ଶ୍ରୀମନ୍ଦିରରେ ” ମଧ୍ୟ ଦେବ ଦୀପାବଳୀ” , ” ଅମାବାସ୍ୟା ନାରାୟଣଙ୍କ ସାଗର ବିଜେ” ଏବଂ ” ଜ୍ୟେଷ୍ଠା ବିଛା ନକ୍ଷତ୍ର ବନ୍ଦାପନା” ନୀତି…

Advertisement
Advertisement
Click for Any Complaint Regarding This News
AAA Online Services

ପୁରୀ ,,ସୋମବାର ମାର୍ଗଶିର କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳଧୂପ ପରେ ଅମାବାସ୍ୟା ନାରାୟଣଙ୍କ ସାଗର ବିଜେ , ମଧ୍ୟାନ ଧୂପପରେ “ଜ୍ୟେଷ୍ଠା ବିଛା – ନକ୍ଷତ୍ର ” ବନ୍ଦାପନା ଏବଂ ସନ୍ଧ୍ୟା ଧୂପ ପରେ ଶ୍ରୀବିଗ୍ରହମାନଙ୍କ ପିତୃପୁରୁଷଙ୍କ ଉଦେଶ୍ୟରେ “ମଧ୍ୟ ଦେବ ଦୀପାବଳୀ ” ଉତ୍ସବ ଅନୁଷ୍ଠିତ ହୋଇଅଛି ।ଆଜି ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ପ୍ରାତଃ ଘ.୬.୧୫ ରେ ସମ୍ପର୍ଣ୍ଣ ହୋଇ ଭିତର ଶୋଧ ସକାଳ ଘ.୬.୩୫ ରେ କରାଯାଇ ମହାପ୍ରଭୁ ଙ୍କ ମଙ୍ଗଳ ଆଳତି ସକାଳ ଘ.୬.୪୫ ରେ ହୋଇଥିଲା |

ଏହାପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ଦୈନଦିନ ନୀତି ପରେ, ସକାଳଧୂପ ଘ.୧୧.୦୫ ରେ ଶେଷ ହେବା ପରେ ସକାଳଧୂପ ପ୍ରସାଦ ବାହାରି ଘ.୧୧.୧୫ ରେ ପାଣି ପଡିବାପରେ, ସାଗର ବିଜେ ପାଇଁ ଠାକୁର ଘ.୧୧.୪୦ ରେ ଭିତରକୁ ବିଜେ କରିଥିଲେ |ଘ.୧୧.୫୦ ରେ ଆଜ୍ଞାମାଳ ଲାଗି ପରେ ,ମହାଜନେ ଅମାବାସ୍ୟା ନାରାୟଣ ଙ୍କୁ ହାତରେ ଧରି ପଟୁଆରରେ ପାଲିଙ୍କିରେ ବିଜେ କରାଇ ସିଂହଦ୍ୱାର ଦେଇ ସମୁଦ୍ର କୂଳ ସ୍ୱର୍ଗଦ୍ୱାରକୁ ବିଜେ କରିଥିଲେ | ସମୁଦ୍ର କୁଳ ପାଖରେ ପହଞ୍ଚିବା ପରେ ସାଗର ବିଜେ ନୀତି ରେ ଥିବା ପାଳିଆଙ୍କ ମଧ୍ୟରୁ ଗରାବଡୁ ସେବକ ରୁପା ପିଙ୍ଗଣରେ ସମୁଦ୍ରରୁ ଜଳ ଆଣି ପଣ୍ଡା ଙ୍କୁ ଦେବାପରେ ତାହା ସଂସ୍କାର ହୋଇ ଠାକୁରଙ୍କୁ ଲାଗି ହୋଇଥିଲା |

