ତୁମ ଗାଁ

(କବି କେଶବ ଚନ୍ଦ୍ର ନାୟକ)

ତୁମ ଗାଁ ଚହଟୁଛି ମଲ୍ଲୀ ଫୁଲ ବାସେ
ବସନ୍ତରେ କୋଇଲିଟା କୁହୁ କୁହୁ ଭାଷେ ।
ସୁନ୍ଦର ସରଳ ତୁମ ଗାଁ ର ମଣିଷ
ଲାଗେ ସବୁ ଆପଣର ମୁହଁ ହସ ହସ ।
ତୁମ ଗାଁ ଟିକି ନଈ କୁଳୁ କୁଳୁ ବହେ
ସବୁଜ ସୁନ୍ଦର କ୍ଷେତ ଜନମନ ମୋହେ ।
ଲମ୍ବା ଲମ୍ବା ତାଳ ଗଛ ଆକାଶ କୁ ଛୁଏଁ
ପାହାଡ଼ର ଉହାଡରେ ରୂପା ଜହ୍ନ ଉଏଁ ।
ତୁମ ଗାଁ କୂଅ ପାଣି ଭାରି ମିଠା ମିଠା
କଳସରୁ ଢାଳି ଜଳ ହରିଥିଲା ତୃଷ୍ଣା ।
ସେହି ଝିଅ ସୁନା ଗୋରୀ ମନ କଲା ଚୋରୀ
ସପନ ଦେଖଇ ନିତି ସରଗ ସୁନ୍ଦରୀ ।
ତା ପ୍ରେମରେ ପାଗଳ ମୁଁ ଛଟପଟ ପ୍ରାଣ
କେଡେ ଆପଣର ଲାଗେ ତୁମ ଗାଁ ଜାଣ ।
ଅଙ୍କାବଙ୍କା ଟିକି ପଥ ଚାରୁ ଚିତ୍ରପଟ
ସେହି ପଥେ ଯିବା ପାଇଁ ଚିତ ମୋ ଆକୃଷ୍ଟ ।
ତୁମ ଗାଁ ଗଗନରେ ତାରା ଯେବେ ଫୁଟେ
ମୋ କଣ୍ଠରୁ ଗୁଣୁ ଗୁଣୁ ପ୍ରେମ ଗୀତ ଛୁଟେ ।
ତୁମ ଗାଁ ଆମ୍ବ ତୋଟା ଗହଳିଆ ଛାଇ
ମୋ ଦେହକୁ ମଳୟଟା ଧୀରେ ଯାଏଁ ଛୁଇଁ ।
ତୁମ ଗାଁ ଆକାଶ ରେ ଉଠେ ଯେବେ ଜହ୍ନ
ମୋ ଛାତିରେ ଖେଳି ଯାଏ ପ୍ରୀତି ଶୀହରଣ ।
ତୁମ ଗାଁ ବଗିଚା ରେ ଫୁଟେ ଯେବେ ଫୁଲ
ମନ ପ୍ରଜାପତି ମୋର ହୁଅଇ ବ୍ୟାକୁଳ ।
ତୁମ ଗାଁ ପୋଖରୀରେ ନୀଳ ରଙ୍ଗ କଇଁ
ଇଛା ହୁଏ ସେ କଇଁକୁ ଯାଆନ୍ତି କି ଛୁଇଁ ।
ତୁମ ଗାଁ ନଈ ତୁଠ ସ୍ମୃତିର ସଂକେତ
ସେ ତୁଠରେ ଆଙ୍କତି କି ପ୍ରିୟା ଚିତ୍ରପଟ।
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Leave a Reply

Your email address will not be published. Required fields are marked *