ଚିତ୍ରକୋଣ୍ଡା: ବିଜେଡିରୁ ଲକ୍ଷ୍ମୀ ପ୍ରିୟା, କଂଗ୍ରେସରୁ ମଙ୍ଗୁ ଖିଲ, ବିଜେପିରୁ ଡମ୍ବରୁ ଶିଶାଓ ଆପରୁ ଶରତ ବୁରୁଦାଙ୍କ ନାମ ଘୋଷଣା

ମାଲକାନଗିରି : ବର୍ତ୍ତମାନ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନୀ ମଣ୍ଡଳୀ ରୁ କଂଗ୍ରେସରୁ ମଙ୍ଗୁ ଖିଲ, ବିଜେପିର ଡମ୍ବରୁ ଶିଶା ଏବଂ ବିଜେଡି ରୁ ଲକ୍ଷ୍ମୀ ପ୍ରିୟା ନାୟକ ଏବଂ ଆମ୍ ଆଦମୀ ପାର୍ଟିରୁ ଶରତ ଚନ୍ଦ୍ର ବୁରୁଦାଙ୍କ ନାମ ଘୋଷଣା କରାଯାଇଛି। ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ଲଷ୍ମୀପ୍ରିୟା ନାୟକଙ୍କ ନାମ ଘୋଷଣା ହେବା ପରେ ବହୁ ବାଦ ବିବାଦ ଓ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବିଜେଡ଼ି ସୁପ୍ରିମୋ ଆଜି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ଲକ୍ଷ୍ମୀ ପ୍ରିୟା ଙ୍କ ନାମ ଘୋଷଣା କରିଛନ୍ତି । ବିଜୁ ଜନତା ଦଳର ଜିଲ୍ଲା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ ଙ୍କୁ ଭରସା କରି ଟିକେଟ ଦେଇଛି । ସେ ୨୦୧୯ ର୍ନିବାଚନରେ କଂଗ୍ରେସ ଦଳରୁ ଟିକେଟ ପାଇ ବିଧାୟିକା ଭାବେ ଚିତ୍ରକୋଣ୍ଡା ଆସନରୁ ଲଢ଼ିଥିଲେ ଲକ୍ଷ୍ମୀ ପ୍ରିୟା।କିନ୍ତୁ ୨୫୪୫ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ନିଜ ଦଦା ପୂର୍ଣ୍ଣ ଚନ୍ଦ୍ର ବାକାଙ୍କ ଠାରୁ ପରାସ୍ତ ହୋଇଥିଲେ ଝିଆରୀ ଲକ୍ଷ୍ମୀ ପ୍ରିୟା ନାୟକ। ଗତ ପଞ୍ଚାୟତ ନିର୍ବାଚନ ସମୟରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିରେ ସେ ଯୋଗଦେଇ ଥିଲେ । ମାଥିଲି – ୩ ଜିଲ୍ଲା ପରିଷଦ ଜୋନ୍ ଆସନରୁ ବିଜେଡି ଟିକେଟ ପାଇ ଜିଲ୍ଲା ପରିଷଦ ମେମ୍ବର ଭାବେ ନିର୍ବାଚିତ ହୋଇଥିଲେ । ଆଶା ଥିଲା ସେ ଜିଲ୍ଲା ପରିଷଦ ସଭାପତି ହେବେ । କିନ୍ତୁ ଦଳ ସମାରୀ ଟାଙ୍ଗୁଲଙ୍କୁ ଜିଲ୍ଲା ପରିଷଦ ସଭାପତି କରି ଥିଲା। ତେବେ ତାଙ୍କୁ ଖୁସି କରେଇବା ପାଇଁ ମହିଳା ବିଜେଡିର ଜିଲ୍ଲା ସଭାପତି ଦାୟିତ୍ବ ପ୍ରଦାନ କରିଥିଲେ। ତେବେ ଲକ୍ଷ୍ମୀ ପ୍ରିୟା ଙ୍କ ମାନଭଞ୍ଜନ ପାଇଁ ବିଧାୟକ ଟିକେଟ ଦେବା ପାଇଁ ଦଳ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ବିଜେଡି ଟିକେଟ ପାଇଁ ଏଠାରେ ୯ ଜଣ ପ୍ରାର୍ଥୀ ଆଶାୟୀ ଥିବାରୁ ବିଜେଡି କାହାକୁ ଟିକେଟ ଦେବା ଦ୍ବନ୍ଦରେ ପଡି ଟିକେଟ ଦେବାରେ ବିଳମ୍ବ କରିଥିଲା। ଶେଷରେ ଲକ୍ଷ୍ମୀ ପ୍ରିୟା ନାୟକଙ୍କ ଉପରେ ଦଳ ଭରସା କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ନାମରେ ମୋହର ଲଗାଇଛନ୍ତି। ଚିତ୍ରକୋଣ୍ଡା ବିଧାୟକ ପ୍ରାର୍ଥି ଭାବେ କଂଗ୍ରେସ ଦଳ ପକ୍ଷରୁ ମଙ୍ଗୁ ଖୁଲଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ମଙ୍ଗୁ ଖିଲ କଂଗ୍ରେସ ପାଇଁ ନୂଆ ଚେହେରା।