ସେଠାରେ ସାବତ ନିଯୋଗ ତରଫରୁ ପଣା ଭୋଗ, କର୍ପୂର ଆଳତି, ବନ୍ଦାପନା, ସଞ୍ଜ ବତୀ ଆଳତି,ସଞ୍ଜ କାହାଳୀ ଆଳତି ପରେ ବିମାନବଡୁ ସେବକ ମାନେ ଠାକୁରଙ୍କୁ ପାଲିଙ୍କିରେ ନେଇ ହରି ଦାସ ମଠ ଗୋହରି ଦେଇ ଜମ୍ବେଶ୍ୱର ମହାଦେବଙ୍କ ମନ୍ଦିରରେ ବିଜେ ହୋଇଥିଲେ | ସେଠାରେ ଠାକୁରଙ୍କ ର ଦହି ଓ ପଞ୍ଚା ମୂର୍ତ୍ତରେ ମହାସ୍ନାନ ହୋଇ ପଞ୍ଚଉପଚାରରେ ପୂଜାହୋଇ ଖଇ,କୋରା ଶିତଳ ଭୋଗ ପରେ ମହାଜନେ ଶ୍ରୀ ନାରାୟଣ ଙ୍କୁ ବିଜେ କରାଇ ହରଚଣ୍ଡୀ ସହି ଦେଇ ସିଂହଦ୍ୱାର ବାଟେ ଶ୍ରୀମନ୍ଦିର କୁ ଘ.୧.୩୦ ରେ ବାହୁଡା ବିଜେ କରିଥିଲେ । ଏହାପରେ ଠାକୁରଙ୍କ ଅନ୍ୟାନ୍ୟ ନୀତି ବଢି ଶ୍ରୀଜୀଉମାନଙ୍କ ନକ୍ଷେତ୍ର ବନ୍ଦାପନା ଓ ନକ୍ଷତ୍ର ବେଢ଼ା ନୀତି ମଧ୍ୟାହ୍ନ ଧୂପ ଘ.୩.୦୦ ସରି ପ୍ରସାଦ ବାହାରି ଘ.୩.୦୫ ରେ ପାଣି ପଡ଼ିଲାପରେ ଆରମ୍ଭ ହୋଇଥିଲା |

ଆଜି ମା’ଦେବୀ ସୁଭଦ୍ରାଙ୍କ “ଜ୍ୟେଷ୍ଠା ନକ୍ଷତ୍ର ତିଥି’ ଥିବାରୁ ନକ୍ଷେତ୍ର ବନ୍ଦାପନା ନୀତି ଅପରାହ୍ନ ଘ.୩.୩୦ ତିନି ବାଡ଼ରେ କର୍ପୁର ଆଳତି,ବନ୍ଦାପନା ପରେ ନକ୍ଷେତ୍ର ବେଢ଼ା କୁ ଶ୍ରୀମଦନମୋହନ ଆଜ୍ଞାମାଳ ପାଇ ଘ.୩.୩୫ ରେ ବିଜେ ହୋଇଥିଲେ | ନକ୍ଷେତ୍ର ବେଢା଼ସାରି ଠାକୁର ଦଖିଣି ଘରକୁ ବିଜେ ହୋଇଥିଲେ |ଏହାପରେ ୨ୟ ଭୋଗମଣ୍ଡପ ଶେଷ ଘ.୪.୨୦ ହୋଇ ପ୍ରସାଦ ବାହାରି ପାଣି ପଡି ମହାପ୍ରଭୁଙ୍କ ମଇଲମ ପରେ “ଶ୍ରାଦ୍ଧ ବେଶ” ଘ୫.୩୦ ରେ ଆରମ୍ଭ ହୋଇ ମହାପ୍ରଭୁଙ୍କ ଶ୍ରାଦ୍ଧ ବେଶ ସନ୍ଧ୍ୟା ଘ.୬.୧୫ ରେ ଶେଷ ହୋଇଥିଲା ।

