କଟକ : ଗତ ମାର୍ଚ୍ଚ ମଧ୍ୟ ଭାଗରୁ କୋଭିଡ-୧୯ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ନିଜ ଢାଞ୍ଚାରେ ଉଦ୍ୟମ କରୁଥିବା ବାସ୍ତବତା ଯେତିକି ଅନୁଭୂତ ନୁହେଁ ତା’ ଠାରୁ ଅଧିକ ପ୍ରଚାର ଓ ପ୍ରସାରର ଭୂମିକା ଗଣମାଧ୍ୟମ ଗୁଡିକ ଜରିଆରେ ସାଧାରଣ ଜନତାଙ୍କ ଉପରେ ଭାରି ପଡିଯାଇଛି । କୋଣସି ଜନ ପ୍ରତିନିଧି ବା ମନ୍ତ୍ରୀଙ୍କୁ କୋଭିଡ ନିୟନ୍ତ୍ରଣ ପ୍ରକ୍ରିୟାରେ ସାମିଲ ନକରି ନବୀନ ବାବୁ ନିଜର ବିଶ୍ଵସ୍ତ ଆଇ.ଏ.ଏସ ଅଧିକାରୀ ମାନଙ୍କୁ ଦାୟିତ୍ଵ ଦେଇଥିଲେ । ମାତ୍ର ଆଶାନୁରୂପ ସଫଳତା ମିଳିଲା ନାହିଁ। ଏହା ନିଚ୍ଛକ ସତ୍ଯରେ ପରିଣତ ହୋଇଛି । ଗତ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୋ ସରକାରଙ୍କ ହାତକୁ ଗଲା କୋଭିଡ ପରିଚାଳନା ଦାୟିତ୍ଵ । ଏହା କହି ପରୋକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵୀକାର କଲେ ଯେ, ରାଜ୍ୟ ସରକାର, ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନମାନେ ନିଜର ଅପରାଗତାରୁ କରୋନା ନିୟନ୍ତ୍ରଣ ପାଇଁ ଠିକଣା ଭାବେ ପଦକ୍ଷେପ ନେବାରେ ବିଫଳ ହେଲେ । ଏ ଯାଏ ଯେତେ ତୁମ୍ଭି ତୋଫାନ ସବୁ ଲୋକ ଦେଖାଣିଆ ଥିଲା । ପାଣି ଭଳି ହଜାର ହଜାର ଶହ ଶହ କୋଟିର ଅର୍ଥ ଶ୍ରାଦ୍ଧ ହୋଇଗଲା । କୋଭିଡ ଦୁର୍ନୀତି ଚରମ ସୀମାରେ ପହଞ୍ଚି ଗଲାଣି । ମାସ୍କ କିଣା,ଆଣ୍ଟିଜେନ ଟେଷ୍ଟ କିଟ କିଣା, ହୋମ କ୍ଵାରେଣ୍ଟାଇନ, ଇନଷ୍ଟିଚ୍ୟୁସନାଲ କ୍ଵାରେଣ୍ଟାଇନ, ଆଇସୋଲେସନ ୱାର୍ଡ ଓ କୋଭିଡ କେୟାର ସେଣ୍ଟର ଓ ପ୍ରବାସୀଙ୍କ ଥଇଥାନ ଆଦିରେ ବ୍ୟାପକ ଦୁର୍ନୀତିର ଗନ୍ଧ ବାରି ହୋଇ ପଡୁଛି ବୋଲି କହି ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ଅଭିଯୋଗ କରିବା ସହିତ କ୍ଷୋଭ ପ୍ରକାଶ କରିଛନ୍ତି । କେନ୍ଦ୍ରର ମୋଦି ସରକାର ମଧ୍ୟ ପ୍ରବାସୀଙ୍କୁ ଅପରିଣାମଦର୍ଶୀ ଓ ଅବ୍ୟବସ୍ଥିତ ଭାବେ ଦେଶ ଭିତରକୁ ପ୍ରବେଶ କରାଇ ସାରି କୋଭିଡ଼ ନିୟନ୍ତ୍ରଣକୁ ଆୟତ୍ତ କରି ନପାରି ଚତୁରତାର ସହିତ ରାଜ୍ୟ ସରକାରମାନଙ୍କ ଉପରେ ଲଦି ଦେଲେ । ମହାମାରୀ କରୋନା ଲଢେଇରେ ଶସ୍ତା ଲୋକପ୍ରିୟତା ନେବାକୁ ଯାଇ ମୋଦିଜୀ ନିଜସ୍ଵ ଶୈଳିରେ ତାଳି ମାରିବା, ଥାଳି ବାଡେଇବା, ଘଣ୍ଟ ପିଟିବା, ଘରର ଆଲୁଅ ବନ୍ଦ କରିବା ଏବଂ ମହମବତୀ ଜାଳିବା ଆଦି ଅବୈଜ୍ଞାନିକ ତତ୍ତ୍ଵକୁ ଗୁରୁତ୍ଵ ଦେଇ ବାସ୍ତବତା ଠାରୁ ଦୂରେଇ ଯିବା ଦୁଃର୍ଭାଗ୍ୟଜନକ ।

