ବାଲିଯାତ୍ରା ସମୟରେ ଫୁଟପାଥରେ ବସିପାରିବେ ନାହିଁ ଉଠାଦୋକାନୀ

କଟକ, ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାଲିଯାତ୍ରା ସମୟରେ ଫୁଟପାଥରେ କୌଣସି ଉଠାଦୋକାନୀ ବ୍ୟବସାୟ କରିବା ନେଇ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ନିଷେଧାଦେଶ ଜାରି କରିଛନ୍ତି । ଜୋବ୍ରାଠାରୁ ଚହଟା, ଉପର ଏବଂ ତଳ ବାଲିଯାତ୍ରା ପଡିଆ ଏବଂ ଏହାର ଆଖପାଖ ରାସ୍ତାରେ ଏହି ଉଠା ଦୋକାନୀମାନଙ୍କୁ ବ୍ୟବସାୟ କରିବା ନିମନ୍ତେ ନିଷେଧ କରାଯିବା ସହ ସେମାନଙ୍କ ଜୀବନ ଜୀବିକା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ତଳ ବାଲିଯାତ୍ରା ପଡିଆରେ ସେମାନଙ୍କ ବ୍ୟବସାୟ ନିମନ୍ତେ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରାଯାଇଛି । ଏହି ନିର୍ଦ୍ଦେଶ ଜାରି ହେବା ଦିନଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଉଠା ଦୋକାନୀମାନେ ଆବଶ୍ୟକ ୟୁଜର ଫି ଦେଇ ନିର୍ଦ୍ଧାରିତ ସ୍ଥାନରେ ବ୍ୟବସାୟ କରିପାରିବେ ।

ଏହି ନିୟମର ଖିଲାପ କଲେ ସମ୍ପୃକ୍ତ ବ୍ୟକ୍ତି ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ । ତଳ ବାଲିଯାତ୍ରା ପଡିଆରେ ଉଠା ଦୋକାନୀମାନଙ୍କୁ ସ୍ଥାନ ଦେବା ପାଇଁ ଉପଜିଲ୍ଲାପାଳ କଟକ ସଦରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି । ଏଥିସହ ଗାଡି ଚଳାଚଳ ଏବଂ ଚଲାପଥକୁ ଅବରୋଧମୁକ୍ତ କରିବା ପାଇଁ ଆର ଆଇ, ସହକାରୀ ଆରଆଇ ଏବଂ ଅମିନମାନଙ୍କୁ ନେଇ ଦୁଇଟି କମିଟି ଗଠନ କରାଯାଇଛି । କମିଟି ପୋଲିସ୍ ଓ କଟକ ମହାନଗର ନିଗମ କର୍ମଚାରୀମାନଙ୍କ ସହାୟତାରେ ଫୁଟପାଥ୍ ଓ ରାସ୍ତାକଡରେ ବସୁଥିବା ଉଠାଦୋକାନୀମାନଙ୍କୁ ଦିନରେ ଓ ରାତିରେ ଉଠାଇ ରାସ୍ତାକୁ ଅବରୋଧ ମୁକ୍ତ କରିବ ।

Leave a Reply

Your email address will not be published. Required fields are marked *