ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବିର୍ଯୁପାଲି ଗ୍ରାମର ଜଣେ ଯବାନଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଉକ୍ତ ଯବାନ ୨୧ ଗଡ଼ୱାଲ ରାଏଫଲରେ ଲଦ୍ଦାକରେ ପୋଷ୍ଟିଂ ହୋଇଥିଲେ । ଉକ୍ତ ଯବାନ ହେଲେ ବିର୍ଯୁପାଲି ଗ୍ରାମର ସଙ୍କୀର୍ତ୍ତନ ବରିହା ଓ ସ୍ବର୍ଗତ ପବିତ୍ରା ବରିହାଙ୍କ ପୁତ୍ର ରାଜ କିଶୋର ବରିହା (୩୫) । ସେ ୬ଦିନ ତଳେ ତାଙ୍କ ପତ୍ନୀ ଇନ୍ଦୁରେଖାଙ୍କ ସନ୍ତାନ ପ୍ରସବ ନିମିତ୍ତ ଛୁଟି ନେଇ ଘରକୁ ଆସିଥିଲେ । ସୋହେଲାର ଏକ ଘରୋଇ ହସ୍ପିଟାଲରେ ତାଙ୍କ ପତ୍ନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଗତକାଲି ଶୁକ୍ରବାର କୌଣସି ଏକ କାମରେ ସେ ବାଇକ ଯୋଗେ ସୀମାନ୍ତ ଲୁହୁରାଚଟିକୁ ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ ରିଲାଏନ୍ସ ପେଟ୍ରୋଲ ପମ୍ପ ପାଖରେ ପଛ ପଟରୁ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ ।

ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ପ୍ରଥମେ ସୋହେଲା ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରିବା ପରେ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ବେଳେ ଗତ ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ସୋହେଲା ପୋଲିସ ଏବଂ ଭାରତୀୟ ସେନାର ସମ୍ବଲପୁର ଷ୍ଟେସନ କାର୍ଯ୍ୟାଳୟର ଅଧିକାରୀଗଣ ଡାକ୍ତରଖାନାକୁ ପହଞ୍ଚି ଥିଲେ । ଶବର ମାଇନା ହେଲା ପରେ ଶବର ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଶବ ସୋହେଲାକୁ ପହଞ୍ଚିବା ପରେ ଥାନା ସମ୍ମୁଖରେ ସୋହେଲାର ରାଇଜ ଅଫ ଲାୟନ, ମାରୱାଡ଼ି ଯୁବା ମଞ୍ଚ ଓ ସୋହେଲା ଅବସର ପ୍ରାପ୍ତ ସୈନିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ଏହା ପରେ ଏକ ବାଇକ ଶୋଭା ଯାତ୍ରାରେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ପୈତୃକ ଗ୍ରାମ ବିର୍ଯୁପାଲି ଗ୍ରାମକୁ ନିଆ ଯାଇଥିଲା। ସେଠାରେ ଭାରତୀୟ ସେନା ପକ୍ଷରୁ କର୍ଣ୍ଣେଲ ଦେବୀ ପ୍ରସାଦ ସାହୁ, ଜିଲ୍ଲା ପୋଲିସ ପକ୍ଷରୁ ଏସଡିପିଓ ବିଭୂତି ଭୂଷଣ ଭୋଇ, ସୋହେଲା ଥାନା ଦାୟିତ୍ବରେ ଥିବା ବିଜେପୁର ଆଇଆଇସି ଧିରେନ କୁମାର ସ୍ବାଇଁ, ବରଗଡ ଜିଲ୍ଲା ଭେଟରାନ ଆସୋସିଏସନ ସ୍ୱର୍ଗତ ଯବାନଙ୍କୁ ଶେଷ ସମ୍ମାନ ଜଣାଇ ଥିଲେ । ତାଙ୍କ ପାର୍ଥିବ ଶରୀରକୁ କ୍ଷେତକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ପୁତୁରା ଅଶୋକ ବରିହା ମୁଖାଗ୍ନି ଦେଇଥିଲେ । ଖବର ପାଇ ଭଟଲି ବିଧାୟକ ଇରାଶିସ ଆଚାର୍ଯ୍ୟ ତାଙ୍କ ବାସ ଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଯବାନଙ୍କ ଅକାଳ ମୃତ୍ୟୁରେ ଗ୍ରାମ ତଥା ଆଖ ପାଖ ଅଞ୍ଚଳରେ ଶୋକର ଛାଇ ଖେଳି ଯାଇଛି। ସ୍ବର୍ଗତ ରାଜ କିଶୋର ତାଙ୍କ ମାତା ପିତାଙ୍କ କନିଷ୍ଠ ପୁତ୍ର ଥିଲେ । ପ୍ରାୟ ୧୪ ବର୍ଷ ହେବ ସେ ସେନାରେ ସେବାରତ ଥିଲେ ।
ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