ରାଜ୍ୟର ପ୍ରଧାନ ବାଣିଜ୍ୟ କେନ୍ଦ୍ର ଐତିହାସିକ କଟକ ସହରରେ ଉଚ୍ଚ ନ୍ୟାୟାଳୟ, ପୋଲିସ ମୁଖ୍ୟାଳୟ, ବଡ ଡାକ୍ତରଖାନା, ଶିଶୁଭବନ ସମେତ ବିଭିନ୍ନ ମୁଖ୍ୟକାର୍ଯ୍ୟାଳୟମାନ ଥାଇ ମଧ୍ୟ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାରଙ୍କ କଟକ ସହର ପ୍ରତି ଚରମ ଅବହେଳା .ସମସ୍ତଙ୍କୁ ବ୍ୟଥିତ କରିଛି । ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଉଦ୍ୟମ ଆଦୌ ଉତ୍ସାହଜନକ ନଥିଲା । ଜିଲ୍ଲାପାଳ ଓ କମିଶନର କେବଳ ଗୋପଦ ଅଭିଯାନରେ ଯାଇ ସ୍ଥାନୀୟ ସମସ୍ୟାକୁ ଗୁରୁତ୍ଵ ଦେବା ପରିବର୍ତ୍ତେ ନିଜକୁ ଗଣମାଧ୍ୟମରେ ବାନ୍ଧି ରଖିବାକୁ ସଫଳ ହୋଇଛନ୍ତି । ତା‘ ନହୋଇ ଥିଲେ କଟକ ସହରରେ କରୋନା ସଂକ୍ରମଣ ଏତେ ବ୍ୟାପକ ହୋଇ ନଥାନ୍ତା । କରୋନା ସଂକ୍ରମଣ ବା ସ୍ୱାସ୍ଥ୍ୟ ସେବାକୁ ସେମାନେ ଗୌଣକରି ଏସସିବି ମେଡିକାଲ ସଂପ୍ରସାରଣ ଆଳରେ ବର୍ଫି ଯୋଜନା ଓ ବସ୍ତି ଉଚ୍ଛେଦରେ ଦୁଇ ଅଧିକାରୀ ସମସ୍ତ ବଳ ଖଟାଇ ନିଜର ମୁଖ୍ୟ କର୍ତ୍ତବ୍ୟ ଭାବେ ଗ୍ରହଣ କରିନେଇଥିଲେ । ସଂପ୍ରତି ସହରରେ ଥିବା SCB ମେଡିକାଲ, ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଓ ଶିଶୁଭବନ ଆଦି ତିନି ପ୍ରମୁଖ ମେଡିକାଲରେ ରୋଗୀ, କର୍ମଚାରୀ ଓ ରୋଗୀଙ୍କ ସଂପର୍କୀୟଙ୍କ ଆକ୍ରାନ୍ତ ସଂଖ୍ୟା ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି । ଜଣେ କର୍କଟ ରୋଗୀଙ୍କ ଠାରୁ ଏହି ଭୂତାଣୁ ଚିକିତ୍ସା କେନ୍ଦ୍ରର ଅନ୍ୟ ରୋଗୀ, ସଂପର୍କୀୟ, ନର୍ସ, ଡାକ୍ତରଙ୍କ ସମେତ ଆହାର କେନ୍ଦ୍ର କର୍ମଚାରୀଙ୍କୁ ବ୍ୟାପିଥିବାରୁ ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଉଥିବା ସନ୍ଦେହ ସୃଷ୍ଟି ହେଉଛି । ପ୍ରବାସୀଙ୍କ ଥଇଥାନରେ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତାରୁ କରୋନା ଭୂତାଣୁ ସଂକ୍ରମଣ ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କଲା