ଝୁପୁଡ଼ିରେ କଟୁଛି ରାତି ଦଲାଲ୍ କବ୍‌ଜାରେ ଆବାସ ଗୃହ

ମାଲକାନଗିରି , ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ପକ୍ଷରୁ ଆବାସ ଗୃହ କାର୍ଯ୍ୟାଦେଶ ପାଇବାର ବର୍ଷେ ବିତିବାକୁ ବସିଥିବା ବେଳେ ଏପର୍ଯ୍ୟନ୍ତ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନାହିଁ । ଏପଟେ ଦଲାଲ ଜଣଙ୍କ ଆବାସ ଗୃହ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇ ସବୁତକ ଟଙ୍କା ଉଠାଇ ନେବା ପରେ ଏବେ ଘର ନିର୍ମାଣ ପାଇଁ ଭୂଆଁ ବୁଲାଉଛି। ଫଳରେ ଝୁପୁଡ଼ିରେ ରାତି କାଟୁଛନ୍ତି ହିତାଧିକାରୀଙ୍କ ସହ ପରିବାର ବର୍ଗ ।
ପଡିଆ ସଦର ପଞ୍ଚାୟତ ଅନ୍ତର୍ଗତ କୁଞ୍ଚନପଲ୍ଲୀ ଗ୍ରାମର ଜଗା ମାଡ଼ି ୨୦୨୧- ୨୨ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇଥିଲେ। ତେବେ ସେ ଚାଷବାସ କରି ଗୁଜୁରାଣ ମେଣ୍ଟାଉଥିବା ଯୋଗୁଁ ଆବାସ ଗୃହ ନିର୍ମାଣ କରିବାରେ ସକ୍ଷମ ନଥିଲେ। ତେଣୁ ସ୍ଥାନୀୟ ଅଞ୍ଚଳର ଜଣେ ଦଲାଲ୍ ଏହି ଆବାସ ଗୃହ କାର୍ଯ୍ୟ କରାଇଦେବାକୁ ପ୍ରତିଶ୍ରୁତି ଦେବା ସହ ଗୃହ ବାବଦକୁ ମିଳିଥିବା ଅନୁଦାନ ସବୁ ଉଠାଇ ନେଇଥିଲେ । ଦଲାଲ୍ ଜଣକ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ପ୍ରାୟ ଏକ ବର୍ଷ ହେବ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ଏନେଇ ଜଗା ଓ ତାଙ୍କ ପରିବାର ଲୋକେ ଉକ୍ତ ଦଲାଲଙ୍କୁ ଗୃହ ନିର୍ମାଣ ନେଇ ବାରମ୍ବାର ଗୁହାରି କରୁଥିଲେ ମଧ୍ୟ ଦଲାଲ୍ ଜଣକ କେବଳ ଆଶ୍ୱାସନା ଦେଇ ସମୟ ଅତିବାହିତ କରୁଥିବା ଜଗା ମାଡ଼ିଙ୍କ ସ୍ତ୍ରୀ ଯୋଗୀ ମାଡ଼ି କହିଛନ୍ତି ।

ଏପଟେ ଆବାସ ଗୃହ ନିର୍ମାଣ ଶେଷ ହୋଇପାରୁ ନଥିବାରୁ ତାଳ ଛପର କୁଡ଼ିଆରେ ଜଗାଙ୍କ ପରିବାର ଜୀବନ କାଟୁଥିବା ବେଳେ ଏହି ପରିବାର ପାଇଁ ଆଜି ବି ଆବାସ ଗୃହ ସାତ ସପନ ପାଲଟିଛି। ଆଦିବାସୀ ଅଧ୍ଯୁଷିତ ପଡିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ୪ ଶହରୁ ଊର୍ଦ୍ଧ୍ବ ଆବାସ ଗୃହ ନିର୍ମାଣ କାର୍ଯ୍ୟ ଦଲାଲଙ୍କ କବଜାରେ ରହିଥିବା ବେଳେ ପ୍ରଶାସନିକ ସ୍ଥାଣୁତା ଲାଗି ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହୁଥିବା ଦେଖିବାକୁ ମିଳିଛି। ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଛଡ଼ା ଯାଉଥିବା ବେଳେ ସେମାନେ ମଧ୍ୟସ୍ଥି ଜରିଆରେ ଘର କାର୍ଯ୍ୟ କରୁଛନ୍ତି। ତେବେ ଆବାସ ଗୃହ ଗୁଡ଼ିକର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରା‌ଯିବ ବୋଲି ସେ ଆଶ୍ବାସନା ଦେଇଛନ୍ତି। ଏପରି ସ୍ଥିତିରେ ଜଗାଙ୍କ ଆବାସ ଗୃହ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ବ୍ଳକରେ ଅଧାପନ୍ତରିଆ ପଡ଼ି ରହିଥିବା ଆବାସ ଗୃହ ଗୁଡ଼ିକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ସାଧାରଣରେ ଦାବି ହୋଇଛି।

ମାଲକାନଗିରି ରୁ ପ୍ରଭାସ ପଣ୍ଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *