କଟକ: ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ମାନବଜାତି ପାଇଁ ତ୍ୟାଗ, ସେବା, ଉତ୍ସର୍ଗିକୃତ ଭାବନା ଓ କର୍ମନିଷ୍ଠା ଥିଲା ଆସାଧାରଣ। ତାଙ୍କର ଦୀର୍ଘ କର୍ମମୟ ଜୀବନ ଓ ସେବା ଚିରକାଳ ପାଇଁ ସେ ପ୍ରେରଣାଦାୟୀ ହୋଇରହିବ ବୋଲି ଗୋପବନ୍ଧୁ ଭବନରେ ଆୟୋଜିତ ୧୨୮ତମ ଜୟନ୍ତୀ ପାଳନ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।ଶୁକ୍ରବାର ଅପରାହ୍ଣରେ ଗୋପବନ୍ଧୁ ଭବନରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ରାଜକୁମାରଙ୍କ ସଭାପତିତ୍ବରେ ଡକ୍ଟର ରଥଙ୍କ ଜୟନ୍ତୀ ପାଳିତ ହୋଇଥିଲା। ଝାଡ଼ଖଣ୍ଡ ଉଚ୍ଚନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଗୋପବନ୍ଧୁ ଥିଲେ ଆସଧାରଣ ଦୂରଦ୍ରଷ୍ଟା। ସେ ତାଙ୍କର ଲକ୍ଷ୍ୟ ଓ ସ୍ବପ୍ନକୁ ପୂରଣ କରିବା ପାଇଁ ଉତ୍ତର ଦାୟାଦ ଭାବେ ରାଧାନାଥ ବାବୁଙ୍କୁ ବାଛିଥିଲେ। ରାଧାନାଧ ବାବୁ ନିଜର ଦାୟିତ୍ବବୋଧକୁ ଯାଥାର୍ଥ ଭାବେ ନିର୍ବାହ କରିଛନ୍ତି।
ମୁଖ୍ୟବକ୍ତା ପ୍ରଫେସର ଦେବକାନ୍ତ ମିଶ୍ର ରାଧାନାଥ ବାବୁଙ୍କୁ ଓଡ଼ିଆ ବୌଦ୍ଧିକତାର ଉଦ୍ଗାତା ଅବିହିତ କରି ଓଡ଼ିଆ ସମ୍ବାଦିକତା କ୍ଷେତ୍ରକୁ କିପରି ଦିଶା ଦେଇଛନ୍ତି, ତାହାର ଅବତାରଣା କରିଥିଲେ। ଏହି ଅବସରରେ ପୂର୍ବତନ ସମ୍ପାଦକ କାନନ ବିହାରୀ ଦାଶ, ଡ. ସତ୍ୟ ରାୟ , ଡ. ପ୍ରମୋଦ କୁମାର ମହାପାତ୍ର ଓ ଲୋକସେବକ ମଣ୍ଡଳର ଅଧ୍ୟକ୍ଷକଙ୍କ ପରାମର୍ଶଦାତା ରାମନାଥ ଝାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବାଲିଯାତ୍ରାରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଗୋପାଳକୃଷ୍ଣ ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବାବେଳେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ପ୍ରାରମ୍ଭିକ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ା ‘ସମାଜ’ର ସମ୍ପାଦକ ତପନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।