ରାଜ୍ୟ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି : ସବୁ ଅଭିଯୋଗର ପର୍ଯ୍ୟାୟକ୍ରମେ ସମାଧାନ ହେବ – ବିଜେପି

ଭୁବନେଶ୍ୱର, ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ସରକାର ଗଠନ କରିବା ପରେ ଲୋକଙ୍କ ସୁଖ ଦୁଃଖରେ ଭାଗୀ ହେବା ସହ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଅଭିଯୋଗ ଶୁଣାଣି ଆରମ୍ଭ କରିଛନ୍ତି ।

ଗତ ସରକାର ସମୟରେ ଲୋକଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ବନ୍ଦ ହୋଇଯାଇଥିବାବେଳେ ଶ୍ରୀ ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପୁନର୍ବାର ଅଭିଯୋଗ ଶୁଣାଣି ଆରମ୍ଭ କରିଛନ୍ତି । ସେହିପରି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ୩ ଜଣ ମନ୍ତ୍ରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ଏଥିରେ ଆଇନ୍‌, ପୂର୍ତ, ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ; ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ; ଶିଳ୍ପ, ଦକ୍ଷତା ବିକାଶ ବୈଷୟିକ ଶିକ୍ଷାମନ୍ତ୍ରୀ ଶ୍ରୀ ସମ୍ପଦ କୁମାର ସ୍ୱାଇଁ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ଏସବୁ ଅଭିଯୋଗର ତ୍ୱରିତ ସମାଧନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏ ସମ୍ପର୍କରେ ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଲୋକଙ୍କ ଅଭିଯୋଗଗୁଡ଼ିକୁ ଶୁଣିବା ପରେ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ପର୍ଯ୍ୟାୟକ୍ରମେ ଲୋକଙ୍କ ଅଭିଯୋଗଗୁଡ଼ିକର ସମାଧାନ ହେବ ବୋଲି ସେ କହିଛନ୍ତି । ଏହି ଅବସରରେ ଶ୍ରୀ ସୂର୍ଯ୍ୟବଂଶୀ ଓ ଶ୍ରୀ ସ୍ୱାଇଁ ଲୋକଙ୍କ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ଶିବିରରେ ୧୫୦ରୁ ଊର୍ଦ୍ଧ୍ୱ ଅଭିଯୋଗ ପଞ୍ଜୀକୃତ ହୋଇଥିବାବେଳେ ସେଗୁଡ଼ିକ ମଧ୍ୟରେ ଅନେକ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅଭିଯୋଗ ହୋଇଥିଲା । ବିଶେଷ କରି ଜବରଦଖଲ ଉଚ୍ଛେଦ, ରାଶନକାର୍ଡ, ଆବାସ, ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ଭତା ଓ ଅନ୍ୟାନ୍ୟ ଅଭିଯୋଗର ଶିବିରରେ ଶୁଣାଣି ହୋଇଥିଲା । ସମସ୍ୟା ସମାଧାନ ପାଇଁ ବିଜେପି ସରକାରର ଏଭଳି ପ୍ରୟାସକୁ କାର୍ଯ୍ୟକର୍ତା ଓ ଜନସାଧାରଣ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *