ରଥ ଯା ଗଡ଼ିଯା …. ବିଜେପୁରରେ ବାହୁଡା଼ ଯାତ୍ରା ସମ୍ପନ୍ନ

ବରଗଡ଼:(କ୍ରାନ୍ତି ଓଡ଼ିଶା)-ଜନ୍ମବେଦୀରେ ଲୀଳାଖେଳା ସାରି ରତ୍ନବେଦୀ କୁ ପ୍ରସ୍ଥାନ କଲେ ଚତୁର୍ଦ୍ଧାମୂର୍ତ୍ତି । ସୋମବାର ବାହୁଡା଼ ଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସାଙ୍ଗରେ ବଡଭାଇ ଶ୍ରୀ ବଳଭଦ୍ର ଓ ଅଳିଅଳ ଭଉଣୀ ସୁଭଦ୍ରାଙ୍କୁ ଧରି ପ୍ରସ୍ଥାନ କଲେ। ବରଗଡ଼ ଜିଲ୍ଲା ବିଜେପୁର ଠାରେ ବାହୁଡା଼ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ମାଉସୀ ମାଁ ମନ୍ଦିରରୁ ମହାବାହୁ ରତ୍ନବେଦୀକୁ ବିଜେ କରିଛନ୍ତି। ପ୍ରାତଃ ୪.୩୦ ମିନିଟ ସମୟରେ ମଙ୍ଗଳ ଆଳତୀ, ସକାଳ ୭ ଘଟିକାରେ ଖେଚୁଡ଼ି ଭୋଗ, ସକାଳ ୧୨ ଘଣ୍ଟା ରେ ମଙ୍ଗଳାର୍ପଣ,ବେଶ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା। ଅପରାହ୍ନଟା ସମୟରେ ବିଜେପୁର ଜମିଦାର ତଥା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା ଛେରାପହଁରା କରିଥିଲେ। ରାଜପୁରୋହିତ ପଣ୍ଡିତ କିଶୋର ଚନ୍ଦ୍ର ପୂଜାରୀ, ମନ୍ଦିର ପୂଜକ ନନ୍ଦକିଶୋର ପୂଜାରୀ, ରାମହରି ପୂଜାରୀ,ହାଡୁ ପୂଜାରୀ, ତୁଷାର ପୂଜାରୀ ପୂଜା ଦାୟିତ୍ଵ ସମ୍ପନ୍ନ କରିଥିଲେ। ସକାଳ ୧୦ ଟା ସମୟରୁ ବିଜେପୁର କଳାକାର ସଂଘ ପକ୍ଷରୁ ଭଜନ ସମାରୋହ, ଅପରାହ୍ନରେ ପଡା ଗ୍ରାମର ସଙ୍କୀର୍ତ୍ତନ୍ୟ ଏବଂ ସରଣ୍ଡାପାଲି ଗ୍ରାମର କୃଷ୍ଣଗୁରୁ ଭଜନ ପରିବେଷଣ ହୋଇଥିଲା।ଶଙ୍ଖ, ଘଣ୍ଟ, ହରିବୋଲ, ହୁଳହୁଳି ,ଜୟ ଶ୍ରୀ ଜଗନ୍ନାଥ ଧ୍ୱନିରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ବିଭିନ୍ନ ଗ୍ରାମରୁ ହଜାର ହଜାର ଭକ୍ତଙ୍କ ସମାଗମ ମାଉସୀ ମାଁ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଥିଲା। ଠାକୁର ମାଉସୀ ମାଁ ମନ୍ଦିର ପ୍ରବେଶ କରିବା ଦିନଠାରୁ ପ୍ରତ୍ୟହ ବଡ଼ ଠାକୁରଙ୍କୁ ପୋଡପିଠା ଭୋଗ ଅର୍ପଣ ସହ ଗୀତା ପ୍ରବଚନ ଅନୁଷ୍ଠିତ ହୋଇଥିଲା। ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ବିଭୁ କୃପା ଲାଭ କରିଥିଲେ।

ମାଉସୀ ମାଁ ମନ୍ଦିର କମିଟିର ନବୀନ ସାହୁ, ତାପସ କୁମାର ଗଡତୀୟା, ଭୁବନେଶ୍ବର ସାହୁ,ଜୟନ୍ତ ଭାରତୀ,ଶାନ୍ତିଲତା ବାଗ, ରାଜକୁମାରୀ ମହାପାତ୍ର,ଶାନ୍ତି ଟୁଡୁ,ସେବତୀ ମେହେର,ଅମୃତା ବେହେରା ପ୍ରମୁଖ ଏଇ କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ। ସୁରୁଖୁରୁରେ ରଥଟଣା କାର୍ଯ୍ୟ ସମ୍ପାଦିତ ହୋଇଥିଲା।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *