ।୧୩।
ଏ ଶୁଭ ଦିନରେ କରେ ଯେ ବିବାହ ବ୍ରତ
ଅତି ମଙ୍ଗଳ ଦାୟକ ବୋଲି ବୋଲନ୍ତି ପଣ୍ତିତ ।୧୪।
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Leave a Reply

Your email address will not be published. Required fields are marked *