କରଞ୍ଜିଆ -: ମୟୂରଭଞ୍ଜ ଜିଲ୍ଲା କେନ୍ଦୁଜିଆଣୀ ସାପ୍ତାହିକ ହାଟରେ ପଡିରହିଛି ଅଧା ପୋଡ଼ା ଶବ। କେହି ଦୁର୍ବୃତ୍ତ ହତ୍ୟା ପରେ ପୋଡି ଦେଇଥିବା ସନ୍ଦେହ କରାଯାଇଛି। ଘଟଣାସ୍ଥଳରେ ଠାକୁରମୁଣ୍ଡା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା କେନ୍ଦୁଜିଆଣୀଠାରେ ଗତକାଲି ସାପ୍ତାହିକ ହାଟ ବସିଥିଲା। ଉକ୍ତ ସମୟରେ ହାଟରେ ଲୋକଙ୍କ ଗହଳି ଥିବା ବେଳେ ସେମାନେ ଏକ ଅର୍ଦ୍ଧପୋଡ଼ା ମୃତଦେହ ଦେଖିବାକୁ ପାଇଥିଲେ।
ମୃତ ବ୍ୟକ୍ତିଙ୍କୁ କେହି ଧାନ ନଡ଼ା ଦେଇ ପୋଡି ଦେଇଥିବାରୁ ତାଙ୍କୁ ସ୍ଥାନୀୟ ଲୋକମାନେ ଚିହ୍ନଟ କରି ପାରିନଥିଲେ।ତେବେ ସକାଳୁ ଜଡବିଲ ଗ୍ରାମର ଶିବ ମହାନ୍ତ ଘଟଣା ସ୍ଥଳକୁ ଆସି ଶବକୁ ଚିହ୍ନଟ କରିବା ସହ ଏହା ତାଙ୍କ ସାନଭାଇ ଭଦୁରୁ ମହାନ୍ତ ବୋଲି ପ୍ରକାଶ କରିଥିଲେ।ତେବେ ସୂଚନା ପାଇ ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାଏକ, ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ସୁବ୍ରତ କୁମାର ଘଟଣା ର ତଦନ୍ତ କରିଥିବା ବେଳେ ସବିଶେଷ ଯାଞ୍ଚ ନିମନ୍ତେ ମୁଖ୍ୟାଳୟ ବାରିପଦା ଠାରୁ ସାଇଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ କରିଛନ୍ତି ।
ସାଇଣ୍ଟିଫିକ୍ ଟିମ୍ ର ଯାଞ୍ଚ ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡିଛି । ତେବେ ଠାକୁରମୁଣ୍ଡା ଥାନା ଅଧିକାରୀଣୀ ମୃତ ଭଦ୍ରୁ ଙ୍କ ଦୁଇ ଝିଅ ଙ୍କୁ ଖବର ଦେଇ ଥିବା ମଧ୍ୟ ସୂଚନା ମିଳିଛି।ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଅନୁସନ୍ଧାନ ପରେ ସମସ୍ତ ତଥ୍ୟ ଜଣାପଡିବ।
ମୟୂରଭଞ୍ଜ ,କରଞ୍ଜିଆ ରୁ ଦୀନେଶ କୁମାର ଙ୍କ ରିପୋର୍ଟ।