ବୋଲି ମଧ୍ୟ ବିଧାୟକ ଅଭିଯୋଗ କରିଛନ୍ତି । ଏବେ ବି ସମୟ ଅଛି, କଟକ ସହରରେ କୋଭିଡ଼ ନିୟନ୍ତ୍ରଣ ପାଇଁ ସ୍ଥାନୀୟ ନିର୍ବାଚିତ ଲୋକ ପ୍ରତିନିଧି ସାଂସଦ ଓ ବିଧାୟକଙ୍କ ସମେତ ଜିଲ୍ଲାପାଳ, କମିଶନର ଓ ନୋଡାଲ ଅଫିସର ମାନଙ୍କୁ ନେଇ କୋଭିଡ ପରିଚାଳନା କମିଟି ଗଠନ କରାଯାଉ । ନିୟମିତ ସମୀକ୍ଷା ବୈଠକ ଜରିଆରେ ଜରୁରୀ କାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଉ । ମୁଖ୍ୟମନ୍ତ୍ରୀ ଏ ଦିଗରେ ଗୁରୁତ୍ଵ ଦେବା ପାଇଁ ବିଧାୟକ ଶ୍ରୀ ମୋକିମ ନିବେଦନ ଜଣାଇଛନ୍ତି । ଏ ଭଳି ପରିସ୍ଥିତିରେ ଲକ ଡାଉନ ଓ ସଟ ଡାଉନ ଜାରିର ଆବଶ୍ୟକତା ନିଶ୍ଚିତ ରହିଛି । ଏ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀମାନେ ପରିସ୍ଥିତିକୁ ଗମ୍ଭୀର ଭାବେ ନେବାକୁ ହେବ । ଦୈନଦିନ ଅତ୍ୟାବଶ୍ୟକ ଦୋକାନ ବ୍ଯତୀତ ଅନ୍ଯଥା କଟକଣା ଜାରି ହେଉ । କୋଭିଡ଼ ନିୟନ୍ତ୍ରଣ ଆଳରେ ଅନ୍ଯାନ୍ଯ ରୋଗୀଙ୍କ ଚିକିତ୍ସାକୁ ହେଳା କରାନଯାଉ । ସେମାନଙ୍କ ପ୍ରତି ବି ଯତ୍ନବାନ ହେବାର ଆବଶ୍ୟକତା ରହିଛି।
କଟକ ମହାନଗର ନିଗମ ଅନ୍ତର୍ଗତ ସମସ୍ତ ୱାର୍ଡ ଅଞ୍ଚଳ, ସାହିବସ୍ତି ଗୁଡିକୁ ନିୟମିତ ସାନିଟାଇଜ କରାଯିବ ସହିତ ପରିମଳ, ରାସ୍ତାଘାଟ ନାଳ ନର୍ଦ୍ଦମା ସଫେଇ, ସନ୍ତସନ୍ତିଆ ଅଞ୍ଚଳରେ ବ୍ଲିଚିଂ ପକାଇବା, ମଶାତେଲ ପକାଇବା ଆଦି ଦୈନଦିନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା । ସଂପ୍ରତି ସହରର କରୋନା ସଂକ୍ରମଣ ଜନିତ ସଂବେଦନଶୀଳ ଏସସିବି ମେଡିକାଲ,ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ର,ଶିଶୁ ଭବନ, ମଙ୍ଗଳବାଗ, ରାଣୀହାଟ,ରାମଗଡ-କନିକା ଛକ ଓ ସିଡିଏ ଆଦି ପ୍ରମୁଖ ଅଞ୍ଚଳ ପ୍ରତି ଯତ୍ନବାନ ହେବାକୁ ପଡିବ । ସହରରେ ଏଯାବତ ୨୧୩ (ଏବେ ସୁଦ୍ଧା) ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଗୋଷ୍ଠୀ କାର୍ଯ୍ୟକ୍ରମରୁ ଦୂରେଇ ରହିବା ଏବଂ କୋଭିଡ଼-୧୯ ଅନୁଶାସନକୁ ଅନୁପାଳନ କରି ଆବଶ୍ୟକ ସ୍ଥଳେ ପ୍ରଶାସନିକ ଅଧିକାରୀଙ୍କୁ ସହଯୋଗ କରିବା ପାଇଁ ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ ସହରବାସୀଙ୍କୁ ନିବେଦନ କରିଛନ୍ତି ।