କୋଲାବିରାରେ ବିଜେପିର ନାରୀ ଶକ୍ତି ବନ୍ଦନା ସମାବେଶ
ଗାଁ ଗହଳିରୁ ଭାଗ ନେଲେ ହଜାର ହଜାର ମହିଳା

ଝାରସୁଗୁଡା, କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦିଂକ ନେତୃତ୍ବାଧିନ ବିଜେପି ସରକାର ଝାରସୁଗୁଡା ଜିଲ୍ଲାରେ ଘରେ ଘରେ ପାଇପ ଯୋଗେ ପାଣି ପହଂଚାଇବା ଲାଗି ୨୦୫ କୋଟି ଟଂକାର ଅନୁଦାନ ଯୋଗାଇ ଦେଲେ । ମାତ୍ର ଅପାରଗ ଓଡିଶା ରାଜ୍ୟର ନବୀନ ସରକାର ଏହି ଅନୁଦାନ ବିନିଯୋଗ କରି ଠିକ ସମୟରେ ପାଣି ପହଂଚାଇ ପାରିଲା ନାହିଁ । ଦୁଇ ବର୍ଷ ହେଲା ଘର ଆଗରେ ଷ୍ଟାଣ୍ଡ ପୋଷ୍ଟ ଗୁଡିକ ଖୁଣ୍ଟ ସଦୃଶ ଛିଡା ହୋଇଛି । ମାତ୍ର ପାଣି ଆସୁନାହିଁ । ପଡୋଶୀ ଛତିଶଗଡ ଓ ଝାଡଖଣ୍ଡ ଭଳି ରାଜ୍ୟରେ ଯଦି ସେଠିକାର ସରକାର ଲୋକଂକୁ ସ୍ବଚ୍ଛ ନିର୍ମଳ ପାଣି ଯୋଗାଇ ପାରୁଛନ୍ତି ତାହେଲେ ଆମ ରାଜ୍ୟରେ କାହିଁକି ନୁହେଁ । ୨୫ ବର୍ଷ ଧରି ରାଜ୍ୟରେ ଶାସନ କରି ଆସୁଥିବା ଏହି ସରକାର କେତେ ଦାୟିତ୍ବ ସଂପନ୍ନ ଲୋକେ ବିଚାର କରନ୍ତୁ । ସମୟ ଆସିଛି ଅପାରଗ ସରକାରକୁ ହଟାଇ ରାଜ୍ୟରେ ଡବଲ ଇଂଜିନର ସରକାର ସ୍ଥାପନ କରିବା । ମାଁ ଭଉଣୀ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକ ଆହ୍ବାନକୁ ଗ୍ରହଣ କରି ଉଭୟ ବିଧାନସଭା ଓ ଲୋକସଭା ପାଇଁ ବିଜେପି ପ୍ରାର୍ଥୀଂକୁ ବିଜୟୀ କରାନ୍ତୁ ବୋଲି ରାଜ୍ୟ ବିଜେପି ସଂପାଦକ ଯୁବନେତା ଟଂକଧର ତ୍ରିପାଠୀ ନିବେଦନ କରିଛନ୍ତି ।
ଆଜି କୋଲାବିରା ଠାରେ ବିଜେପି ପକ୍ଷରୁ ଆୟୋଜିତ “ନାରୀ ଶକ୍ତି ବନ୍ଦନା” କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡିଶା ସରକାର ଏବଂ ଝାରସୁଗୁଡାରେ ଗୋଟିଏ ପରିବାରର ୧୫ ବର୍ଷର ରାଜ୍ କୁ ତୀବ୍ର ସମାଲୋଚନା କରିଥିଲେ । ପାଉଁଶ ଗଦା କରିବାକୁ ସରକାରୀ ଜମି ଟେକି ଦେଉଥିବା ବେଳେ ଗରିବ ଭୂମିହୀନଂକୁ ଘରଡିହ ଯୋଗାଇବାକୁ ଜମି ନାହିଁ । ଏ ସରକାର ଗରିବଂକ ସରକାର ନୁହେଁ ବୋଲି କହିଥିଲେ ଟଂକଧର ତ୍ରିପାଠୀ । କୋଲାବିରା ସମଲେଶ୍ରୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ହଜାର ହଜାର ସଂଖ୍ୟକ ମହିଳା ବ୍ଲକ ଅଫିସ ପାଖ ସଭାସ୍ଥଳରେ ପହଂଚିଥିଲେ । ଗାଁ ଗହଳିରୁ ବହୁ ସଂଖ୍ୟାରେ ମହିଳାମାନେ ଉତ୍ସାହର ସହ ଭାଗ ନେଇଥିଲେ । ମୋଦି ସରକାର ନାରୀ ଶକ୍ତିର ସମ୍ମାନ କରିବା ସହ ବିଭିନ୍ନ ଯୋଜନା ମାଧ୍ୟମରେ କିଭଳି ନାରୀ ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଛନ୍ତି ତାହା ବକ୍ତାମାନେ ବର୍ଣ୍ଣନା କରିଥିଲେ । ଜିଲ୍ଲା ସଭାପତି ସୁନୀଲ ପଣ୍ଡା, ଜିଲ୍ଲା ମହିଳା ସଭାନେତ୍ରୀ ରୀନା ପଟେଲ,ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ରଶ୍ମିରେଖା, କୋଲାବିରା ମଣ୍ଡଳ ସଭାପତି ରାଜେଶ ଦାସ, ମହିଳା ମୋର୍ଚ୍ଚା କୋଲାବିରା ମଣ୍ଡଳ ସଭାନେତ୍ରୀ ଲତିକା ସାହୁ, ବିଧାନସଭା ପ୍ରଭାରୀ ସୁନୀଲ ଦାସ, ଝିର୍ଲାପାଲି ସରପଂଚ ତିଲୋତମା ଛଛାନ, ନଳିନୀ ମରେଇ, ସରସ୍ବତୀ କିଶାନ, ଦେବକୀ ପଧାନ, ବିକାଶ ପାନ ପ୍ରମୁଖ ଯୋଗ ଦେଇଥିଲେ ।