ବରିଷ୍ଠ ନେତା ଗଙ୍ଗାଧର ବେହେରାଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ

ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ଅନ୍ତର୍ଗତ ଦେବାହଲ ଠାରେ ତା ୧୩.୦୬.୨୦୨୪ ରିଖ “ଜୟ କିସାନ ପାଠାଗାର” ତରଫରୁ ସଭାପତି ରାକେଶ ସାହୁ ସଭାପତିତ୍ବରେ ଏବଂ ଅରୁଣ ପ୍ରଧାନ ଙ୍କ ସଂଚାଳନ ରେ କୃଷକ ଆନ୍ଦୋଳନର ବରିଷ୍ଠ ନେତା ଗଙ୍ଗାଧର ବେହେରାଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳୀ ସଭା ରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ କହିଥିଲେ ଯେ ପ୍ରତିକୂଳ ପରିସ୍ଥିତି ରେ ମଧ୍ୟ ସ୍ୱର୍ଗତ ଗଙ୍ଗାଧର ସଂଗଠନ ଆନ୍ଦୋଳନ ଏକତା ସୂତ୍ରରେ ବାନ୍ଧି ରଖିଥିଲେ। କିଶନ ପଟ୍ଟନାୟକ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସଂଗଠନ ଆନ୍ଦୋଳନ ରେ ଯୋଗଦାନ କରିଥିଲେ। ସମାଜବାଦୀ ଆନ୍ଦୋଳନ ତଥା ରାଜନୀତିରେ ତାଙ୍କ ବିଚାର ଅତି ସ୍ପଷ୍ଟ ଥିଲା। ସେ ତାଙ୍କ ଜୀବନ ର ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ଲଢେଇ ଆନ୍ଦୋଳନରେ ସକ୍ରିୟ ରହିଆସିଥିଲେ। ଗାଁ ରେ ନୂତନ ପିଢି ର ଯୁବକ ମାନଙ୍କୁ ଆଦର୍ଶ ରାଜନୀତି ପ୍ରତି ଆକର୍ଷିତ କରୁଥିଲେ। ସେଥିପାଇଁ ଗାଁ ରେ ଆଜି ମଧ୍ୟ ପାଠାଗାର ନିର୍ମାଣ କରି ଯୁବବର୍ଗ ଅଧ୍ୟୟନ ଆଦି କାର୍ଯ୍ଯରେ ନିଜର ସମୟ ଦେଉଛନ୍ତି। ବର୍ତ୍ତମାନ ସମୟରେ ଏପରି ଲଢୁଆ ସଂଗ୍ରାମୀ ସାଥୀ ବହୁତ ବିରଳ। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଜୟ କିସାନ ଆନ୍ଦୋଳନର ବରିଷ୍ଠ ନେତା ଶ୍ରୀ ଶିବ ପ୍ରସାଦ ପ୍ରଧାନ, ଅରୁଣ କୁମାର ସାହୁ ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସଂପାଦକ ହର ବଣିଆଁ, ରମେଶ ପତି, ଯାଦବ ଭୁଏ, ଲକ୍ଷ୍ମଣ ସୁନା, ପ୍ରବୀଣ ସାହୁ, ଉମେଶ ବିଶ୍ବାଳ, ମନୋରଞ୍ଜନ ସାହୁ, ସୀତାରାମ ମେହେରଙ୍କ ସମେତ ଜୟ କିସାନ ଆନ୍ଦୋଳନର ଶତାଧିକ ଚାଷୀ କର୍ମୀ ଯୋଗଦାନ କରିଥିଲେ।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *