ମାଲକାନଗିରି। ଜନସ୍ବାସ୍ଥ୍ୟ ଦ୍ବାରା ମାଲକାନଗିରି ପୌରାଞ୍ଚଳକୁ ଦୈନିକ ପାନୀୟ ଜଳ ଯୋଗାଣ ୬.୫ଏମଏଲଡି ବା (୬୫ଲକ୍ଷ ଲିଟର) ହେଉ ଥିବା ବେଳେ ଏହି ଜଳ ସତୀଗୁ୍ଡା ଡ୍ୟାମରୁ ସଂଗ୍ରହ କରାଯାଇଥାଏ । ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ସତୀ ଗୁଡା ଡ୍ୟାମ ଜଳ ପତ୍ତନ ଦ୍ରୁତ ଗତିରେ ହ୍ରାସ ପାଇଛି।ଫଳରେ ପାନୀୟ ଜଳ ଯୋଗାଣରେ ବାଧାପ୍ରାପ୍ତ ହୋଇଛି। ସପ୍ତାହ ହେଲା ପୌରାଞ୍ଚଳକୁ ପାନୀୟ ଜଳ ଦିନେ ଆସିଲେ ଦିନେ ନାହିଁ। ଦୁଇଟି ମଟର ପମ୍ପ ଯୋଗେ ଜଳ ଉଠା ଯାଉଥିବା ବେଳେ ବର୍ତ୍ତମାନ ଗୋଟିଏ ପମ୍ପ ଅଚଳ। ଅନ୍ୟ ଏକ ପମ୍ପ ପରିସରରେ ଜଳ ପରିମାଣ ହ୍ରାସ ଯୋଗୁଁ ଆଜି ଏକ ପ୍ରୋକ୍ଲେନ
ଦ୍ବାରା ମୁହାଣକୁ ଖନନ କରା ଯାଇଛି । ଆଜି ପୌରାଞ୍ଚଳର ଏମର୍ଜେନ୍ସ ଅଞ୍ଚଳକୁ ସ୍ବଳ୍ପ ପାନୀୟ ଜଳ ଯୋଗାଣ ହୋଇଥିବା ଜଣାପଡିଛି।ବାକି ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ହୋଇ ପାରି ନାହିଁ।
ପ୍ରକାଶ ଥାଉ କି ସତୀ ଗୁଡା ଡ୍ୟାମଟି ୧୯୬୫ ମସିହାରେ ନିର୍ମାଣ କରାଯାଇଥିଲା ବେଳେ ଆଜକୁ ଦୀର୍ଘ ୫୯ ବର୍ଷ ହେଲା ପରେ ମଧ୍ୟ ସତୀ ଗୁଡା ବନ୍ଧକୁ ପୁନରୁଦ୍ଧାର କରାଯାଇପାରି ନାହିଁ । ଫଳରେ ଏହାର ଚତୁଃପାର୍ଶ୍ଵ ଧୀରେ ଧୀରେ ପୋତି ହୋଇ ଏହାର କ୍ଷେତ୍ରଫଳ ସଂକୁଚିତ ହେବାରେ ଲାଗିଛି। ଏହାର ଶଯ୍ୟା ପଙ୍କୋଦ୍ଧାର ନହେବା ଯୋଗୁଁ ଜଳ ଧାରଣ କ୍ଷମତା ହ୍ରାସ ପାଇଛି। ଏହି ଡ୍ଯାମରୁ ଖରିଫ ଋତୁରେ ଜଳ ୯୦୬୫ ହେକ୍ଟର ଏବଂ ରବି ଋତୁରେ ଜଳ ୪୫୩୫ ହେକ୍ଟର କୃଷି କ୍ଷେତ୍ରକୁ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସତୀଗୁଡା ଡ଼୍ୟାମ ରେ ଜଳ ସଙ୍କଟ ଦେଖା ଦେଇଥିଲେ ବେଳେ କୃଷିକ୍ଷେତ୍ରକୁ ଜଳ ଯୋଗାଣ କରାଯାଉଥିବା ଦେଖିବାକୁ ମିଳିଛି । ଯାହା କି ମଇ ଏବଂ ଜୁନ ମାସ ପାଇଁ ଉତ୍କଟ ପାନୀୟ ଜଳ ସଙ୍କଟ ଦେଖା ଦେବ। ବର୍ତ୍ତମାନ ପୌରାଞ୍ଚଳରେ ପ୍ରାୟ ୪୩ ହଜାର ଲୋକସଂଖ୍ୟା ରହିଥିବା ବେଳେ ଆଗକୁ ଉତ୍କଟ ପାନୀୟ ଜଳ ସଙ୍କଟ କିପରି ସମାଧାନ ହେବ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ମାଲକାନଗିରି ପୌରପରିଷଦ ରେ ୧୯ ଗୋଟି ୱାର୍ଡ ରହିଥିବା ବେଳେ ସବୁ ୱାର୍ଡରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବୋଲି ନବୀନ ପଟ୍ଟନାୟକଙ୍କ ଫଟୋ ସହ ହୋଡିଂ ଲାଗାଯାଇ ପ୍ରଚାର କରିବା ଏକ ପ୍ରକାର ପ୍ରହସନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଣେ ନବୀନବାବଙ୍କ ୨୫ ବର୍ଷ ର ଶାସନ କାଳ ମଧ୍ୟରେ ସତୀଗଡା ଡ଼୍ୟାମର ପୁନରୁଦ୍ଧାର ହୋଇ ପାରି ନାହିଁ। ବର୍ତ୍ତମାନ ନିର୍ବାଚନ ସମୟ ଓ ନେତାମାନଙ୍କ ଜୋରସୋରରେ ପ୍ରଚାର ଚାଲିଥିବା ବେଳେ ମାଲକାନଗିରି ପୌରାଞ୍ଚଳରେ ଥିବା ୪୩,୦୦୦ ଲୋକମାନେ ଉତ୍କଟ ପାନୀୟ ଜଳ ସଙ୍କଟର ସମ୍ମୁଖୀନ। ବର୍ତ୍ତମାନ ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ରାମ ଚନ୍ଦ୍ର ପ୍ରଧାନ ଉତ୍କଟ ପାନୀୟ ଜଳ ସଙ୍କଟ ସଂପର୍କରେ ମାଲକାନଗିରି ଜିଲ୍ଲାପାଳ ଏବଂ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଏ ସଂପର୍କରେ ଅବଗତ କରାଇଥିବା ଗଣମାଧ୍ୟମକୁ ଅବଗତ କରାଇଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)