ମାଲକାନଗିରି : ଓର୍କେଲ ପୋଲିସ ଦ୍ବାରା ୪ ଜଣ ଗଞ୍ଜେଇ ଚୋରା ଚାଲାଣ କାରୀ ଗିରଫ ହୋଇ ଥିବା ବେଳେ ସେମାନଙ୍କ ନିକଟରୁ ୫୨୫ କିଲୋ ଗଞ୍ଜେଇ ଜବତ ହୋଇଛି। ଚିତ୍ରକୋଣ୍ଡା ଅଞ୍ଚଳରୁ ସିରିପାଲ୍ଲୀ ଘାଟି ଦେଇ ଏକ ଅଟୋ ଦ୍ବାରା ବିପୁଳ ପରିମାଣର ଗଞ୍ଜେଇ ଛତିଶଗଡ ରାଜ୍ୟକୁ ଚୋରାଚାଲାଣ ହେଉଥିବା ଖବର ପାଇ ଓର୍କେଲ ଥାନାଧିକାରୀ ଧିରେନ ପଟ୍ଟନାୟକଙ୍କ ନେତୃତ୍ୱରେ ସବ ଇନସ୍ପେକ୍ଟର ମନୋହର ସାହୁ ଏବଂ ତାଙ୍କ ଟିମ ନିଳାକାମ୍ବେରୁ ଗ୍ରାମ ଶେଷରେ ଥିବା ଗଣେଶ ମନ୍ଦିର ନିକଟରେ ଜଗି ରହିଥିଲେ। ଏକ ଅଟୋ ଏବଂ ବାଇକ ବିପରିତ ପଟୁ ଦ୍ରୁତ ଗତିରେ ଆସୁଥିବା ଦେଖି ଓର୍କେଲ ପୋଲିସ ଉଭୟ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଅଟୋ ରେ କିଛି ବସ୍ତା ରହିଥିବା ଦେଖିବାକୁ ପାଇଥିଲେ। ପରେ ଉକ୍ତ ବସ୍ତାରେ ୫୨୫ କେଜି ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା।ପୋଲିସ ତୁରନ୍ତ ଅଟୋରେ ବସିଥିବା ୩ ଜଣ ଅଭିଯୁକ୍ତ ଏବଂବାଇକରେ ଥିବା ଅନ୍ୟ ଜଣେ ତାଙ୍କ ସହଯୋଗୀଙ୍କୁ କାବୁ କରି ଓରକେଲ ଥାନାକୁ ଆଣିଥିଲେ। ଥାନାରେ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ସେମାନେ ଚିତ୍ରକୋଣ୍ଡାରୁ ଛତିଶଗଡ ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ସ୍ବୀକାର କରିଥିଲେ। ଅଭିଯୁକ୍ତଙ୍କ ନିକଟରୁ ଅଟୋ ସମେତ ଏକ ମୋଟରସାଇକେଲ, ନଗଦ ୩୦ ହଜାର ଟଙ୍କା, ୪ ଟି ମୋବାଇଲ ପୋଲିସ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ଜଣାପଡିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଜଗନ୍ନାଥ ଖିଲ, ଜଗତରାଜ ରୁଙ୍ଗୁଡା, ବସନ୍ତ ମୁଦୁଲି ଏବଂ ସୁବାସ କିର୍ଷାନୀ। କେସ ନଂ- ୧୮୧/୨୪ ସହ ୟୁ/ଏସ ୨୦(ବି)i୨ସି/୨୫/୨୭-ଏ/୨୯ ଦ୍ବାରା ଏନଡିପିଏସ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)