ଏହାପରେ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ଘ.୬.୨୦ ଅନୁଷ୍ଟିତ ହୋଇଥିଲା । ଏହାପରେ ସନ୍ଧ୍ୟା ଧୂପ ଅନୁଷ୍ଟିତ ହୋଇ ,ପ୍ରସାଦ ବାହାରି ପାଣି ପଡ଼ିଲାପରେ ବିଧିମତେ ଜୟବିଜୟ ଦ୍ୱାର ପାଳିଆପଢ଼ିଆରୀ କରିବାପରେ ଠାକୁରଙ୍କ ପିତୃପୁରୁଷଙ୍କ ଶ୍ରାଦ୍ଧ ନୀତି ପାଇଁ (ଠିକ ଚତୁର୍ଦ୍ଦଶୀ ନୀତି ପରି) ସୁଧସୁଆର ଙ୍କ ଦ୍ଵାରା ଧୋପଖାଳ ପରେ ରତ୍ନସିଂହାସନ ତଳେ ଭଣ୍ଡାର ମେକାପଙ୍କ ଦ୍ୱାରା ଗୋଟିଏ ଚାଉଳ ଗଛ ପକାଯାଇଥିଲା, ଏହାପରେ ଦୀପ ସଂସ୍କାର ନୀତି ପାଇଁ ପାଳିଆ ମେକାପ ବଇଠା ମାନଙ୍କରେ ଘୃତ ପୂର୍ଣକରି ଚାଉଳ ଗଛରେ ୨୮ ଟି ବତୀ ବସାଇଥିଲେ, ଏବଂ ୩ଟି ସୁନା ଆଳତି ଲଗାଇଲା ପରେ ବନ୍ଦାପନା ଏବଂ ମହାଦୀପ ଆଳତି ପାଇଁ ପୂଜାପଣ୍ଡା ସାମନ୍ତେ ଦୀପ ମାନଙ୍କୁ ସଂସ୍କାର କରିଥିଲେ

|ଏହାପରେ ପୂଜାପଣ୍ଡା ସାମନ୍ତେ ,ପତି ମହାପାତ୍ରେ ଓ ମୁଦିରାସ୍ତେ ସିଂହାଁସନକୁ ଉଠି ତିନି ବାଡ଼ରେ ବନ୍ଦାପନା କରିଥିଲେ |ଏହାପରେ ତିନୋଟି ମହାଦୀପ ରେ ଶ୍ରୀବିଗ୍ରହମାନଙ୍କ ବନ୍ଦାପନା ହୋଇଥିଲା । ତତ୍ପରେ ତିନିଜଣ ପୂଜାପଣ୍ଡା ସାମନ୍ତେ ମହାଦୀପ ଗୁଡିକୁ ହାତରେ ଧରି ଜୟବିଜୟ ଦ୍ୱାରରେ ଭିତର ପାଖକୁ ଆସି ସେଠାରେ ଆସ୍ଥାନ ପ୍ରତିହାରୀ କରିଥିବା ଚାଉଳ ଗଛକୁ ପୂଜାପଣ୍ଡା ସାମନ୍ତେ ସଂସ୍କାର କରି ପାଣି ଛଡାଇ ସେହି ମହାଦୀପ କଳସ ଗୁଡିକୁ ପାଳିଆ ଚୂନରା ସେବକଙ୍କୁ ଦେଇଥିଲେ, ପାଳିଆ ଚୂନରା ସେବକ ବଡ ଓଡ଼ିଆ ମଠ ଏବଂ ଶ୍ରୀ ନଅରରୁ ରାଜା ସୁପରିଟେଣ୍ଡେଣ୍ଟଟ ଙ୍କ ଠାରୁ ଆସିଥିବା ତେଲ,ଘିଅ ନେଇ ଶ୍ରୀମନ୍ଦିର ଉପରେ ତିନି ଦେଉଳ ଅଁଳା ବେଢ଼ା ରେ ଦୀପମାନ ଜାଳି ଥିଲେ ଓ ଚନ୍ଦ୍ର ଉଦିଆ ଜାଳି ରାଜାଙ୍କୁ ଆଶୀର୍ବାଦ ପୂର୍ବକ ଗଜପତି ମହାରାଜାଙ୍କୁ ମହାପ୍ରଭୁ ଶଙ୍ଖେ ପୁରାଇ ଚକ୍ରେ ଆଢୁଆଳ କରନ୍ତୁ ବୋଲି କହି ହରିବୋଲ ଡାକଦେଇ ମଧ୍ୟ ଦେବ ଦୀପାବଳୀ’ ନୀତି ସମ୍ପର୍ଣ୍ଣ କରି ଶ୍ରୀମନ୍ଦିର ଚୂଡ଼ାରୁ ଓଲାହିଥିଲେ । ଏହାପରେ ମହାପ୍ରଭୁଙ୍କ ମଇଲମ ହୋଇ, ଚନ୍ଦନ ଲାଗି ପରେ ଠାକୁରଙ୍କରେ ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ପରେ ରାତ୍ର ପହୁଡ଼ ଅନୁଷ୍ଟିତ ହେବ ।

Please Share

Leave a Reply

Your email address will not be published. Required fields are marked *