ମାଲକାନଗିରି, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ଆନୁକୂଲ୍ୟରେ ବେଟି ବଚାଓ ଓ ବେଟି ପଢ଼ାଓ ଅଧୀନରେ କଲେକ୍ଟର କି କ୍ଲାସ ନାମକ ଏକ ଅଭିନବ କେରିୟର କାଉନସେଲିଂ କାର୍ଯ୍ୟକ୍ରମ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଯୋଗ ଦେଇ କହିଛନ୍ତି ଯେ ବିଦ୍ୟାର୍ଥୀଙ୍କ ଧର୍ମ ହେଉଛି ଅଧ୍ୟୟନ କରିବା। ସମୟର ସଦୁପଯୋଗ ସହ ଲକ୍ଷ୍ୟସ୍ଥଳ ସ୍ଥିର କରି ଆଗକୁ ବଢ଼ିବାକୁ ଛାତ୍ରୀମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଜୀବନରେ ସଫଳ ହେବାକୁ ହେଲେ ଅନୁଶାସନରେ ରହିବା ଅପରିହାର୍ଯ୍ୟ ବୋଲି ବିଏସଏଫ ଡେପୁଟି କମାଣ୍ଡଟାଣ୍ଟ ଶୁଭଞ୍ଜନ ମହାପାତ୍ର ପ୍ରକାଶ କରିବା ସହ ମହିଳା ମାନେ କିଭଳି ଭାବେ ବିଏସଏଫରେ ସାମିଲ ହୋଇପାରିବେ ସେଥିନିମନ୍ତେ ମାର୍ଗଦର୍ଶନ କରିଥିଲେ। ବିଦ୍ୟାର୍ଥୀ ମାନେ ଜିଜ୍ଞାସା ମନୋବୃତ୍ତି ରଖିବା ସହ ଲକ୍ଷ୍ୟ ସ୍ଥଳ ରେ ପହଞ୍ଚିବା ପାଇଁ ଦୃଢ଼ ସ୍ବପ୍ନ ଦେଖିବା ଆବଶ୍ୟକ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ କହିଛନ୍ତି।

ସେହିପରି ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ଵି ସେଠୀ ବିଭିନ୍ନ ନିଯୁକ୍ତି ସୁଯୋଗ ସହ ଦକ୍ଷତା ବିକାଶ ମାଧ୍ୟମରେ କିଭଳି ଉତ୍ତମ ବୃତ୍ତି ଚୟନ କରି ପାରିବେ ସେ ନେଇ ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ। ମହିଳା ମାନଙ୍କର ବିଭିନ୍ନ ବୃତ୍ତି ଚୟନ ନେଇ ମାର୍ଗଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ବିସ୍ତୃତ ବିବରଣୀ ପ୍ରଦାନ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ପ୍ରମିଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସିଡବ୍ଲୁସି ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନ ଉପସ୍ଥିତ ଥିଲେ। ପରିବର୍ତ୍ତନ ଶିଶୁ ଗୃହର ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।
ମାଲକାନଗିରି ରୁ ପ୍ରଭାସ ପଣ୍ଡା ଙ୍କ ରିପୋର୍ଟ