“ଅନନ୍ୟା” ର ଲୋକାର୍ପଣ ପର୍ବ ଓ କବିତା ପାଠୋତ୍ସବ

କର୍ଲାମୁଣ୍ଡା: ସୃଷ୍ଟି ସମ୍ଭାର ସାହିତ୍ୟ ପରିବାର, କଳାହାଣ୍ଡି ଆନୁକୂଲ୍ୟରେ ଅନଲାଇନ ମାଧ୍ୟମରେ ନାରୀ ଜୀବନର କୁହା-ଅକୁହା କଥା ଓ କାହାଣୀ ଉପରେ ଆଧାରିତ ସଂକଳିତ ପୁସ୍ତକ “ଅନନ୍ୟା” ର ଲୋକାର୍ପଣ ପର୍ବ ଓ କବିତା ପାଠୋତ୍ସବ ରବିବାର ସନ୍ଧ୍ୟା ରେ ଅନୁଷ୍ଠିତ ହୋଇ ଯାଇଛି । ବଛାବଛା କୋଡିଏ ଜଣ ସୃଜନୀ ଶିଳ୍ପୀଙ୍କ ଲେଖାକୁ ନେଇ “ଅନନ୍ୟା” ପ୍ରକାଶିତ ହୋଇଥିବା ବେଳେ ଯୁବ ସମ୍ପାଦକ କାହ୍ନୁ ଚରଣ ସାହୁ ଏହାର ସମ୍ପାଦନା ଦାୟିତ୍ୱ ତୁଲାଇ ଥିଲେ । ନରେଶ କୁମାର ସାହୁ ପୁସ୍ତକର ଚମତ୍କାର ପ୍ରଚ୍ଛଦପଟ୍ଟ ପ୍ରସ୍ତୁତ କରି ପାଠକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଉକ୍ତ ଲୋକାର୍ପଣ ପର୍ବରେ ମୁଖ୍ୟ ଅତିଥି ଭାବେ ସୁଦୂର ମୁମ୍ବାଇରୁ ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥାର ସମ୍ପାଦିକା ତଥା ସୁସାହିତ୍ୟିକା ମୈତ୍ରେୟୀ କମିଳା ଯୋଡି ହୋଇ ଦେଶ ଓ ଦେଶ ବାହାରେ ନାରୀର ଜୀବନଚର୍ଯ୍ୟା, ନାରୀସୁରକ୍ଷା ବିଷୟରେ ବକ୍ତବ୍ୟ କରିଥିଲେ । ମୁଖ୍ୟବକ୍ତା ଭାବରେ କୋଠଘର ସାହିତ୍ୟ ଅନୁଷ୍ଠାନର ସମ୍ପାଦିକା, ସୁସାହିତ୍ୟିକା ଅମ୍ବିକା ସ୍ୱାଇଁ ସାମିଲ ହୋଇ ଘରେ ଓ ଘର ବାହାରେ କିଭଳି ଜଣେ ନାରୀ ନିର୍ଯ୍ୟାତନାର ଶିକାର ହୋଇଥାଏ ସେ ବିଷୟରେ ଆଲୋକପାତ କରିଥିଲେ ଏବଂ ସଭାପତି କାହ୍ନୁ ଚରଣ ସାହୁ “ଅନନ୍ୟା” ର ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ । ଆରମ୍ଭରୁ ଇତିଯାଏଁ ସମସ୍ତଙ୍କୁ ଚମତ୍କାର ବାକ୍ ଚାତୁରୀରେ ବାନ୍ଧିରଖି ସୃଜନୀ ପର୍ବର ସଂଯୋଜନା ଓ ଉପସ୍ଥପନା ଉପସ୍ଥାପିକା ଆରତୀ ବଡଜେନା କରିଥିଲେ । ପରିଶେଷରେ ତପନ କୁମାର ସାହୁ ଲୋକାର୍ପଣ ପର୍ବକୁ ସଫଳ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବହୁ ସଂଖ୍ୟକ କବି କବୟିତ୍ରୀ କାର୍ଯ୍ୟକ୍ରମରେ ସାମିଲ ହେବା ସହ ସ୍ୱରଚିତ କବିତା ଆବୃତ୍ତି କରି ସ୍ରୋତାଙ୍କୁ ବିମୋହିତ କରିଥିଲେ ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, କ୍ରାନ୍ତି ଓଡ଼ିଶା ନ୍ୟୁଜ

Leave a Reply

Your email address will not be published. Required fields are marked *