ପୁରୀ : ଗତକାଲି ପୁରୀ ଶ୍ରୀମନ୍ଦିରରେ ଲକ ଡାଉନ ନିୟମ ଖାତିର ନ କରି ପରିବାର ସହ ଦର୍ଶନ କରିବା ବଡ଼ଚନା ଥାନା ଅଧିକାରୀଙ୍କୁ ମହଙ୍ଗା ପଡିଛି। ଏ ବାବଦରେ ସିଂହଦ୍ୱାର ଥାନାରେ କେସ ନମ୍ବର 40/2020 ମୂଳେ ମାମଲା ରୁଜୁ ହୋଇ ଖୋଳତାଡ଼ ଚାଲିଛି ।
ମିଳିଥିବା ସୂଚନା ଅନୁସାରେ ବିଶେଷ କରି ଯେଉଁ ଗାଡି ବଡ଼ଚଣା ଥାନା ଅଧିକାରୀଙ୍କ ନିକଟରୁ ଜବତ କରାଯାଇଛି, ତାହା ମଧ୍ୟ ଏକ ପୂର୍ବରୁ ସିଜ ହୋଇଥିବା ଗାଡି ବୋଲି ପୋଲିସ ସନ୍ଦେହ କରୁଛି, କିନ୍ତୁ ଏ ସଂକ୍ରାନ୍ତରେ ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇନାହିଁ, ଯଦି ତାହା ସତ୍ୟ ହୋଇଥାଏ ତେବେ ସାଂଘାତିକ।
ମାତ୍ର ତୁରନ୍ତ ପଦକ୍ଷେପ ହିସାବରେ ରାଜ୍ୟ ପୋଲିସ ମହାନିର୍ଦେଶକ ବଡ଼ଚଣା ଥାନା ଅଧିକାରୀଙ୍କୁ ସସପେଣ୍ଡ କରିଥିବାର ସୂଚନା ମିଳିଛି । ମାତ୍ର ଶ୍ରୀ ଜେନା ଜଣେ ପୋଲିସ ଇନ୍ସପେକ୍ଟର ହିସାବରେ କିପରି ନିଜର ଗୁରୁ ଦାୟିତ୍ୱ ଭୁଲିଯାଇ କରୋନା ଭଳି ପରିସ୍ଥିତିରେ ଏଭଳି କାର୍ଯ୍ୟ କଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପ୍ରକାଶ ଥାଉ କି ଲକ ଡାଉନ କଟକଣାକୁ ଖାତିର ନ କରି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ନିଜ ପରିବାର ସହ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। କଡ଼ା ସୁରକ୍ଷା ବଳୟ ସତ୍ତ୍ବେ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ଦର୍ଶନ ସାରି ଫେରିଲା ବେଳେ ଦକ୍ଷିଣଦ୍ବାରରେ ମୁତୟନ ପୁଲିସ ହାତରେ ଧରା ପଡ଼ିଥିଲେ। ଶ୍ରୀ ଜେନା ପୁଲିସ କର୍ମଚାରୀ ପରିଚୟ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଏହା ଦେଖି ସାଧାରଣ ଲୋକଙ୍କ ସିଂହଦ୍ୱାର ଥାନା କୁ ଜଣେଇଥିଲେ। ଲୋକଙ୍କ ଚାପରେ ସିଂହଦ୍ବାର ପୁଲିସ ଥାନା ଅଧିକାରୀ ଶ୍ରୀ ଜେନା ଓ ତାଙ୍କ ପରିବାରକୁ ଅଟକ ରଖିବା ସହ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଛି।