ଚିତ୍ରକୋଣ୍ଡା ସଂରକ୍ଷିତ ଆସନ ପାଇଁ ୫ ପ୍ରାର୍ଥୀ କଲେ ନାମାଙ୍କନ

ମାଲକାନଗିରି : ଆଜି ହେଉଛି ନାମାଙ୍କନ ପତ୍ର ଦାଖାଲ କରିବାର ଶେଷ ଦିନ।ଚିତ୍ରକୋଣ୍ଡା ବିଧାନସଭା ଆସନଟି ଆଦିବାସୀ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିଲା ବେଳେ ଆଜି ୫ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏହି ଆସନରୁ ବିଜେପି , ଅଖିଳ ଭାରତୀୟ ହିନ୍ଦୁ ମହାସଭା , ଜନତା ଦରବାର ପାର୍ଟି , ଆମ ଆଦମୀ ପାର୍ଟି ଏବଂ ଜଣେ ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।ଭାରତୀୟ ଜନତା ପାର୍ଟିର ଡମ୍ବରୁ ସୀସା, ଅଖିଳ ଭାରତୀୟ ହିନ୍ଦୁ ମହାସଭାର ପଦିଆ ପଡ଼ିଆମି, ଜନତା ଦରବାର ପାର୍ଟି ର ଲକ୍ଷ୍ମଣ ମାଡ଼କାମି , ସ୍ବାଧୀନ ଭାବେ ଘେନୁ ମୁଦୁଲି ଏବଂ ଆମ ଆଦମୀ ପାର୍ଟିର ଶରତ ଚନ୍ଦ୍ର ବୁରୁଦା ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଶେଷ କରି ମାଲକାନଗିରି ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଏହାକୁ ଭୃକ୍ଷେପ ନକରି ବିଜେପିର ପ୍ରାର୍ଥୀ ଡମ୍ବରୁ ସୀସା ନିଜର ଶକ୍ତି ପ୍ରଦର୍ଶନ କରି ନିଜର ହଜାର ହଜାର କର୍ମୀ ଓ ସମର୍ଥକମାନଙ୍କ ସହ ଏକ ବିରାଟ ପଟୁଆରରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିଜର ପାରମ୍ପାରିକ ବଣ୍ଡା ନାଚର ତାଳେତାଳେ ମାଲକାନଗିରି ଠାରେ ବିରାଟ ଶୋଭାଯାତ୍ରା ରେ ବାହାରି ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ପୂର୍ବରୁ ଡମ୍ବରୁ ସୀସା ଚିତ୍ରକୋଣ୍ଡା ଆସନରୁ ବିଜେଡି ଟିକେଟ ରେ ଲଢି ବିଜୟ ଲାଭ କରିଥିଲେ।

କିନ୍ତୁ ୨୦୧୯ରେ ତାଙ୍କୁ ବିଜେଡି ପ୍ରାର୍ଥୀ ନ କରି ଜଣେ ସରକାରୀ କିରାଣୀ ପୂର୍ଣ୍ଣ ଚନ୍ଦ୍ର ବକାଙ୍କୁ ବିଜେଡି ଟିକେଟ ଦେଇ ଏହି ଆସନରେ ବିଜୟ ଲାଭ କରିଥିଲା । ବର୍ତ୍ତମାନ ୨୦୨୪ ନିର୍ବାଚନ ରେ ବିଜେଡି ଡମ୍ବରୁ ସୀସା ଙ୍କୁ ଟିକେଟ ନ ମିଳିବା ସମ୍ଭାବନା ଥିବା ହୃଦବୋଧ କରି ଶେଷ ମୁହୂର୍ତ୍ତରେ ଶେଷ ଦଳ ପରିବର୍ତ୍ତନ କରି ବିଜେପି ର ହାତ ଧରି ଥିଲେ। ବିଜେପି ଡମ୍ବରୁ ସୀସା ଙ୍କୁ ଟିକେଟ ପ୍ରଦାନ କରିଥିଲା ବେଳେ ସେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ତେବେ ସେ ଆଗକୁ ନିର୍ବାଚନ ଜିତିବା ପାଇଁ ବେଶ୍ ଆଶାବାଦୀ ଅଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଗ୍ୟାରେଣ୍ଟି ମୁଦ୍ଦା ନେଇ ଲୋକଙ୍କ ପାଖକୁ ପହଞ୍ଚିବେ ବୋଲି କହିଛନ୍ତି। ଗତକାଲି ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲା। ବିଜେଡି ପକ୍ଷରୁ ଲକ୍ଷ୍ମୀପ୍ରିୟା ନାୟକ ଏବଂ କଂଗ୍ରେସର ମଙ୍ଗୁ ଖିଲୋ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ତେବେ ଆଗାମୀ ନିର୍ବାଚନ ମନରେ ବିଜେଡି, କଂଗ୍ରେସ ଓ ବିଜେପି ସହିତ କଢ଼ା ମୁକାବିଲା ହେବା ଜଣା ପଡ଼ିଛି। କିଏ ଏହି ଆସନରୁ ବିଜୟ ଲାଭ କରିବ କହିବା କଠିନ।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *