କୃଷି କ୍ଷେତ୍ରରେ ଓଡିଶା ପୁଣି ଥରେ ଉତ୍କର୍ଷ ଲାଭ କରିଛି। ରାଜ୍ୟର କୃଷି ଉତ୍ପାଦନ ବୃଦ୍ଧିକୁ ମିଳିଛି ଜାତୀୟ ସ୍ବୀକୃତି। ୨୦୧୬-୧୭ ଆର୍ଥିକବର୍ଷରେ ସମୁଦାୟ ଅଧିକ ଶସ୍ୟ ଉତ୍ପାଦନ ପାଇଁ ରାଜ୍ୟକୁ ମିଳିଛି କେନ୍ଦ୍ର ପକ୍ଷରୁ ପ୍ରଶଂସା ପୁରସ୍କାର (କମେନ୍ଡେଶନ ଆଓ୍ବାର୍ଡ)। ଗୁରୁବାର କର୍ନାଟକ ରାଜଧାନୀ ବେଙ୍ଗାଲୁରୁର ତୁମକୁରଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ପ୍ରଶଂସା ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ ସାହୁ ଉକ୍ତ ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଉନ୍ନତମାନର ବିହନ ଉତ୍ପାଦନ କରିବା, ଉନ୍ନତ ବୈଷୟିକ ଜ୍ଞାନ କୌଶଳର ଉପଯୋଗ, ଜଳସେଚନ ସୁବିଧା, କୃଷି ଭିତ୍ତିଭୂମିର ବିକାଶ ଏବଂ ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ ବିହନ ଯୋଗାଇବା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଅନ୍ୟ ରାଜ୍ୟମାନଙ୍କ ସହ ଓଡ଼ିଶାକୁ ଏହି ପୁରସ୍କାର ମିଳିଛି। ପୁରସ୍କାର ବାବଦରେ ୧ କୋଟି ଟଙ୍କା, ଗୋଟିଏ ଟ୍ରଫି, ଉପଢୌକନ ପ୍ରଦାନ କରାଯାଇଛି। ମନ୍ତ୍ରୀଙ୍କ ସହିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର ଏହି ଉତ୍ସବରେ ଯୋଗଦେଇଥିଲେ।
ସୂଚନାଯୋଗ୍ୟ ଯେ, ଓଡ଼ିଶା ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆଗରେ ଥିବାରୁ ୪ ଥର କୃଷି କର୍ମଣ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ଏହାକୁ ମିଶାଇ ଓଡ଼ିଶାକୁ ଶସ୍ୟ ଉତ୍ପାଦନ ପାଇଁ ମୋଟ ୫ଥର ଜାତୀୟ ପୁରସ୍କାର ମିଳିଛି। ଶେଷ ଥର ପାଇଁ ୨୦୧୪-୧୫ ଆର୍ଥିକବର୍ଷ ପାଇଁ ୨୦୧୬ରେ ରାଜ୍ୟକୁ କୃଷି କର୍ମଣ ପୁରସ୍କାର ମିଳିଥିଲା। ପ୍ରଶଂସା ପୁରସ୍କାର କୃଷି କର୍ମଣ ପୁରସ୍କାରର ଏକ ଅଂଶବିଶେଷ।
ପୁରସ୍କାର ଗ୍ରହଣ କରିବା ପରେ କୃଷିମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର କୃଷି ଓ କୃଷକର ବିକାଶ ପାଇଁ ନୂଆ କୃଷି ନୀତି ସମୃଦ୍ଧି-୨୦୨୦ କାର୍ଯ୍ୟକାରୀ କରିଛନ୍ତି। ଏଥିରେ କୃଷିର ବିକାଶ ସହ କୃଷକଙ୍କମାନଙ୍କର ଆୟକୁ ବହୁଗୁଣିତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାଜ୍ୟ ସରକାର ସର୍ବଦା କୃଷକମାନଙ୍କୁ ଗୁରୁତ୍ୱ ଦେଇ ଆସିଛନ୍ତି। ସେଥିପାଇଁ ସ୍ବତନ୍ତ୍ର କୃଷି ବଜେଟ ସହ କୃଷି କ୍ୟାବିନେଟ ଗଠନ କରାଯାଇଛି।
କୃଷି ଉତ୍ପାଦନ ପାଇଁ ଓଡ଼ିଶାକୁ ପ୍ରଶଂସା ପୁରସ୍କାର
Click for Any Complaint Regarding This News
AAA Online Services