ଦେଶରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି, ପରିସ୍ଥିତି ଖରାପ: ଆଇଏମଏ ଅଧ୍ୟକ୍ଷ

Advertisement
Advertisement
Click for Any Complaint Regarding This News
AAA Online Services

ଡେସ୍କ : ଭାରତରେ କରୋନା ସଂକ୍ରମଣ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥିବା ବେଳେ ଏହା ଗୋଷ୍ଠୀ ସଂକ୍ରମଣ ସ୍ଥରରେ ପହଂଚିଛି ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ କହିଛି। ଏବେ ଦେଶରେ କରୋନା ଜନିତ ସଂକ୍ରମଣ ପରିସ୍ଥିତି ବହୁତ ଖରାପ ରହିଥିବା ଆଇଏମଏ ଆକଳନ କରିଛି। ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ସହ କଥାବାର୍ତ୍ତା ବେଳେ ଆଇଏମଆଇ ହସ୍ପିଟାଲ ବୋର୍ଡ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଡାକ୍ତର ଭି.କେ. ମୋଙ୍ଗା କହିଛନ୍ତି ଯେ ଏବେ ଏହି କରୋନା ସଂକ୍ରମଣର ବୃଦ୍ଧି ତୀବ୍ରତର ହେବାରେ ଲାଗିଛି। ପ୍ରତିଦିନ ନୂଆ ସଂକ୍ରମଣ ସଂଖ୍ୟା ପ୍ରାୟ ୩୦ ହଜାରରୁ ଅଧିକ ବୃଦ୍ଧି ପାଉଛି। ଏହା ବାସ୍ତବରେ ଦେଶ ପାଇଁ ଏକ ଖରାପ ପରିସ୍ଥିତି। ଯଦିଓ ଏଥିପାଇଁ ଅନେକ କାରଣ ରହିଛି କିନ୍ତୁ ସାମଗ୍ରିକ ଭାବେ ଏହା ବର୍ତ୍ତମାନ ଗ୍ରାମାଞ୍ଚଳରେ ବ୍ୟାପୁଛି ଯାହା ଏହା ଏକ ଖରାପ ସଙ୍କେତ ଓ ଏହା ଗୋଷ୍ଠୀ ସଂକ୍ରମଙ୍କୁ ଦର୍ଶାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଦ୍ୟତନ ତଥ୍ୟ ଅନୁଯାୟୀ ଦେଶରେ ମୋଟ ସଂକ୍ରମଣ ୧୦ ଲକ୍ଷ ୩୮ ହଜାର ୭୧୬ରେ ପହଞ୍ଚିଛି ଥିବା ବେଳେ ଦେଶର ବିଭିନ୍ନ କୋଭିଡ ସ୍ୱତନ୍ତ୍ର ହସ୍ପିଟାଲରେ ୩ଲକ୍ଷ ୫୮ ଯାହାର ୬୨୯ ଜଣ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଏବେ ସୁଦ୍ଧା ୬ ଲକ୍ଷ ୫୩ ହଜାର ୭୫୧ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଆଜି ପର୍ଯ୍ୟନ୍ତ ମୋଟ ୨୬ ହଜାର ୨୭୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଡକ୍ଟର ମୋଙ୍ଗା କହିଛନ୍ତି, କରୋନା ସଂକ୍ରମଣ ଉଭୟ ସହର ଏବଂ ଗ୍ରାମରେ ତାର କାୟା ବିସ୍ତାର କରିସାରିଲେଣି ଯେଉଁଠାରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହେବ। ଦିଲ୍ଲୀରେ ଏହି ସଂକ୍ରମଣକୁ ପରିଚାଳନା କରିବାରେ ଯଦିଓ ସେମାନେ ସକ୍ଷମ ହୋଇ ଆସୁଥିଲେ କିନ୍ତୁ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଗୋଆ ଏବଂ ମଧ୍ୟପ୍ରଦେଶର ଆଭ୍ୟନ୍ତରୀଣ ଅଂଚଳରେ ଏହାର ପ୍ରସାର ଚିନ୍ତା ବଢ଼ାଇ ଦେଇଥିବା ସେ କହିଛନ୍ତି।

ମୋଙ୍ଗା କହିଛନ୍ତି ଯେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଯତ୍ନବାନ ହେବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିବା ଆବଶ୍ୟକ। ଏପର୍ଯ୍ୟନ୍ତ ଦେଶରେ ୮୮୫ଟି ସରକାରୀ ଓ ୩୬୮ଟି ଘରୋଇ ପରୀକ୍ଷାଗାରରେ ୧ କୋଟି ୩୪ ଲକ୍ଷ ୩୩ ହଜାର ୭୪୨ଟି ନମୁନା ପରୀକ୍ଷା ସରିଛି। ସେ କହିଛନ୍ତି ଯେ ଏହା ଏଭଳି ଏକ ସଂକ୍ରାମକ ରୋଗ ଯାହା ଅତି ଶୀଘ୍ର ବ୍ୟାପିଥାଏ। ଏହି ରୋଗକୁ ଧାରଣ କରିବା ପାଇଁ କେବଳ ଦୁଇଟି ବିକଳ୍ପ ଅଛି। ପ୍ରଥମତଃ ଏଥିରେ ୭୦ ପ୍ରତିଶତ ଜନସଂଖ୍ୟା ଏହି ରୋଗରେ ଆକ୍ରାନ୍ତ ହୋଇ ରୋଗ ପ୍ରତିରୋଧକ ଶକ୍ତି ପାଇବେ ଏବଂ ଅନ୍ୟମାନେ ସଂକ୍ରମଣ ହେବାର ସ୍ଥରରେ ଅଛନ୍ତି ବୋଲି ମୋଙ୍ଗା କହିଛନ୍ତି। ସେ କହିଛନ୍ତି ଯେ ଭାରତ ଖୁବ ଶୀଘ୍ର ଦୁଇଟି ସ୍ବଦେଶୀ ଟୀକାର ମାନବ ପରୀକ୍ଷଣ ଆରମ୍ଭ କରିବାକୁ ଯାଉଛନ୍ତି।

Please Share

Leave a Reply

Your email address will not be published. Required fields are marked *