ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ରେଳ ଯାତ୍ରୀମାନେ କିଛି ଦିନ ପାଇଁ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି। ଜୁଲାଇ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ରେଳ ଷ୍ଟେସନ ନେଇ ଚାଲୁଥିବା ୮୦ଟି ଟ୍ରେନକୁ ବାତିଲ କରାଯାଇଛି । କେବଳ ସେତିକି ନୁହେଁ ୫୭ ଟ୍ରେନ୍ ର ଗତିପଥ ପରିବର୍ତ୍ତନ କରାଯାଇଛି । ନୂଆଦିଲ୍ଲୀରୁ ତିଳକ ରେଳ ଷ୍ଟେସନ ପର୍ଯ୍ୟନ୍ତ ୫ମ ଓ ୬ଷ୍ଠ ରେଳ ଲାଇନ୍ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଅଧିକାରୀ କହିଛନ୍ତି ।
ଅଧିକାରୀଙ୍କ କହିବା ଅନୁଯାୟୀ, ନୂଆ ରେଳ ଧାରଣା ନିର୍ମାଣ ହେବା ପରେ ନୂଆଦିଲ୍ଲୀରେ ରେଳ ଚଳାଚଳ ବ୍ୟବସ୍ଥା ଉନ୍ନତମାନର ହେବ । ବର୍ତ୍ତମାନ ନୂଆଦିଲ୍ଲୀରୁ ତିଳକ ସେତୁ ପର୍ଯ୍ୟନ୍ତ ୪ଟି ରେଳ ଧାରଣା ରହିଛି । ଟ୍ରେନ୍ ସଂଖ୍ୟା ହିସାବରେ ରେଳ ଧାରଣା ବହୁତ କମ୍ ରହିଛି । ପର୍ଯ୍ୟାପ୍ତ ରେଳ ଲାଇନ୍ ନଥିବା କାରଣରୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନୂଆଦିଲ୍ଲୀରେ ଟ୍ରେନ୍ ଚଳାଚଳ ହେବାରେ ସମସ୍ୟା ହେଉଛି ।
ରେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି, ନୂଆ ରେଳ ଧାରଣା ନିର୍ମାଣ ହେବା ପରେ ଏହି ସମସ୍ୟା ଦୂର ହେବ । ଉତ୍ତର ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ, ୧୯୭୮ରେ ହୋଇଥିବା ତିଳକ ସେତୁ ଉପରେ ପ୍ରତିଦିନ ୮୦ ଟ୍ରେନ୍ ଚଳାଚଳ କରୁଥିବା ବେଳେ ବର୍ତ୍ତମାନ ଏହାର ସଂଖ୍ୟା ବଢି ୩୫୦ରେ ପହଞ୍ଚିଛି । ୨.୬ କିମି ଦୀର୍ଘ ଏହି ଦୁଇ ରେଳ ଲାଇନ୍ ନିର୍ମାଣରେ ପ୍ରାୟ ୧୪୦ କୋଟି ଟଙ୍କା ଖର୍ଚ୍ଚ ହେବ ।