ରତ୍ନ ଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ପ୍ରାକ୍ତନ ବିଚାର ପତି ଅରଜିତ ପଶାୟତଙ୍କ ଇସ୍ତଫା ଦାବି

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଓଡିଶା ଭାରତ ତଥା ବିଶ୍ୱର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପ୍ରାଣ କେନ୍ଦ୍ର l ବିଗତ କିଛି ବର୍ଷ ହେବ ରତ୍ନ ଭଣ୍ଡାର ପ୍ରସଙ୍ଗ ଓଡିଶା ତଥା ଭାରତ ଓ କୋଟି କୋଟି ହିନ୍ଦୁମାନଙ୍କ ପ୍ରାଣରେ ଗଭୀର ଆଘାତ ଦେବା ସହ ରାଜ୍ୟ ସରକାରଙ୍କ ଉଦାସୀନତା ସର୍ବସାଧାରଣଙ୍କ ମନରେ ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି l ରତ୍ନଭଣ୍ଡାର ଚାବି ହଜିବା ହେଉ, ରତ୍ନ ଭଣ୍ଡାର ମରାମତି ହେଉ, ରତ୍ନ ଭଣ୍ଡାର ରତ୍ନ ଗଣନା ବିଷୟ ହେଉ ଯେଉଁଭଳି ଭାବରେ ସରକାର ଟାଳଟୁଳ ନୀତି ଆପଣାଇଛନ୍ତି ତାହା ପରିତାପର ବିଷୟ l ଚାରିଆଡୁ ବିରୋଧ ପରେ ସରକାର ଯତ୍ପରନାସ୍ତି ନ୍ୟାୟରେ ଏକ କମିଟି ଗଠନ କରିଛନ୍ତି l ଅବସରପ୍ରାପ୍ତ ବିଚାରପତି ଅରଜିତ ପଶାୟତ ଉକ୍ତ କମିଟିର ଅଧ୍ୟକ୍ଷ ଭାବେ ସ୍ଥାନିତ ହୋଇଛନ୍ତି l ଏହି କମିଟି ମାଧ୍ୟମରେ ସରକାର ବିରୋଧ ସ୍ୱରକୁ ପ୍ରଶମିତ କରିବାକୁ ଚେଷ୍ଟା କରୁଛନ୍ତି l ବାସ୍ତବ କ୍ଷେତ୍ରରେ ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ସମାଧାନ କରିବା ନିମନ୍ତେ ସେତେଟା ଗୁରୁତ୍ୱ ନଦେବା ମନେ ହେଉଛି l ଅତୀତରେ ରାଜ୍ୟ ସରକାର ଶ୍ରୀମନ୍ଦିର ସମ୍ବନ୍ଧିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ତଦନ୍ତ କମିଶନ ଗଠନ କରି ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରିପୋର୍ଟ ପ୍ରସ୍ତୁତ ହୋଇଛି କିନ୍ତୁ ଏହା ସାର୍ବଜନୀନ କରାଯାଉନାହିଁ l ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ସେ ସମୟରେ ପ୍ରାକ୍ତନ ବିଚାରପତି ରଘୁବର ଦାସଙ୍କୁ ନେଇ କମିଟି ଗଠନ କରାଯାଇଥିଲା l ତାହା ଏବେ ଶୀତଳ ଭଣ୍ଡାରରେ l ସ୍ୱାମୀ ଲକ୍ଷ୍ମାଣନନ୍ଦଙ୍କ ଠାରୁ ଆରମ୍ଭ କରି ରାଜ୍ୟର ସର୍ବବୃହତ ସ୍କାମ ଚିତଫଣ୍ଡ ପ୍ରଭୁତି ରିପୋର୍ଟ ଶୀତଳ ଭଣ୍ଡାରରେ ପଡ଼ିରହିଛି l

ସରକାର ଏକ ସାଧାରଣ ପ୍ରକ୍ରିୟାର ବ୍ୟବସ୍ଥାକୁ ପାଥେୟ କରି ଜନସାଧାରଣଙ୍କୁ ଭୁଆଁ ବୁଲାଇବାକୁ ପ୍ରୟାସ କରୁଛନ୍ତି l ସୁତରାଂ ଅନ୍ୟ ସବୁ ପ୍ରସଙ୍ଗ ପରି ରତ୍ନଭଣ୍ଡାର ସମ୍ପର୍କିତ ଯାଞ୍ଚ କମିଟି ଗଠନ କରି ରାଜସ୍ବ ଅପଚୟ କରିବାର ମସୁଧାକୁ ଆଜି ଅଟଳ ବିଚାର ମଞ୍ଚ ପୁରୀର ଆବାହକ ବିନୟ ନୃସିଂହ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଯାଇ ଉନ୍ନୟନ ପ୍ରଶାସକ ପ୍ରଦୀପ ସାହୁଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି l ଏଥିରେ ଉଲ୍ଲେଖ ରହିଛି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ପ୍ରାକ୍ତନ ବିଚାରପତି ଅରଜିତ ପସାୟତଙ୍କ ଇସ୍ତଫା ଦାବି କରିଛନ୍ତି l ରାଜ୍ୟସରକାର ଯଦି ବାସ୍ତବରେ ରତ୍ନଭଣ୍ଡାର ପ୍ରସଙ୍ଗ ପରି ଗୁରୁତ୍ୱପୂର୍ଣ୍ଣ ବିଷୟର ସମାଧାନ ପାଇଁ ଆଗ୍ରହୀ ତେବେ ଜଣେ ସିଟିଙ୍ଗ ଜଜଙ୍କ ଦ୍ୱାରା କମିଟି ଗଠନ କରାଗଲେ ନିଶ୍ଚିତ ଭାବେ ଏହାର ସୁଫଳ ମିଳିବା ସହିତ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ନଷ୍ଟ ହେବନାହିଁ l ଉକ୍ତ ପ୍ରତିନିଧି ମଣ୍ଡଳରେ ବିଷ୍ଣୁପ୍ରସାଦ ଦାସ, ବିଶ୍ୱନାଥ ପଣ୍ଡା, ମାନସ ଲେଙ୍କା, ପ୍ରଶାନ୍ତ ଭୂୟାଁ, ଉପେନ୍ଦ୍ର ବିଶୋଇ, ଲୋକନୀ ସାହୁ, ମମତା ଦାସ, ଲକ୍ଷ୍ମୀପ୍ରିୟା ସାହୁ, ବିଚିତ୍ର ରଞ୍ଜନ ସାହୁ, ରମେଶ ମହାରଣା, ତରୁଣାଆଦିତ୍ୟ ମିଶ୍ର, ପୂର୍ଣ୍ଣଚନ୍ଦ୍ର ଦାସ, ବିଭୁଦତ୍ତ ଦାସ ଓ ସର୍ବେଶ୍ୱର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *