(କବି କେଶବ ଚନ୍ଦ୍ର ନାୟକ)
କୋକିଳ ବସି ଭାଷିଲା
ଚ୍ଯୁତ ବୃକ୍ଷ ବକୁଳିଲା
ବସନ୍ତ ଆସିଲା ବୋଲି କହିଲା କର୍ଣ୍ଣେ
ଦିବସେ ବଢିଲା ଉଷ୍ମ
ରବିକର ବହେ ଗ୍ରୀଷ୍ମ
ରଜନୀ ଶୀତଳ ସ୍ପର୍ଶେ ଅବନୀ ବର୍ଣ୍ଣେ
ବଦଳିଲା ବିଚିତ୍ର ଛବି
ପୁଷ୍ପ ଭୂଷିତ ଅଟବୀ ମୋହିତ କବି….!!
ପଲ୍ଲବିତ ବୃକ୍ଷ କୁଳ
ଆବୃତ୍ତ ଝୀନ ଦୁକୁଳ
ନବନବୀନା ପରାଏ ଅଙ୍ଗ ବିଭବ
ସୁଶୋଭିତ ବନଗିରି
ସ୍ବଛ ସଲିଳ ନିର୍ଝରୀ
କଳନିନାଦେ ସଂଗୀତ ଗୁଞ୍ଜିତ ରବ
ନିର୍ମଳ ଅମ୍ବର ସୁନ୍ଦର
ବର୍ଣ୍ଣିବାକୁ ନାହିଁ ପାଶେ ଶବ୍ଦ ସମ୍ଭାର…!!
ସୁଗନ୍ଧ ସୁମନ ବର୍ଣ୍ଣ
ହିରା ନୀଳା ରୌପ୍ୟ ସ୍ବର୍ଣ୍ଣ
ଲାବଣ୍ୟବତୀ ପରାଏ ପାଦପ ଶୋହେ
ମଳୟେ ପୂରିତ ହୋଇ
ପ୍ରସରେ ଦିଗନ୍ତ ଛୁଇଁ
ଅଳି କୁଳ ବ୍ୟାକୁଳ କାମକୁ ଦହେ
ଚୁମ୍ବିବାକୁ ଉଚାଟ ଚିତ୍ତ
ଗୁଣୁ ଗୁଣୁ ଗୁଞ୍ଜରିତ ଭାଷି ସଂଗୀତ….!!
ମଧୁପ ମଧୁ ପାନରେ
ମୁନି ମନ କି ଧ୍ଯାନରେ
ପରାଏ କୁସୁମ ଅଙ୍ଗ ସଙ୍ଗେ ବିଳାସୀ
ପ୍ରଜାପତି ରୂପ ସାଜି
ପୁଷ୍ପ ଦଳରେ ବିରାଜି
ମଧୁ ଶଯ୍ୟା ପରି ଅଙ୍କ ପଲଙ୍କେ ରସି
କନ୍ଦର୍ପ ଦର୍ପକୁ ବିନାଶି
ଆହ୍ଲାବାଦେ ସ୍ବର୍ଗୀୟ ସୁଖ ଲଭନ୍ତି ମିଶି…!!
ବସନ୍ତର ଆଗମନ
ଦେଖି ବିହଙ୍ଗ ପ୍ରସନ୍ନ
ନାନା ଧ୍ବନି କରି କଲେ ସ୍ବାଗତ ବାଣୀ
ନବ ପଲ୍ଲଵ ଶାଖାରେ
ଉତ୍ସର୍ଗୀ ପୁଷ୍ପ ଗୁଛରେ
ବସିଣ ବସନ୍ତ ଗୁଣ କୀର୍ତ୍ତି ବଖାଣି
ଋତୁ ରାଜ ବସନ୍ତ ଶ୍ରେଷ୍ଠ
ଦୂରିତ କରଇ ଜରା ବ୍ୟାଧିର କଷ୍ଟ….!!
ଏ ଧରାର ଅପରୂପ
ସ୍ବର୍ଗେ ନଥିବ ସ୍ବରୂପ
ରୂପସୀ କି ଅପସରୀ ନ ହେବ ସରି
ରଜନୀ ସୁଷମା ବେଶ
ରୌପ୍ୟ ଜହ୍ନ ହସ ହସ
ଆକାଶେ ତାରା ପ୍ରକାଶ ସ୍ମୃତିକୁ ଧରି
ଧାତାର କି ବିଚିତ୍ର ଳୀଲା
ଅବନୀରେ ରଚିଅଛି ଅପୂର୍ବ କଳା…!!
ସରିତେ ନିର୍ମଳ ଜଳ
ସ୍ନିଗ୍ଧ ସ୍ପର୍ଶେ ବେନି କୂଳ
ରମଣୀଏ ସ୍ନାନ ରତ ଊଷା ଆଗତେ
ସୁଶୀତଳ ଜଳ ରାଶି
ଚିତ୍ତେ ଆନନ୍ଦ ପ୍ରକାଶି
ଶୁଭ୍ର ବସନେ ସ୍ବର୍ଣ୍ଣାଙ୍ଗ କୁମ୍ଭ ଉଦିତେ
କାଖେ କୁମ୍ଭ ପୁଂସ ପ୍ରାଣକୁ
ବିଦଗ୍ଧ କରଇ ହୃଦ କ୍ଷଣ କ୍ଷଣକୁ ….!!
ନିଶାକର ଦେଖି ବାଳା
ସ୍ମରି ଚିତ୍ତେ କାମ କଳା
ପ୍ରୀତି ପାଇଁ କାମ ବାଣେ କ୍ଳେଶ ଅନେକ
ଯୁବ ପ୍ରାଣ ବିଚଳିତ
କାମିନୀ ରସେ ପୂରିତ
ରସ ପାନେ ଇଛି ନିଦ୍ରା ଭଗ୍ନ କ୍ଷଣିକ
ପତ୍ର ଲେଖେ ଅବଳା ସ୍ମରି
ପ୍ରୀତି ପାନ ନକଲେ ମୁଁ ଯିବିଟି ମରି…!!
ବସନ୍ତଟି ଋତୁ ରାଜ
ସୌନ୍ଦର୍ଯ୍ୟେ ହୋଇ ସୁସଜ୍ଜ
ଜରା ବ୍ଯାଧି ଗ୍ରାସରୁ ବିମୁକ୍ତ କରିଣ
ହରଇ ଯାତନା ମନୁ
ନବ ଯଉବନ ତନୁ
ମନ୍ମଥ ମନ୍ଥନ ଯେତେ ଅନଙ୍ଗ ବାଣ
କରେ ଚରିତାର୍ଥ କାମନା
ସ୍ବର୍ଗ ସୁଖ ଭୋଗେ ମନ ଜଞ୍ଜାଳୁ ସିନା…!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