ସେ ପୂର୍ବରୁ ସୋମନାଥ ପୁର ପଞ୍ଚାୟତ ର ସରପଞ୍ଚ ଥିଲା ବେଳେ କୋରୁକୋଣ୍ଡା ଜୋନରୁ ସେ ଜିଲ୍ଲା ପରିଷଦ ସଦସ୍ୟ ଭାବେ ବିଜୟ ହାସଲ କରିଥିଲେ। ସେହିପରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ଡ଼ମ୍ବରୁ ଶିଶିଙ୍କ ନାମରେ ବିଜେପି ମୋହର ମାରିଛି। ଡମ୍ବରୁ ଶିଶା ୨୦୧୪ ରେ ବିଜେଡି ଟିକେଟ ରେ ବିଧାୟକ ଭାବେ ବିଜୟ ହାସଲ କରିଥିଲେ। ମାତ୍ର ବିଜେଡି ୨୦୧୯ର ତାଙ୍କୁ ବିଧାୟକ ପାଇଁ ଟିକେଟ ନ ଦେଇ ଜଣେ ସରକାରୀ କର୍ମଚାରୀ ପୂର୍ଣ୍ଣ ଚନ୍ଦ୍ର ବାକାକୁ ଟିକେଟ ଦେଇଥିଲା। ସେତେବେଳେ ଶ୍ରୀ ବାକା ୪୧,୧୯୨ ଭୋଟ ପାଇ ବିଜୟ ହୋଇଥିଲା ବେଳେ କଂଗ୍ରେସ ଟିକେଟ ରେ ଲକ୍ଷ୍ମୀ ପ୍ରିୟା ନାୟକ ୩୮,୬୪୭ ପାଇଁ ଅର୍ଥତ ୨୫୪୫ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ବର୍ତ୍ତମାନ ବିଜେଡି ପୁନର୍ବାର ପୂର୍ଣ୍ଣ ଚନ୍ଦ୍ର ବାକା ଉପରେ ଆଉ ଭରସା ନକରି ଲକ୍ଷ୍ମୀପ୍ରିୟା ନାୟକଙ୍କ ଉପରେ ଭରସା କରି ଟିକେଟ ପ୍ରଦାନ କରିଛି। ଲକ୍ଷ୍ମୀ ପ୍ରିୟା ନାୟକଙ୍କ ବିଜେଡି ଟିକେଟ କାଟିବା ଲାଗି ବଡଧରଣର ଚକ୍ରାନ୍ତ ଦଳ ମଧ୍ୟରେ ଚାଲିଥିଲା । ଶେଷରେ ଦଳ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଲକ୍ଷ୍ମୀ ପ୍ରିୟା ନାୟକଙ୍କ ନାମ ଘୋଷଣା କରିଛି। ସେହି ପରି କଂଗ୍ରେସ ଟିକେଟ ପାଇଁ ଆଶାୟୀ ଥିବା ଶରତ ଚନ୍ଦ୍ର ବୁରୁଦାଙ୍କ ଟିକେଟ କାଟିବା ପରେ ସେ ଆମ୍ ଆଦମୀ ପାର୍ଟିରେ ମିଶିଛନ୍ତି। ତାଙ୍କୁ ମଧ୍ୟ ଆମ୍ ଆଦମୀ ପାର୍ଟି ଟିକେଟ ଆଜି ଘୋଷଣା କରିଛି ।ଶ୍ରୀ ବରୁଦା ୨୦୧୪ ରେ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନୀ ମଣ୍ଡଳୀ ରୁ ବିଜେପି ରୁ ବିଧାୟକ ଭାବେ ଲଢି ୧୭, ୫୭୮ ଅର୍ଥାତ୍ ୧୫.୫ ପ୍ରତିଶତ ଭୋଟ ପାଇ ଥିଲେ । ପରେ ସେ ଦଳ ବଦଳାଇ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ମାତ୍ର କଂଗ୍ରେସ ଶେଷ ମୂହୁର୍ତ୍ତ ରେ ଟିକେଟ ନ ଦେବା ଯୋଗୁଁ ବାଧ୍ୟ ହୋଇ ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇଥିଲେ । ତେବେ ଚିତ୍ରକୋଣ୍ଡା ଆସନରେ ୨୦୧୪ ଓ ୨୦୧୯ ଲଗାତାର ଭାବେ ବିଜେଡି ବିଜୟ କରିଛି। ୨୦୦୯ ରେ ଏହି ଆସନରୁ କଂଗ୍ରେସରୁ ମମତା ମାଡି ବିଜୟ ହାସଲ କରିଥିଲେ। ବର୍ତ୍ତମାନ କଂଗ୍ରେସ ବିଧାୟକ ଭାବେ ଏକ ନୂତନ ପ୍ରାର୍ଥୀ ଦେଇଥିଲା ବେଳେ ଡମ୍ବରୁ ଶିଶା ଥରେ ବିଧାୟକ ଭାବେ ବିଜୟ ହାସଲ କରିଥିଲେ। ଲକ୍ଷ୍ମୀ ପ୍ରିୟା ନାୟକ ଏବଂ ଶରତ ଚନ୍ଦ୍ର ବୁରୁଦା ବିଧାୟକ ଭାବେ ଲଢି ହାରିଯାଇଥିଲେ ।

(ରିପୋର୍ଟ: ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *