ଜଗତସିଂହପୁର:(ରମେଶ ମହାନ୍ତି):-ରାଜ୍ୟ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି।କିନ୍ତୁ କେତେକ ଅସାଧୁ କର୍ମଚାରୀ ଓ ଦୁର୍ନିତିଖୋର୍ କୁଜିନେତାଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ଯୋଜନା ଗୁଡିକ ସାଧାରଣ ଲୋକଙ୍କ ପାଖରେ ଅପହଁଚ ପାଲଟିଥିବା ଅଭିଯୋଗ ହେଉଛି। ଏପରିକି ରାଜ୍ୟରେ “ଫାଇବ୍ ଟି”ର ଡିଣ୍ଡିମ ବାଜୁଥିବା ବେଳେ ତିର୍ତୋଲ ବ୍ଲକରେ କିନ୍ତୁ ଏହା ପ୍ରହସନ ପାଲଟିଛି।ଏପରିକି ଲୋକର ମୃତ୍ୟୁ ହେବା ପୂର୍ବରୁ ତାଙ୍କ ନାଁରେ ଫଲ୍ସ ବିଲ୍ କରି ମୃତ୍ୟୁ ସହାୟତା ରାଶିକୁ ମଧ୍ୟ ଖାଇଯାଉଛନ୍ତି।ଏହିପରି ଏକ ଘଟଣା ତିର୍ତ୍ତୋଲ ବ୍ଲକ୍ ଜଡତିରା ପଂଚାୟତ ରେ ଦେଖିବାକୁ ମିଳିଛି।ସୂଚନାନୂଯାୟୀ ଉକ୍ତ ପଂଚାୟତ ୨ନଂ ୱାର୍ଡର ବାସିନ୍ଦା ଶେଷଦେବ ନାଥଶର୍ମାଙ୍କର ୨୭.୦୧. ୨୦୧୯ ରେ ମୃତ୍ୟୁ ହୋଇଥିଲା ଯାହାକି ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ମିଳିଛି।କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଶେଷଦେବଙ୍କ ମୃତ୍ୟୁର ୪ମାସ ପୂର୍ବରୁ ୧୫.୦୯.୨୦୧୮ରେ ହରିଶ୍ଚନ୍ଦ୍ର ଯୋଜନାରେ ମୃତ୍ୟୁ ସହାୟତା ରାଶି ବାବଦକୁ ୨୦୦୦ ଟଙ୍କା ତାଙ୍କ ବୋହୁ ନାଁରେ ଉଠାଇ ନେଇଛନ୍ତି ବୋଲି ପଂଚାୟତ ଅଫିସ୍ ରେ ବିଲ୍ ହୋଇଛି ।କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ମୃତ ଶେଷଦେବଙ୍କର ଛୋଟ ପୁଅଟି ବିବାହ କରିନଥିବା ବେଳେ ବୋହୁ କିପରି ତାଙ୍କ ମୃତ୍ୟୁର ୪ମାସ ପୂର୍ବରୁ ମୃତ୍ୟୁ ସହାୟତା ରାଶି ପଂଚାୟତ ଅଫିସ୍ ରୁ ନେଇଗଲେ ଏନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି।ଏପରିକି ମୃତ ଶେଷଦେବଙ୍କ ପରିବାର ଲୋକ ଏହି ସହାୟତା ରାଶି ପାଇନାହାଁନ୍ତି ବୋଲି ଜଣାପଡିଛି।ଏଠି ପ୍ରଶ୍ନ ଉଠୁଛି ଶେଷଦେବଙ୍କ ପୁଅ ଯଦି ବିବାହ କରିନାହିଁ ତାହାଲେ ବୋହୁ କେମିତି ସହାୟତା ରାଶି ନେଇଗଲେ ? ପୁଣି ୪ମାସ ପୂର୍ବରୁ କିଏ ଦେଲେ ଓ କେମିତି ପଂଚାୟତ ଅଫିସ୍ ରେ ଏନେଇ ବିଲ୍ ହେଲା ଏହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଦାବୀ ହେଉଛି।ଏହି ଦୁର୍ନିତି ଘଟଣାର ପର୍ଦ୍ଦାଫାସ୍ କରିଛନ୍ତି ଉକ୍ତ ପଂଚାୟତର ଜନୈକ ଯୁବକ ସୂଚନାଧିକାର ଆଇନ ବଳରେ ତଥ୍ୟ ପାଇବା ପରେ ଏପରି ଏକ ଦୁର୍ନିତି ହୋଇଛି ବୋଲି ଜଣାପଡିଥିଲା।ଯାହାକି ଏହି ଦୁର୍ନିତି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଏହି ପଂଚାୟତ ଦୁର୍ନିତିର ଗନ୍ତାଘର ପାଲଟିଛି ବୋଲି ଚର୍ଚ୍ଚା ହେଉଛି। ଏପରିକି ଉକ୍ତ ପଂଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ମୃତ୍ୟୁକାଳିନ ସହାୟତା ରାଶି ବାବଦକୁ ଅନେକ ଲୋକଙ୍କ ନାମରେ ଜାଲିୟାତି କରାଯାଇ ଅର୍ଥ ହଡପ୍ କରାଯାଇଥିବା କୁହାଯାଉଛି।ତଦନ୍ତ କରାଗଲେ ଉକ୍ତ ପଂଚାୟତର ଏହିପରି ଅନେକ ଦୁର୍ନିତିର ପର୍ଦ୍ଦାଫାସ୍ ହୋଇପାରିବା ସହିତ ଏହାର ଚେର କେଉଁଯାଏ ଲମ୍ବିଛି ଜଣାପଡନ୍ତା ବୋଲି ଚର୍ଚ୍ଚା ହେଉଛି।