ଦିଆସିଲି କାଠିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପ୍ରସ୍ତୁତ କରିଛନ୍ତି ୨୫ ବର୍ଷର ଯୁବକ ସାଗର

Advertisement
Advertisement
Click for Any Complaint Regarding This News
AAA Online Services

ପୁରୀ ,ଗତ ଦଶହରା ଠାରୁ ମହାପ୍ରଭୁଙ୍କର ଏହି ମନୋରମ ବେଶ ପାଇଁ ପ୍ରସ୍ତୁତ ଚାଲିଛି |ଦୀର୍ଘ ୧ ମାସରୁ ଉର୍ଦ୍ଧ ସମୟ ଦେଇ ଶିଳ୍ପୀମାନେ ଏହି ବେଶ ପ୍ରସ୍ତୁତ କରୁଥିବା ବେଳେ ମାତ୍ର ୬ ଦିନର ପରିଶ୍ରମରେ ଜଣେ ଯୁବକ ସମ୍ପ୍ରତି ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ପ୍ରତିରୂପ ସୃଷ୍ଟି କରିଛନ୍ତି ଦିଆସିଲି କାଠିରେ |ସୁନ୍ଦର ଭାବେ ଦିଆସିଲି କାଠିରେ ମହାପ୍ରଭୁଙ୍କ ପଦ୍ମମୁଖ, ବଳିଆର ଭୁଜ, ନାଗା ହାଣ୍ଡିଆ, ନାଗା ଫୁଲ, ନାଗା ତାଟି ପ୍ରସ୍ତୁତ କରିଛନ୍ତି |ଏହି ଯୁବ ଶିଳ୍ପୀଙ୍କ ହସ୍ତର କଳା କୁଶଳତାରେ ରୂପ ପାଇଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ |ଏହି କଳାକୃତି ବେଶ ଆକର୍ଷଣୀୟ ହୋଇପାରିଛି |ଦିଆସିଲି କାଠିରେ ମହାପ୍ରଭୁଙ୍କ ପ୍ରତିରୂପ ପ୍ରସ୍ତୁତ କରିଛନ୍ତି ୨୫ ବର୍ଷର ଯୁବକ ସାଗର କୁମାର ବେହେରା |ତାଙ୍କର ଘର ହରଚଣ୍ଡୀ ସାହି ଲୋକନାଥ ରୋଡ |ଶ୍ରୀ ବେହେରା ଆଦୌ ଜଣେ ଶିଳ୍ପୀ ନୁହନ୍ତି |କେବଳ ଭକ୍ତିର ଭାବନା ତାଙ୍କ ଅନ୍ତରଆତ୍ମାରେ ଜାଗ୍ରତ ହୋଇଥିବାରୁ ସେ ମହାପ୍ରଭୁଙ୍କୁ ଏହି ବେଶରେ ନିଆରା ରୂପରେ ସଜାଇଛନ୍ତି ବୋଲି ପ୍ରକାଶ କରିଥିଲେ l

ଏଭଳି କଳାକୃତି ତିଆରି କରିବା ପାଇଁ ସେ କାହିଁକି ପ୍ରବୃତ୍ତ ହେଲେ ସେ ବିଷୟରେ ଶିଳ୍ପୀ ଶ୍ରୀ ବେହେରା କୁହନ୍ତି ମୁଁ ପ୍ରତିଦିନ ଶ୍ରୀମନ୍ଦିରକୁ ଯାଏ । ମହାପ୍ରଭୁଙ୍କୁ ଦର୍ଶନ କରେ । ମାତ୍ର ଏବେ କରୋନା କଟକଣା ଯୋଗୁଁ ମନ୍ଦିର ବନ୍ଦ ଥିବାରୁ ଆମେ ମନ୍ଦିରକୁ ପ୍ରବେଶ କରିପାରୁନାହିଁ । ଚଳିତବର୍ଷ ଆସନ୍ତା ୨୭ତାରିଖରେ ହେବାକୁ ଥିବା ନାଗାର୍ଜୁନ ବେଶ ଆମେ ଦେଖିପାରିବୁ ନାହିଁ । ତେଣୁ ମହାପ୍ରଭୁଙ୍କ ବେଶ ନିଆରା ଢଙ୍ଗରେ ପ୍ରସ୍ତୁତ କରିବା ପାଇଁ ମୋର ମନ ଚାହିଁଲା । ମୁଁ ବ୍ୟବସାୟ କରେ । ସେଥିରୁ ସମୟ ବାହାର କରି ୨୫୦ ପେଡ଼ି ଦିଆସିଲି କାଠି ବ୍ୟବହାର କରି ମୁଁ ଏହି ମନୋରମ ବେଶ ପ୍ରସ୍ତୁତ କରିଛି । ମହାପ୍ରଭୁ ହାତରେ ଶଙ୍ଖ ଚକ୍ର ଧାରଣ କରିଥିବା ବେଳେ ଛାତିରେ ଝୁଲୁଛି ଓରମାଳ । ମୁଣ୍ଡରେ ରହିଛି ହାଣ୍ଡିଆ । ପଛରେ ନାଗା ତାଟି । ମୁଁ ଗତ ରଥଯାତ୍ରା ସମୟରେ ମଧ୍ୟ ରଙ୍ଗ ତୁଳୀରେ ପ୍ରସ୍ତୁତ କରିଥିଲି ତିନି ରଥର ପ୍ରତିଛବି । ମୁଁ ପ୍ରତିପାଦିତ କରିବାକୁ ଚାହେଁ ସେ ଦିଆସିଲି କେବଳ ଜଳାଇବା ପାଇଁ ଉଦ୍ଦିଷ୍ଟ ନୁହେଁ । ଦିଆସିଲି କାଠିରେ ଭଲ ଭଲ ଜିନିଷ ମଧ୍ୟ ପ୍ରସ୍ତୁତ କରିହେବ । ଏହିଭଳି ଆଗକୁ ଅନେକ କିଛି ଜିନିଷ ପ୍ରସ୍ତୁତ କରିବାର ମୋର ଇଚ୍ଛାଶକ୍ତି ରହିଛି ।

Please Share

Leave a Reply

Your email address will not be published. Required fields are marked *