(କବି କେଶବ ଚନ୍ଦ୍ର ନାୟକ)
ହେ ଈଶ୍ୱର !
ତୁମେ କୋଉଠି ?
ଖୋଜି ଖୋଜି ମୁଁ ହେଲେଣି କ୍ଳାନ୍ତ
ଡାକି ଡାକି ଏବେ ମୂକ
ଜପି ଜପି ସବୁ ନାମ ,ଶବ୍ଦ ଗଲା ସରି
ହେ ଈଶ୍ୱର ! ତୁମେ କୋଉଠି ଅଛ…?
ତୁମ ସନ୍ଧାନେ
ଗଲି ମନ୍ଦିରେ ,ଦିବ୍ୟ ଦର୍ଶନ କରି
ଶହ ଶହ ଲୋକ ଧରି ଉପହାର
ତୁମକୁ ଯାଆନ୍ତି ଘେରି…
ନିର୍ଜୀବ ମୂର୍ତ୍ତି ପାଷାଣେ ଗଢି
ଥୋଇଛି କେ ସିଂହାସନେ…!!
ହେ ଈଶ୍ୱର….
କିଏ ପିନ୍ଧାଉଛି
ପାଟ ପୀତାମ୍ବର,କିଏ ଚଢାଉଛି ମାଳା
କର୍ପୂର ଚନ୍ଦନ ବୋଳି କିଏ ଦିଏ
ଜାଳି ଦିଏ ଧୂପ ଦୀପ
କେତେ ଯେ ଗୁହାରି କରନ୍ତି ଜନ
ପ୍ରତି ପଲକରେ ପରା….!!
ତୁମକୁ ଭରସା କରି କରି ମରେ
ପାଏ ନା କରୁଣା ତୁମ
କରୁଣାକର ତ କିଏ ବୋଲେ ଖାଲି
ନିର୍ଲଜ ଜୀବନ ତା’ର
ତୁମ ମହାଦାନୀ କିଏ ସେ କହୁଛି
ଅନ୍ନ ବିହୁନେ ନର
ମରନ୍ତି ବିକଳେ କ୍ରନ୍ଦନ କରି
ଫେଡିଛ କି ଦୁଃଖ ଭାର….?
ସବୁ ମିଛ
ତୁମ ମହିମା ସକଳ
ଅବିଶ୍ବାସ ସବୁ କଥା….
କେତେ ଦ୍ରୌପଦୀ ସତୀତ୍ବ ହରଣେ
ଜଳୁଛି ଶ୍ମଶାନରେ ଚିତା
ଅନ୍ଯାୟ, ଅନୀତି, ଦୁର୍ନୀତି ବୃଦ୍ଧି
କାହିଁ ଅବତାର ତୁମ
ଏବେ କି ରାକ୍ଷସେ ଡର….?
ହେ ଈଶ୍ୱର!
ମନ୍ଦିରେ ମଉନେ ବସି
ପୂଜା ପାଠେ ମଗ୍ନେ କି ହେଲ ଭୋଳ
ବାଦ୍ୟ କୋଳାହଳ ନାଦେ
ଅନ୍ୟର ଆତୁର ଚିତ୍କାର ଆଉ
ଶୁଭୁ ନାହିଁ କର୍ଣ୍ଣ ବିଳେ….
କିବା ତୁମ ସ୍ଥିତି ଶୂନ୍ୟ
କିଏ କହେ ତୁମେ ନିରାକାର ବୋଲି
ରହିଛି ଗୋପନ ବନେ….?
କାହାର ଲୋତକ ଛଳ ଛଳ ବହେ
କର ସ୍ରୋତା ନଈ ପରି
କାହାର ଯାତନା ଅସହ୍ୟ ହେଲାଣି
ଯେସନେ ସାଗର ପରି
କାହାର ଦୁଃଖ ଗଗନ ଚୁମ୍ବିତ
ଅବର୍ଣ୍ଣନୀୟ ସେ କାହାଣୀ….
କାହିଁ ତ ଦିନେ ଦେଖା ନାହିଁ ତୁମ
ବିପଦେ ଆପଦେ କ୍ଷଣେ
ହେ ଈଶ୍ୱର…
ତୁମେ କୋଉଠି….?
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)