ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ପାଳନ ଅବସରରେ ଆଜି କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ସମାପନୀ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳାପାଳଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ସଭାରେ କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦୈନନ୍ଦିନ ଜୀବନରେ ଦୁର୍ନୀତିକୁ ବିରୋଧ କରିବାକୁ ଆହ୍ୱାନ ଦେଇଥିଲେ । ବିଭିନ୍ନ ଖାଦ୍ୟପଦାର୍ଥ ଭେଜାଲ କରିବା ଭଳି ଗର୍ହିତ ଅପରାଧ କରୁଥିବା ଲୋକମାନଙ୍କୁ ସାମାଜିକ ବାସନ୍ଦ କରିବା ଭଳି ଦଣ୍ଡ ଦେବାକୁ ମେୟର ମତ ଦେଇଥିଲେ । ଦୁର୍ନୀତିର ବିରୋଧକୁ ଜନ ଆନ୍ଦୋଳନରେ ପରିଣତ କରିପାରିଲେ ଏହା ଦେଶକୁ ଆଗକୁ ବଢାଇବାରେ ସହାୟକ ହୋଇପାରିବ ।

ରେଭେନସା ବିଶ୍ୱବିଦ୍ୟାଳୟର ବରିଷ୍ଠ ସହକାରୀ ପ୍ରାଧ୍ୟାପକ ଡଃ. ଅଭିଷେକ ଶର୍ମା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଚଳିତ ବର୍ଷର ବିଷୟବସ୍ତୁ ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ପ୍ରଗତିର ଭିତି ଉପରେ ଆଲୋକପାତ କରି ସତ୍ୟକୁ ଜୀବନର ଆଧାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସତ୍ୟନିଷ୍ଠ ଆଚରଣ ସାମାଜିକ ତଥା ଆଧ୍ୟାତ୍ମିକ ଜୀବନକୁ ପରିପୁଷ୍ଟ କରିବାରେ ସହାୟକ ହେବ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ରାଜ ସରକାରୀ କର୍ମଚାରୀମାନେ ସାଧୁତା ଆପଣାଇବା ଏବଂ ସେମାନଙ୍କ ନିକଟକୁ ଆସୁଥିବା ସାଧାରଣ ଲୋକଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ କରିବା ସହ ଯଥାସମ୍ଭବ ସେମାନଙ୍କ କାର୍ଯ୍ୟ ସମାପନ କରିବାକୁ ଆହ୍ୱାନ ଦେଇଥିଲେ । ଲୋକଙ୍କୁ ବାରମ୍ବାର ଦଉଡାଇବା ଭଳି ମନ୍ଦ ଅଭ୍ୟାସକୁ ପରିବର୍ତନ କରିବାକୁ ଶ୍ରୀ ରାଜ କହିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ବିଭାଗ, କଟକ ଖଣ୍ଡ, ଶ୍ରୀ କେ.ବେଣୁଗୋପାଳ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ । ସପ୍ତାହ ପାଳନ ଅବସରରେ ଆୟୋଜିତ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ଆଜିର କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ କରାଯାଇଥିଲା ଏବଂ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ପଥପ୍ରାନ୍ତ ନାଟକର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *