କବି ବଳରାମ ପୂଜାରୀ ଆଉ ନାହାଁନ୍ତି

ମାଲକାନଗିରି।ତା: ମାଲକାନଗିରି ଜିଲ୍ଲାର ସୁନାମଧନ୍ୟ କବି ବଳରାମ ପୂଜାରୀ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଯାଇ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା ବେଳେ ଗତ ରାତି ୨.୩୦ ମିନିଟ୍ ରେ ଶେଷ ନିଃଶ୍ୱାସ ତ୍ଯାଗ କରି ଥିଲେ।
ମାଲକାନଗିରି ଜିଲ୍ଲା କୁଡୁମୁଲଗୁମ୍ମାରେ କବି ବଳରାମ ପୂଜାରୀ ରହୁଥିବା ବଳେ ଶିରୀପେଟା ସ୍କୁଲରେ ଶିକ୍ଷକତା କରୁଥିଲେ।ସେ ୨୧ ମାର୍ଚ୍ଚ ୧୯୭୪ରେ ବୌଦ୍ଧ ଜିଲ୍ଲାରେ ଜନ୍ମ ଗ୍ରହଣ କରି ଥିଲେ। ଶୈଶବ ଅବସ୍ଥାରୁ ସେ ପୋଷ୍ୟ ପୁତ୍ର ଭାବେ ମାଲକାନଗିରିର କୁଡୁମୁଲଗୁମ୍ମାକୁ ଆସି ବିଦ୍ୟାଧ୍ଯୟନ କରିଥିଲେ। ତାଙ୍କର ପାଳିତ ବାପା ଇନ୍ଦ୍ରମଣି ପୂଜାରୀ ଓ ମାତା ଅନ୍ନପୂର୍ଣ୍ଣା ଦେବୀ।ସେ ପରବର୍ତ୍ତୀ ସମୟରେ ପ୍ରାଥମିକ ଶିକ୍ଷକ ଭାବେ ବୃତ୍ତି ଆପଣେଇ ଥିଲେ ମଧ୍ୟ କବିତ୍ବ ପ୍ରତିଭା ଯୋଗୁଁ ସମଗ୍ର ଓଡ଼ିଶାରେ କବି ଭାବରେ ସୁପରିଚିତ। କବି ବଳରାମ ପୂଜାରୀଙ୍କ ୫ ଗୋଟି କବିତା ସଂକଳନ ପ୍ରକାଶ ପାଇଛି । ସେଗୁଡିକ ହେଲା ଶବ୍ଦ ବ୍ରହ୍ମ,ମାଟିମଗ୍ନା,ମେଘଲଗ୍ନା, ଶ୍ବେତପତ୍ର ଓ ଈଶ୍ୱରଙ୍କ ମାଡି ।


ତାଙ୍କ କବିତାରେ ଆଦିବାସୀଙ୍କ ଜୀବନ ଚର୍ଯ୍ଯା,କଳା, ସଂସ୍କୃତି ଓ ସାମାଜିକ ଦୃଶ୍ୟପଟ ରହିଛି। ଆକାଶ,ମାଟି,ଜଙ୍ଗଲ, ଡଙ୍ଗର, ଝରଣା କୁ ନେଇ ସବୁ କବିତାରେ ଝଲକ ପ୍ରତିପାଦିତ ହୋଇଥାଏ ।ସେ ବିଭିନ୍ନ ଅନୁଷ୍ଠାନ ଗୁଡିକରୁ ବହୁ ବାର ସମ୍ମାନିତ ହୋଇଛନ୍ତି। ତାଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ରଣା ଏବଂ ତାଙ୍କର ଗୋଟିଏ ପୁତ୍ର ରହିଛି। ଆଜି କୁଡୁମୁଲଗୁମ୍ମାରେ ତାଙ୍କ ମରଶରୀର ପହଞ୍ଚିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ୫ମାସ ହୋଇଥିଲା। ତାଙ୍କ ବିୟୋଗରେ କବି କେଶବ ଚନ୍ଦ୍ର ନାୟକ, ସଭାପତି ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି ମର୍ମାହତ। କବି ବଳରାମ ପୂଜାରୀ ଜଣେ ମିଷ୍ଟଭାଷୀ ଓ ସରଳ ମଣିଷ ଥିଲେ। ତାଙ୍କ ମଧ୍ୟରେ ଅହଙ୍କାର ଗୁଣ ନଥିଲା।ସେ ନମ୍ର ଓ ବିନୟୀ ଥିଲେ।ସେ ଜଣେ ଅଣ ଆଦିବାସୀ ହୋଇ ମଧ୍ୟ ଆଦିବାସୀଙ୍କ ଜୀବନୀ ଗାଥା କୁ ତାଙ୍କ କବିତାଗୁଡ଼ିକରେ ଜୀବନ୍ୟାସ ଦେଇଛନ୍ତି। ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରୁ ଏକ ଉଜ୍ଜ୍ୱଳ ତାରକାର ଅନ୍ତ ଘଟିଲା ବୋଲି ଶ୍ରୀ ନାୟକ ମତ ବ୍ୟକ୍ତ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *