କମଳିନୀ ଦେବୀ
ଉଦୟ ପୂର୍ବରୁ ଅସ୍ତ ଆମର କାହିଁକି କରୁଛ ତୁମ୍ଭେ
ବଞ୍ଚିବାର ଏକା ଅଧିକାର ତୁମ ଜୀଇଁବୁ ନାହିଁକି ଆମ୍ଭେ ?
ମାତା ପିତା ପୁତ୍ର ପ୍ରେମେ ଅନ୍ଧ ହୋଇ ଆମକୁ କରୁଛ ନ୍ୟୁନ
ଅବଳା ଭାବି ଯା କର ଅବହେଳା ନୁହେଁ କି ଧରମ କ୍ଷୁର୍ଣ୍ଣ ।।
ଝିଅ ପୁଅ ସବୁ ସମାନ ବୋଲିଣ ସ୍ଲୋଗାନ୍ ଦେଉଛ କେତେ
ମୃତ୍ୟୁ ବିଧାନ ଲେଖ ଆମପାଇଁ ନିର୍ଦୟ ହୋଇ ଏତେ ।।
ଆମ ଗର୍ଭରେ କୁଳ ଗୌରବ ଦୁଇ କୁଳ ହିତାକାଂକ୍ଷୀ
ଆମରି ଭିତରେ ଭବିଷ୍ୟତ ସୃଷ୍ଟି ଦେଖୁଅଛି ମାରି ଉଙ୍କି ।।
ଅଟୁଁ ପରା ସୀତା, ଯାଜ୍ଞସେନୀ ଯେ ଅନସୂୟା, ଅରୁନ୍ଧତୀ
ଆମେ ହିଁ ଇନ୍ଦିରା, ମଦର ଟେରେସା, ନନ୍ଦିନୀ ଶତପଥୀ ।।
କଳ୍ପନା ଚାୱଲା ,ସୁନିତା ୱିଲିୟମ୍ ସରଗ ରାଇଜ ପରୀ
ଝାନ୍ସୀ ଲକ୍ଷ୍ମୀବାଇ,ରାଣୀ ଦୁର୍ଗାଦେବୀ, ପ୍ରତିଭା ପାଟିଲ୍ ସରି ।।
ଗାର୍ଗୀ, ମୈତ୍ରୀ, ଲୋପାମୂଦ୍ରା ଆମେ, ଆମେରେ ଅହଲ୍ଯା ବାଇ
କିରଣ ବେଦୀ, ଦୌପଦୀ ମୂର୍ମୂ ବିଶ୍ବ ବନ୍ଦିତ ଏ ମହୀ ।।
ପାଷାଣ ପ୍ରତିମା ପୂଜିବାକୁ ତୁମେ ଦେଉଳ ଦୁଆର ଯାଅ
ଆମେ ଶ୍ରୀ ଲକ୍ଷ୍ମୀ, ଆମେ ସରସ୍ବତୀ, ଗାୟତ୍ରୀ ଆମେରେ ଚାହଁ ।।
ଶକ୍ତି ସ୍ବରୂପିଣୀ ଦୁର୍ଗା, କାଳିକା, ମନ୍ଦାକିନୀ, ବୃନ୍ଦାବତୀ
ପତତପାବନୀ, ଦର୍ପ ସଂହାରିଣୀ, ସାବିତ୍ରୀ, ସତୀ ପାର୍ବତୀ ।।
ଜୀବନ ବଦଳେ ମୃତ୍ୟୁ ଯେ ଦିଅ ଏଇକି ତୁମର ଶିକ୍ଷା
ଅମୃତର ଛଳେ ବିଷ ଦେଉଅଛ ନେଇଅଛ ମହାଦୀକ୍ଷା ।।
ପୁରୁଷ ସେବାରେ ନାରୀ ସାଜେ ଭବେ ଜନନୀ, ଭଗିନୀ, ଜାୟା
ସଦା ଅନୁଗତ ପରିପୁରକରେ କାୟା ସଙ୍ଗେ ଯେହ୍ନେ ଛାୟା ।।
ଏତେ ନିଷ୍ଠୁର ସାଜିଛ କାହିଁକି ଆମପାଇଁ ଅବହେଳା
ମାରୁଛ ଗର୍ଭରେ ଜନ୍ମ କରି ଫିଙ୍ଗ ଆମର କି ଦୋଷ ଭଲା ।।
ନିଷ୍ପାପ ଆମେ ଦେବଶିଶୁ କନ୍ୟା ଓହ୍ଲାଇ ମରତ ଧାମ
କରିବୁ ସରସ, ସୁନ୍ଦର ଏ ଦେଶ ଏ ଭୂମି କୁ ମହିୟାନ ।।
ସମ୍ପାଦିକା- ବରଗଡ଼ ଲେଖିକା ସଂସଦ