ଶହୀଦ ଲକ୍ଷ୍ମଣ ନାୟକଙ୍କ ଶହୀଦ ଦିବସ ପାଳିତ

ମାଲକାନଗିରି : ଜିଲ୍ଳା ପ୍ରଶାସନ ଦ୍ବାରା ମାଲକାନଗିରି ସଦର ମହକୁମାରେ ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କ ଶହୀଦ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ଵ, ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଭାରତର ସ୍ଵାଧୀନତା ସଂଗ୍ରାମରେ ଆତ୍ମଝାସ ଦେଇ ଯେଉଁ ବୀରପୁରୁଷମାନେ ସ୍ବାଧୀନତାର ଇତିହାସ ପୃଷ୍ଠାକୁ ଗୌରବାନ୍ଵିତ କରି ଯାଇଛନ୍ତି, ସେମାନଙ୍କ ମଧ୍ୟରୁ ଶହୀଦ ଲକ୍ଷ୍ମଣ ନାୟକ ସ୍ମରଣୀୟ ବ୍ୟକ୍ତିତ୍ଵ ଥିଲେ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଲକ୍ଷ୍ମଣ ନାୟକ ଥିଲେ ଏକ ଅଶାନ୍ତ ଝଡ ଓ ବରେଣ୍ୟ ବିପ୍ଳବୀ। ଯିଏକି ମାତୃଭୂମିକୁ ସ୍ୱର୍ଗାଦପୀ ଗରୀୟସୀ ବୋଲି ଉପଲବ୍ଧି କରି ଅବଶେଷରେ ଦେଶ ମାତୃକାର ମୁକ୍ତି ପାଇଁ ଆତ୍ମାହୁତି ଦେଇ ଏବେ ମଧ୍ୟ ଭାରତୀୟଙ୍କ ସିଂହାସନରେ ଅଧିଷ୍ଠିତ ହୋଇପାରିଛନ୍ତି। ସେ ଯେଉଁଭଳି ଭାବେ ନିଜ କର୍ତ୍ତବ୍ୟ ପାଳନକୁ ଅଗ୍ରାଧିକାର ଦେଇଥିଲେ, ସେହିପରି ଭାବେ କର୍ତ୍ତବ୍ୟ ପାଳନ କରିବାରେ କେବେ ମଧ୍ୟ ପଛଘୁଞ୍ଚା ନଦେବା ପାଇଁ ଛାତ୍ରୀମାନଙ୍କୁ ଅନୁପ୍ରାଣିତ କରାଯାଇଛି। ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଈ, ଜିଲ୍ଲା ଯୁବ ଅଧିକାରୀ, ହରିଶ ରୁପଲ୍, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଶହୀଦଙ୍କ ସ୍ମୃତିଚାରଣ ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ଆୟୋଜନ କରିବାରେ ହରେକୃଷ୍ଣ କିର୍ତ୍ତନିଆ, ରଞ୍ଜନ ମହାନ୍ତିଙ୍କ ସମେତ ସୂଚନା ଓ ଲୋକସଂପର୍କ ବିଭାଗର କର୍ମଚାରୀ ଓ କଲେଜର କର୍ମଚାରୀ ଏଥିରେ ସହଯୋଗ କରିଥିଲେ।

(ରିପୋର୍ଟ:  ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *