II ଭିଟାମାଟି II
*କେଶବ ଚନ୍ଦ୍ର ନାୟକ*
………………………………
ଗାଁକୁ ଫେରିବାକୁ ସମୟ ନାହିଁ
ବାପା ଜେଜେ ଅମଳର ଭିଟାମାଟିରେ
ଉଠିଥିବା ଚାଳ ଘର
ମାଟିରେ ମିଶିଗଲାଣି…!
ସବୁ ଅସ୍ତିତ୍ଵ ହରାଇଲା ପରେ
ସେଠି ଅନାବନା ଗୁଳ୍ମ ମାଡି ଯାଇଛି
ଯେମିତି ଅରଣ୍ୟ ପରି….!
ଊଇ ହୁଙ୍କା,ମୂଷା,କଂକଡା ବିଛା,
ସରୀସୃପଙ୍କ ନିବାସ ଏବେ
ବର୍ଷା ମାଡରେ ମାଟି କାନ୍ଥ ଧୋଇଗଲାଣି
କେବେଠୁ…..
ସେଠି ଘର ନାହିଁ କି ଚାଳ ନାହିଁ
ହରାଇଲାଣି ଚିହ୍ନ ବର୍ଣ୍ଣ…ଅସ୍ତିତ୍ଵ….!
ଗାଁରେ ରୋଜଗାର ନାହିଁ
ଅଧିକାଂଶ ଶ୍ରମଜୀବୀ
ଜୀବିକା ଶୂନ୍ୟ
ଭୋକିଲା ପେଟରେ
ଗାଁକୁ ଅଣ୍ଟିରେ ପୂରେଇ କି ଲାଭ
ପେଟପାଟଣା ପାଇଁ
ଦାଦନ ଖଟିବା ଶ୍ରୟେ
ଗାଁର ମାୟା ମମତା ବନ୍ଧନ ତୁଟାଇ
ଯୁଗ ଯୁଗର ସଂପର୍କକୁ ଛିନ୍ନ ବିଛିନ୍ନ କରି
ଭିନ୍ନ ଏକ ପରିଚୟ ନେଇ
ବଞ୍ଚିବାର ପ୍ରୟାସ ହେଲା – ଦାଦନ
କେଉଁ ଏକ ଅଜଣା ସହରରେ
ଝୋପଡି ପଟିରେ ନିବାସ
ମୁଣ୍ଡ ଗୁଞ୍ଜିବାର ଭିନ୍ନ ଏକ ଯନ୍ତ୍ରଣା
ଦାଦନର…!!
ପେଟକୁ ମୁଠେ ଯୋଗାଡୁ ଯୋଗାଡୁ
ବୟସର ଅପରାହ୍ନ ମାଡି ଆସେ
ଜନ୍ମିତ ପିଲା ବି ଦାଦନ ପାଲଟେ
ପେଟପାଟଣା ପାଇଁ…..
ଦାଦନର ପିଲା ପୁନଶ୍ଚ ଦାଦନ…
ଭିଟାମାଟିକୁ ସ୍ମରଣ କରିବାକୁ ପଡେ
କେବେ କେବେ ପୁଅ ଝିଅ ପଚାରିଲେ…!!
ସେମାନଙ୍କର ବହୁବାର ଇଛା ହୁଏ
ଗାଁକୁ ଫେରିବାକୁ
ପୈତୃକ ଭିଟାମାଟିକୁ
ସ୍ଵଚକ୍ଷୁରେ ଦେଖିବାକୁ
ହେଲେ ଘର ନାହିଁ ବୋଲି
ପାଦରେ ବେଡି ପଡି ଯାଏ ପୁଅ ଝିଅଙ୍କର…!!
ସ୍ମୃତି ସାଉଁଟିବା ବେଳକୁ ଅତିତର ଗାଥା
କେତେ ସେ ଗାଁର ପୁରୁଣା ଲୋକେ
ହଜିଯାଇଥିବେ ମଶାଣି ଭୂଇଁରେ
କେତେ ଯୁବକ ନୂଆ ସଂସାର ଗଢିଥିବେ
ସେ ମାଟିରେ….କେତେ ଝିଅ…
ବୋହୂ ହୋଇ
ଯାଇଥିବେ ଅନ୍ୟ ଗାଁକୁ….!!
ଗାଁଟି କେତେ ବଦଳି ଯାଇଥିବ
ବଦଳିଯାଇଥିବ ବୟସ ଆଉ
ସେ ଦେଖିଥିବା ଚେହେରା….
ଚିହ୍ନ ମୁହଁ ଯେତେ….II
ଭାବୁ ଭାବୁ ବୟସଟା ଗଡିଯାଏ ଦାଦନର
ହେଲେ ଭିଟାମାଟିରେ ଠିଆ କରି ପାରେନା
ତା ବାପା ଜେଜେ ଅମଳର ହାତ ଗଢା
ଭୂମିଷ୍ଠ ହୋଇଥିବା
ଅତି ଆପଣାର
ନୂଆଁଣିଆ ଚାଳ ଘରଟେ….!!
———————————————
(ସଭାପତି,ଉତ୍କଳ ସାହିତ୍ୟ ସଂସଦ,ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