ମୋ ଝିଅ
***
ମୋ ଝିଅ ଜନ୍ମ ହେଲା
ମୁଁ ମନ ଦୁଃଖ କଲି
ଦେଖିବା ଲୋକ କହିଲେ
ପୁଅ ଆଶାରେ ଥିଲା ତ
ଝିଅ ହେଲା ବୋଲି
ମନ ଦୁଃଖ କଲା
ହଁ ।
ମୁଁ ମନଦୁଃଖ କଲି
ଯେବେ ମୋ ଝିଅ ଜନ୍ମ ହେଲା
ପୁତ୍ର ମନଷ୍କ ନଥିଲୁ ଆମେ କେବେ
ଝିଅ ଟେ ପାଇଁ କେତେ ସ୍ୱପ୍ନ
ଦେଖିଥିଲୁ ଆମେ ଦୁହେଁ ।
ମୁଁ ଜାଣିଚି ଏତେ କଷ୍ଟ ପାଇ
ସୁନ୍ଦରି କଣ୍ଢେଇ ଟେ
ହାତେ ଧରି ମୁଁ ମନଦୁଃଖ କଲି ।
ହଁ ମୁଁ ମନଦୁଃଖ କଲି
ଯେବେ ମୋ ଝିଅ ଜନ୍ମ ହେଲା ।
କାହିଁକି ?
ତାରି ଉତ୍ତର ଦେବି ମୁଁ।
କାରଣ ଝିଅ ଜନ୍ମ କରି ଦୋଷୀ ମୁଁ
ଝିଅ କୁ ସଂସାର କୁ ଆଣି ପାପଟେ
କରିଛି ମୁଁ ।
ଖୁସି ରେ ଅଧିର ତା ବାପା ।
ସେ ଯେ ଗଡ଼ ଜୟ କରିଛନ୍ତି,
କନ୍ୟା ସନ୍ତାନର ଜନକ ସାଜି ।
କୋଳ ମଣ୍ଡନ କରିଛି
ତାଙ୍କ ସ୍ୱପ୍ନ ର ରାଜ ଦୁଲାଳୀ
ତାଙ୍କ ଗୃହଲକ୍ଷ୍ମୀ ।
ତାଙ୍କ ସୈ।ଭାଗ୍ୟଲକ୍ଷ୍ମୀ
ମୁଁ କିନ୍ତୁ ଖୁସି ହେଇ ପାରୁନି
କାହିଁକି ?
ମୋ ଭଳି ଭାଗ୍ୟଟେ
ନେଇ ଆସିଛି ମୋ ଝିଅ
ସେ ଯେ ଜନ୍ମ ହେଇଚି
ଝିଅ ହେଇ,
ଏଇଟା ହିଁ ତା ଦୁର୍ଭାଗ୍ୟ
ଯେବେ ଘରୁ ଗୋଡ଼ କାଢିବ,
ତାକୁ ଉତ୍ତର ଟେ ଦବାକୁ ପଡିବ ।
ତାକୁ ଢାଙ୍କି ହବାକୁ ପଡ଼ିବ,
ମୁଣ୍ଡରୁ ଗୋଇଠି ଯାଏ ।
ଘୋଡେଇବାକୁ ପଡ଼ିବ
ତାଳୁରୁ ତଳିପା ।
ଯେବେ ପାଟି ଖୋଲିବ,
ତାଲା ପକେଇ ଚାବି
ଫିଙ୍ଗିଦବାକୁ ପଡ଼ିବ ।
ଯେବେ ଭୋକ ଲାଗିବ,
ଆଉ କିଏ ନଖାଇ ଅଛି କି ?
ଭାବିବାକୁ ପଡ଼ିବ ।
ଖୁସି ହବା ଆଗରୁ
କାହା ମନଦୁଃଖ ଅଛିକି ?
ଦେଖିବାକୁ ହବ ।
ମୁହଁ ଉଠେଇବା ଆଗରୁ
ଚିନ୍ତା ଟେ କରିବାକୁ ହବ
ତାକୁ କେହି ଉପର ମୁହିଁ
କହୁ ନାହାନ୍ତି ତ !
ଯେବେ ପରିଚୟ ଦବ ବାପା
ପରେ ସ୍ୱାମୀ ନାଁ ମନେ
ପକେଇବାକୁ ହିଁ ହବ ।
ତଥାପି ଗର୍ବିତ ମୁଁ ।
ସମାଜକୁ ମା ଟେ ଦେଇଚି ତ ।
ଚେନାଏ ଆଶା ସାଇତିଛି
ମନର ନିଭୃତ କୋଣରେ
ସେ ଯେ ଆଜିର ଦାୟାଦ
ହୁଏତ…..
ଅନ୍ୟାୟ ସାଙ୍ଗେ ଲଢି
ବଢ଼ି ଯିବ ଗୋଟେ ଆଲୋକିତ ଦୁନିଆକୁ,
ମୋ ଅନ୍ଧାରିଆ ମୁଲକ ରୁ ।
ସେ ହୁଏତ ଆଲୋକ ବର୍ତ୍ତୀକା ସାଜିବ,
ତା ପର ପିଢ଼ି ର ଅନେକ ନାରୀ ପାଇଁ ।
ସେ ହୁଏତ ସମାଜକୁ ଦେଖେଇ ଦବ
ନାରୀ ବି ବଞ୍ଚି ପାରେ
ବିନା ଆଶ୍ରୟରେ ।
ବିନା ଆଶ୍ରୟରେ ଭୁଇଁ ରେ ଲୋଟି
ଆଗକୁ ବଢୁଥିବା ଲତାଟେ ପରି ।
ହୁଏତ ସେ ଆଶ୍ରୟ ସାଜିଯିବ
କୋଉ ନିରାଶ୍ରୟ ର ।
ଆଶ୍ରୟ ଦେଇ ଦବ
କୋଉ ବିନାଶ୍ରୟ କୁ ।
ସ୍ମିତାଲେଖା ରଥ
ବରଗଡ